ପିତୃତ୍ବ ନାଁରେ କଳଙ୍କ : ପୁଲିସ ବାପା ନାଁରେ ଝିଅ ଆଣିଲା ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ବାପା ନାଁରେ କଳଙ୍କ। ଦିନେ କି ଦୁଇ ଦିନ ନୁହେଁ, ଗତ ୪ବର୍ଷ ହେଲା, ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରି ଚାଲିଛି। ଜଣେ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ତାଙ୍କର ୨୭ବର୍ଷୀୟା ଯୁବତୀ ଏଭଳି ସଂଗିନ୍‌ ଅଭିଯୋଗ ଆଣିଛନ୍ତି। ଯୁବତୀଜଣଙ୍କ ଏ ସଂପର୍କରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ହୋଇଥିବାରୁ ସେଠାକୁ ଏହି ମାମଲା ସ୍ଥାନାନ୍ତର କରାଯାଇଛି। ପଟ୍ଟାମୁଣ୍ଡାଇ ପୁଲିସ ଗତ ୧୪ ତାରିଖ ଦିନ ଏ ସଂପର୍କରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣା ଆଜି ପଦାକୁ ଆସିବା ପରେ ରାଜଧାନୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

ଅଭିଯୋଗକାରୀ ଯୁବତୀଙ୍କ ଏତଲା ଅନୁସାରେ, ଦୀର୍ଘ ୧୫ବର୍ଷ ହେବ ସେ ପଟ୍ଟାମୁଣ୍ଡାଇରେ ପରିବାର ସହ ରହୁଛନ୍ତି। ତାଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଜଣେ ଗାଡ଼ି ଚାଳକ ଭାବେ କାମ କରୁଥିବା ବେଳେ ଏବେ ଆଳି ଥାନାକୁ ବଦଳି ହୋଇଛନ୍ତି। ତେବେ ୨୦୧୮ ମସିହାରୁ ତାଙ୍କ ବାପା ତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଛନ୍ତି। ଏ ସଂପର୍କ‌‌ରେ ଯୁବତୀଜଣଙ୍କ ନିଜ ମା’, ମାମୁ ଓ ଦାଦାଙ୍କୁ କହିଥିଲେ ହେଁ ପରିବାରଲୋକ ତାଙ୍କୁ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ। ଘର କଥା ବାହାରେ ପ୍ରଘଟ ନ କରିବାକୁ ସେମାନେ ତାଗିଦ୍‌ କରିଥିଲେ। ଏହି କଥାକୁ କେନ୍ଦ୍ର କରି ସୈତାନ୍‌ ବାପା ତାଙ୍କୁ ମାଡ଼ ମାରିବା ସହ ଦେହରେ ପେଜ ଢାଳି ଦେଇଥିଲା।

ଗତ ଅଗଷ୍ଟ ୧୫ତାରିଖରେ ପୁଣିଥରେ ତାଙ୍କ ବାପା ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବତୀଜଣଙ୍କ ନିରୁପାୟ ହୋଇ ଭୁବନେଶ୍ବର ଆସି ତାଙ୍କ ସାଙ୍ଗ ପାଖରେ ରହିଥିଲେ। ଅପରପକ୍ଷେ, ପରିବାରଲୋକ ତାଙ୍କୁ ଘରକୁ ଫେରି ଆସିବାକୁ ବାରମ୍ବାର ଧମକାଇଥିଲେ। ଶୀଘ୍ର ନ ଫେରିଲେ, ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଯୁବତୀଜଣଙ୍କ ଗତ ସେପ୍ଟେମ୍ବର ୭ତାରିଖରେ ଏ ସଂପର୍କରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଥିବାରୁ ମହିଳା ଥାନା ମାମଲାକୁ ପଟ୍ଟାମୁଣ୍ଡାଇ ଥାନାକୁ ସ୍ଥାନାନ୍ତର କରିଥିଲା। ପଟ୍ଟାମୁଣ୍ଡାଇ ଥାନା ପୁଲିସ ଗତ ୧୪ତାରିଖ ଦିନ ଦୁଷ୍କର୍ମ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର