ମୁକ୍ତା ଯୋଜନାରେ ପାର୍କ ନିର୍ମାଣକୁ ବିରୋଧ, ବିଏମ୍‌ସି କମିସନରଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ବର : ମୁକ୍ତା ଅଧୀନରେ ବିଏମ୍‌ସି ୩୬ ନମ୍ବର ୱାର୍ଡର ୟୁନିଟ୍‌-୪ ସ୍ଥିତ ଭୌମନଗର ଟ୍ରାଫିକ୍‌ ଛକଠାରେ ନିର୍ମାଣ କରାଯାଉଥିବା ପାର୍କକୁ ବିରୋଧ କରିଛି ଓଡ଼ିଶା ବିକାଶ ପରିଷଦ। ଏନେଇ ଖାରବେଳନଗର ଥାନାରେ ପରିଷଦ ପକ୍ଷରୁ ବିଏମ୍‌ସି କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ନାଁରେ ଏତଲା ଦିଆଯାଇଛି।

ପରିଷଦର ଅଭିଯୋଗ ଅନୁଯାୟୀ, ୱାର୍ଡରେ ୩ଟି ଶିଶୁ ଉଦ୍ୟାନ ରହିଛି। ମାତ୍ର ତାହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ସେ ସବୁ ପାର୍କ ଭାଙ୍ଗିରୁଜି ଗଲାଣି। କିନ୍ତୁ ୱାର୍ଡର ବିକାଶ ନାଁରେ ସର୍ବସାଧାରଣ ସ୍ଥାନରେ ଆବଶ୍ୟକ ନଥିବା ସତ୍ତ୍ବେ ପାର୍କ କରି ଅର୍ଥ ହରିଲୁଟ୍‌ କରାଯାଉଛି। ପରିଷଦ କହିବା କଥା, ଯଦି ମୁକ୍ତା ଯୋଜନାରେ ପାର୍କ କରାଯାଉଛି କିମ୍ବା ବିକାଶ କାର୍ଯ୍ୟ କରାଯାଉଛି, ଉପଯୁକ୍ତ ସ୍ଥାନରେ କରାଯାଉ। ଅନ୍ୟପଟେ ୩୬ ନମ୍ବର କର୍ପୋରେଟର ଅଲିଅଳି ମଲ୍ଲିକଙ୍କ କହିବା କଥା, ମୁକ୍ତା ଯୋଜନାର ୱାର୍ଡର ବିକାଶ କରାଯାଉଛି। ମାତ୍ର ଏହାକୁ ୱାର୍ଡ ବାହାର ଲୋକ ଆସି ବିରୋଧ କରୁଛନ୍ତି।

ଓଡ଼ିଶା ବିକାଶ ପରିଷଦ ସୁଶାନ୍ତ ପାଢ଼ୀ କହିଛନ୍ତି, ସ୍ଥାନୀୟ କର୍ପୋରେଟର କିଛି ମହିଳାଙ୍କୁ ଆଣି ଏଠାରେ ଜୋର୍‌ଜବରଦସ୍ତ କାମ କରୁଛନ୍ତି। ୱାର୍ଡର ଯେଉଁ ସ୍ଥାନରେ ଫାଙ୍କା ରହିଛି, ସେହି ସ୍ଥାନରେ କାମ କରାଯାଉନାହିଁ। ଆସନ୍ତାକାଲି ଜେଡ୍‌ଡିସି ଆଲୋଚନା କରିବାକୁ ଡାକିଛନ୍ତି। ଏହି ସ୍ଥାନରେ କାମ ବନ୍ଦ ନହେବା ପର୍ଯ୍ୟନ୍ତ ବିରୋଧ କରାଯିବ ବୋଲି ପରିଷଦର ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର