ଶାଶୂ ନିର୍ଯାତିତାଙ୍କ ଅଭିଯୋଗ ରଖୁନି ପୁଲିସ୍‌, ଥାନା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଉଦ୍ଧାର କରି ସର୍ଟ ଷ୍ଟେ’ ହୋମ୍‌ରେ ଛାଡ଼ିଲା ପୁଲିସ୍‌

ଚନ୍ଦ୍ରଶେଖରପୁର: ନ୍ୟାୟ ଦାବିରେ ଆଜି ଜଣେ ମହିଳା ଚନ୍ଦ୍ରଶେଖରପୁର ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ, ଯାଜପୁର ଜିଲ୍ଲା ଟମକା ଥାନା ଅଧୀନ ଗୋବର୍ଧନପୁର ଗ୍ରାମର ପିଙ୍କି ପାତ୍ର (୧୯)। ସ୍ବାମୀ ଜେଲ୍‌ ଚାଲିଯିବା ପରେ ଶାଶୂ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା, ଏପରିକି ଦୁଇଥର ହତ୍ୟା କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର ଓ ମହିଳା ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ୍‌ ନ ଶୁଣିବାରୁ ଆଜି ସେ ଥାନା ଆଗରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ତେବ‌େ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ସର୍ଟ ଷ୍ଟେ’ ହୋମ୍‌‌ରେ ଛାଡ଼ିବା ସହ ତାଙ୍କ ଅଭିଯୋଗକୁ ଗ୍ରହଣ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଆଜି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ପିଙ୍କିଙ୍କ ଅଭିଯୋଗ ହେଲା, ସୋସିଆଲ ମିଡିଆରେ ଡମଣା ନିକଟ ମଣ୍ଡପ ବସ୍ତିର ଶ୍ୟାମ ସୁନ୍ଦର ରାଓ(୨୮)ଙ୍କ ସହ ପରିଚୟ ହୋଇଥିଲା। କଥାବାର୍ତ୍ତାରୁ ସଂପର୍କ ବଢ଼ିବାରୁ ୫ମାସ ତଳେ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଭଡ଼ା ଘରେ ରହୁଥିଲେ। କିଛି ଦିନ ପରେ ଶ୍ୟାମଙ୍କ ମା’ ଲକ୍ଷ୍ମୀ ରାଓ(୫୮) ପୁଅ-ବୋହୂଙ୍କୁ ନିଜ ଘର ମଣ୍ଡପବସ୍ତିକୁ ‌ଆଣି‌ଥିଲେ। ତେବେ ସପ୍ତାହେ ତଳେ ଏକ ଚୋରି ଅଭିଯୋଗରେ ଶ୍ୟାମସୁନ୍ଦର ଗିରଫ ହୋଇ ଝାରପଡ଼ା ଜେଲ୍‌ ଯିବା ପରେ ପିଙ୍କିଙ୍କୁ ଘରୁ ତଡ଼ିବା ପାଇଁ ଲକ୍ଷ୍ମୀ ଉଦ୍ୟମ କରିଥିଲେ। କିନ୍ତୁ ପିଙ୍କି ନ ଯିବାରୁ ସେ ତାଙ୍କୁ ପନିକିରେ ଆକ୍ରମଣ କରିବା ସହ ଶୋଇଥିବା ଅବସ୍ଥାରେ କିରାସିନି ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିଥି‌‌ଲେ ବୋଲି ପିଙ୍କ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ପିଙ୍କି ବସ୍ତିର ସଭାପତି ଦିବାକର ସେଠୀ, ଚନ୍ଦ୍ରଶେଖରପୁର ଥାନା ଓ ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କେହି ତାଙ୍କ କଥା ନ ଶୁଣିବାରୁ ସେ ଆଜି ଚନ୍ଦ୍ରଶେଖରପୁର ଥାନା ଆଗରେ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ପିଙ୍କିଙ୍କ ସହ ଓଡ଼ିଶା ନାରୀ ସଚେତନା ମଞ୍ଚର ଡଲି ରଥ, ଇନ୍ଦିରା ମଙ୍ଗରାଜ, କୁନି ପ୍ରଧାନ ଓ ସାଥୀ ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର