ଫୋଡ଼ା ପାଟୁଆ ଯାତ୍ରା ପାଇଁ ମା’ ମଙ୍ଗଳା ପୀଠ ଚଳଚଞ୍ଚଳ

ବାଲିଅନ୍ତା: ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସରକଣା ଫୋଡ଼ା ପାଟୁଆ ଯାତ୍ରା ପାଇଁ ସବୁ ମଙ୍ଗଳା ପୀଠ ଚଳଚଞ୍ଚଳ ହୋଇଉଠିଛି। ମା’ଙ୍କ ପୂଜା ଧଣ୍ଡା ଧରି ବଡ଼ ପାଟୁଆ ଭରତ ଭୋଇଙ୍କ ସମେତ ୧୪ଜଣ ମାନସିକଧାରୀ ପୀଠରେ ଅଧିଆ ପଡ଼ିଛନ୍ତି। ଢୋଲ ମହୁରି ବଜାଇ ରାଉତାଣି ନାଚ କରି ଘର ଘର ବୁଲି ପିଠିରେ ନିଆଁ ଝୁଣା ଖାଇବା ସହ ଯାତ୍ରା ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି। ଆଜି ମେରି ଉପବାସରେ ସଂପୂର୍ଣ୍ଣ ଭାବେ କାଷ୍ଠାରେ ରହି ଝୁଣା ଖାଉଛନ୍ତି। ଗତ ସୋମବାର ସଂଧ୍ୟାରେ ରଣପୁର ଗ୍ରାମ ମୁଖ୍ୟ ମଙ୍ଗଳା ପୀଠରୁ ଦଶପଡ଼ାବାସୀ ଏକ ଯୋଭାଯାତ୍ରାରେ ଯାଇ ସରକଣା ଗ୍ରାମସ୍ଥିତ ଐତିହ୍ୟ ସଂପନ୍ନ ଦିୱାନପୋଖରୀରୁ ପାଣି ତୋଳିଥିଲେ। ଆସନ୍ତାକାଲି ଅନୁରୂପ ଭାବେ ପୋଖରୀରୁ ଚରକି ଓ ଖାଇଖୁଣ୍ଟ ଶୋଭାଯାତ୍ରାରେ ନେଇ ଯାତ୍ରା ପଡ଼ିଆରେ ପୋତା ହେବ। ପୂର୍ବଭଳି ଅପରାହ୍‌ଣ ଦି’ଟାରେ ପୋଖରୀକୂଳ ସାହିସ୍ଥିତ ପଞ୍ଚାୟତ ପୋଖରୀ, ମା’ ଭଗବତୀ ଓ ମହାବୀରଙ୍କ ନିକଟରେ ପାଟୁଆମାନଙ୍କ ସିଝି ଯାଇଥିବା ପିଠିରେ ୬ ଇଞ୍ଚ ଲମ୍ବର ମୁନିଆ ଲୁହା କଣ୍ଟା ଫୋଡ଼ାଇବେ। ସଂଧ୍ୟାରେ ଯାତ୍ରା ପଡ଼ିଆରେ ମା’ଙ୍କୁ ସ୍ଥାପନ କରି ପାଟୁଆମାନେ କାଳିସୀ ଗଙ୍ଗାଧର ଭୋଇଙ୍କ ସହ ଚରକି ବୁଲିବେ। କିନ୍ତୁ ଗଣ୍ଡଗୋଳକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ଉପରେ ରୋକ୍‌ ଲଗାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର