ପୁଲିସକୁ ହାତକଡ଼ି ପିନ୍ଧାଇଲା ପୁଲିସ, ‌ସେଦିନର କ୍ୟୁଏଟି ସେନା ଏବେ ଲୁଟେରା

ଚାଲିଥିଲା କି ଆଇପିଏଲ୍ ବେଟିଂ?

ଭୁବନେଶ୍ବର: ଦିନେ ଅପରାଧୀଙ୍କୁ ହାତକଡ଼ି ପିନ୍ଧାଉଥିବା ପୁଲିସ କର୍ମଚାରୀ ଆଜି ଲୁଟେରା ଅଭି‌ଯୁକ୍ତ ଭାବେ ଗିରଫ ହୋଇଛନ୍ତି। ଅଙ୍ଗାଡ଼ିଆ ଗ୍ୟାଙ୍ଗ୍‌ ତିଆରି କରି ଜଣେ ବ୍ୟବସାୟୀଙ୍କୁ ଲୁଟିବା ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ୩ ପୁଲିସ କର୍ମଚାରୀ। ଏକଦା କୁଇକ୍‌ ଆକ୍ସନ ଟିମ୍‌ରେ ସାମିଲ୍‌ ହୋଇ ଅପରାଧୀମାନଙ୍କ ଭିତରେ ଆତଙ୍କ ଖେଳାଇଥିବା ଏହି ୩ ପୁଲିସ କର୍ମଚାରୀ ଆଜି ନିଜେ ଲୁଟେରା ଅଭିଯୁକ୍ତ ଭାବେ ହାତକଡ଼ି ପିନ୍ଧିଛନ୍ତି। ସେମାନେ ହେଲେ ଭୁବନେଶ୍ବର ରିଜର୍ଭ ପୁଲିସର ଦିଲ୍ଲୀପ କୁମାର ମଲ୍ଲିକ ଓରଫ୍ ପିଙ୍କୁ, ସନ୍ଦୀପ୍ତ କୁମାର ପୃଷ୍ଟି ଓରଫ୍ ସନ୍ଦୀପ ଏବଂ କଟକ ରିଜର୍ଭ ପୁଲିସର ପ୍ରଫୁଲ କୁମାର ଭୂୟାଁ। ମିଳିଥିବା ସୂଚନା ଅନୁସାରେ, ପିଙ୍କୁ ଓ ସନ୍ଦୀପ ପୂର୍ବରୁ କମିସନରେଟ ପୁଲିସର କୁଇକ୍ ଆକ୍ସନ ଟିମ୍‌ରେ କାମ କରୁଥିଲେ। ସେତେବେଳେ ବିଭିନ୍ନ ଅଞ୍ଚଳ ବୁଲି ଅପରାଧୀଙ୍କୁ ଗିରଫ କରୁଥିଲେ। ବ୍ରାଉନ୍‌ସୁଗାର, ଚୋରା ବନ୍ଧୁକ, ଗଞ୍ଜେଇ, ମଦ କାରବାର କରୁଥିବା ଅପରାଧୀମାନଙ୍କୁ ଗିରଫ କରୁଥିଲେ। ପିଙ୍କୁ ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ପୂରା ଯୋଜନା ସେ ପ୍ରସ୍ତୁତ କରିଥିଲା। କେମିତି ପୁଲିସ ଓୟୋ ହୋଟେଲ୍‌ରେ ମିଛ ରେଡ୍ କରିବ, ସେସବୁର ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲା।

୫୦ ହଜାର ଗଲା କୁଆଡ଼େ?
ହୋଟେଲରୁ ୭୭ ଲକ୍ଷ ଓ ତିନି ପୁଲିସ କର୍ମଚାରୀଙ୍କ ଠାରୁ ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। କିନ୍ତୁ ବ୍ୟବସାୟୀ କମଲ୍‌ ଶାହା କୋଟିଏ ଟଙ୍କା ଆଣିଥିଲେ। ପୁଲିସ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। କିନ୍ତୁ ବାକି ୫୦ ହଜାର ଟଙ୍କା କୁଆଡେ ଗଲା, ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ କମଲ୍‌ଙ୍କ କହିବା କଥା ସେ ୪୦ ବିଡ଼ା ଟଙ୍କା ଆଣିଥିଲେ। ଗୋଟିଏ ବିଡ଼ାରେ ଅଢେଇ ଲକ୍ଷ ଟଙ୍କା ରହିଥିଲା। ଲୁଟ୍ ହୋଇଥିବା ୯ ବିଡ଼ା ମଧ୍ୟ ସେମିତି ଉଦ୍ଧାର ହୋଇଥିଲା। ଆଉ ୫୦ ହଜାର ଟଙ୍କା କେଉଁଠି ଗାଏବ ହେଲା? ଫେରାର ଥିବା କିଛି ସହଯୋଗୀଙ୍କ ପାଖରେ ଏହି ଟଙ୍କା ରହିଛି କି ବୋଲି ଖୋଳତାଡ୍‌ ଚଳାଇଛି ପୁଲିସ।
ରହସ୍ୟ ଘେରରେ ଅନେକ ତଥ୍ୟ
ପୁଲିସ ଏକ ବଡ଼ଧରଣର ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ଅଭିଯୋଗକାରୀ ବ୍ୟବସାୟୀ କମଲ୍‌ ଶାହାଙ୍କ ସହ ଅଭିଯୁକ୍ତ ମହେଶ୍ବର ସାହୁର ପରିଚିତି ଥିଲା। ତେବେ ମହେଶ୍ବର ସହ ପ୍ରଶାନ୍ତ ପାଢ଼ୀ ସମେତ ଅନ୍ୟ ଅଭିଯୁକ୍ତମାନଙ୍କର କିଭଳି ସମ୍ପର୍କ ହେଲା ଓ ଏଥିରେ ପୁଲିସ କର୍ମଚାରୀଙ୍କୁ କିଭଳି ସାମିଲ୍ କରାଗଲା, ସେନେଇ କମିସନରେଟ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେଣୁ ପୂରା ଘଟଣା ଉପରୁ ସମ୍ପୂର୍ଣ୍ଣ ରହସ୍ୟ ଉଠିପାରିନାହିଁ।

ଚାଲିଥିଲା କି ଆଇପିଏଲ୍ ବେଟିଂ?
ଓୟୋ ହୋଟେଲରେ ହାଵଲା ଚାଲିଥିଲା ନା ଆଇପିଏଲ୍ ବେଟିଂ? ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଥିବା ବେଳେ ପୁଲିସ କହିଛି ହାଵଲା ଚାଲିଥିଲା। କିନ୍ତୁ ଆଇପିଏଲ୍ ଚାଲିଥିବା ନେଇ କଣ୍ଟ୍ରୋଲ ରୁମକୁ ଫୋନ୍ ଆସିଥିଲା ବୋଲି କୁହାଯାଉଛି। ଏବେ ଆଇପିଏଲ୍ ମ୍ୟାଚ ଚାଲୁଥିବାରୁ ଆଇପିଏଲ୍ ବେଟିଂ ଚାଲିଥିବା ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର