ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ୍‌

ବିଦେଶୀ ଖେଳାଳିଙ୍କ ସୁରକ୍ଷା ଚ୍ୟାଲେଞ୍ଜ୍‌

ହକି ବିଶ୍ବକପ ସମୟରେ ବିଦେଶୀ ଖେଳାଳି ଓ ବିଦେଶୀଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ବିଦେଶୀ ଖେଳାଳିଙ୍କ ପାଇଁ ୧୮୦ ଜଣ ଯବାନଙ୍କୁ ପିଏସ୍‌ଓ ଭାବେ ନିଯୁକ୍ତି ଦିଆଯିବ। ସେମାନେ ଦିନ ରାତି ୨୪ ଘଣ୍ଟା ସେମାନଙ୍କ ସହ ରହିବେ। ସେମାନଙ୍କୁ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ତାଲିମ ଦିଆସରିଛି। ସେମାନେ ବିଦେଶୀ ଖେଳାଳିଙ୍କୁ କେମିତି ବ୍ୟବହାର କରିବେ, କଥାବାର୍ତାରେ ଶା‌ଳୀନତା ରଖିବେ, ମାର୍ଜିତ ବ୍ୟବହାର କରିବେ ଏ ସମ୍ପର୍କରେ ବୁଝାଇ ଦିଆଯାଇଛି। ବିମାନବନ୍ଦରଠାରୁ ପିଏସ୍‌ଓ ସେମାନଙ୍କ ସହିତ ରହିବେ। ପାକିସ୍ତାନ ଖେଳାଳିଙ୍କୁ ସ୍ବତନ୍ତ୍ର ଭାବେ ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କୁ ପିଏସ୍ଓ ଯୋଗାଇ ଦିଆଯିବା ସହିତ ସ୍ବତନ୍ତ୍ର ଭାବେ ସେମାନଙ୍କ ଉପରେ ଗୁଇନ୍ଦା ବିଭାଗ ନଜର ରଖିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଆସିବେ ଏନ୍‌ଏସ୍‌ଜି ଟିମ
ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଏନ୍‌ଏସ୍‌ଜି ଟିମ୍, ଏସ୍ଓଜି ଟିମ ଓ କମିସନରେଟ୍‌ ପୁଲିସର ଆଣ୍ଟିଟେରୋରିଷ୍ଟ ସ୍କ୍ବାଡ୍‌ ମୁତୟନ ହେବେ। ଏହା ଛଡ଼ା ସହରର ବିଭିନ୍ନ ସ୍ଥାନରେ ଏସ୍‌ଓଜି ଯବାନ ମଧ୍ୟ ରହିବେ।

ଷ୍ଟାଡିୟମ୍‌ ଉପରେ ବୁଲିବ ଡ୍ରୋନ୍‌ କ୍ୟା‌ମେରା
ଉଦଘାଟନୀ ଉତ୍ସବ ଓ ବିଶ୍ବକପ ହକି ବେଳେ ଡ୍ରୋନ୍‌ କ୍ୟାମେରା କଳିଙ୍ଗ ଷ୍ଟାଡିୟମ ଚାରିପଟେ ଚକ୍କର କାଟିବ। ଉତ୍ତୋଳନ କରୁଥିବା ସମସ୍ତ ଭିଡିଓ ପୁଲିସ କଂଟ୍ରୋଲ ରୁମକୁ ପଠାଇ ଦିଆଯିବ। ଏହା ଉପରେ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ନଜର ରଖିବ। କେଉଁଠି କିଛି ସନ୍ଦେହପୂର୍ଣ୍ଣ ଘଟଣା ଘଟିଲେ, ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ଏହାଛଡ଼ା ଆବଶ୍ୟକ ପଡ଼ିଲେ ହେଲିକପ୍ଟର୍‌ ଚକ୍କର କାଟିବା ସହିତ ବାୟୁସେନାକୁ ସତର୍କ ରଖାଯିବ।

ଗୁଗୁଲ ମ୍ୟାପ୍‌ରେ ରହିବ କଳିଙ୍ଗ ଷ୍ଟାଡିୟମ୍‌
ଦେଶବିଦେଶରୁ ଆସୁଥିବା ଦର୍ଶକ ଯେପରି କଳିଙ୍ଗ ଷ୍ଟାଡିୟମ୍‌ ଯିବାକୁ ସମସ୍ୟ‌ାରେ ନ ପଡ଼ିବେ ସେଥି ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗୁଗୁଲ ମ୍ୟାପ୍‌ରେ ଷ୍ଟାଡିୟମ୍‌ ସମ୍ପର୍କିତ ସମସ୍ତ ସୂଚନା ରଖାଯାଇଛି। ସ୍ମାର୍ଟଫୋନ୍‌ରେ ଗୁଗୁଲ ମ୍ୟାପକୁ ଯାଇ କଳିଙ୍ଗ ଷ୍ଟାଡିୟମ୍‌ ସର୍ଚ କଲେ ସଂପୂର୍ଣ୍ଣ ତଥ୍ୟ ମିଳି ପାରିବ। କେଉଁ ରାସ୍ତାରେ ଗଲେ ଷ୍ଟାଡିୟମ୍‌ରେ ପହଞ୍ଚି ହେବ, ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି।

ଆଉ ମାତ୍ର ୫ ଦିନ ପରେ ଆରମ୍ଭ ହେବ ହକି ବିଶ୍ବକପ। ୧୬ଟି ଦେଶର ଖେଳାଳି ସେମାନଙ୍କ ସମର୍ଥକ ଭୁବନେଶ୍ବରରେ ପହଞ୍ଚିବା ଆରମ୍ଭ କଲେଣି। ଦକ୍ଷିଣ ଆଫ୍ରିକା, ଚୀନ, ଫ୍ରାନ୍ସ, ଆର୍ଜେଣ୍ଟିନା ଖେଳାଳିମାନେ ଏବେ ଭୁବନେଶ୍ବରରେ। ଖେଳାଳି ଓ ବିଦେଶୀ ଦର୍ଶକଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। ଏଥିପାଇଁ ପାଖାପାଖି ୭୫ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୩ଶହ ଅଫିସର, ୨୫ ଜଣ ଏଡିସପି, ଏସିପି, ୩୦ଜଣ ଇନ୍ସପେକ୍ଟର, ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍, ବୋମା ନିଷ୍କ୍ରିୟକାରୀ ଦଳ, ସ୍ପେସାଲ ବ୍ରାଞ୍ଚ ଅଧିକାରୀ, ଏସ୍ଓଜି, କ୍ୟୁଆର୍‌ଟି, ସାଦା ପୋଷାକଧାରୀ ପୁଲିସ ଆଦି ନିୟୋଜିତ ହେବେ। ଅସ୍ଥାୟୀ ଭାବେ କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ପୁଲିସ କଂଟ୍ରୋଲ ରୁମ୍‌ ମଧ୍ୟ ଖୋଲିବ।

କେଉଁ ଗେଟରେ କିଏ ଯିବେ
କଳିଙ୍ଗ ଷ୍ଟାଡିୟମ୍‌ରେ ସମୁଦାୟ ୯ଟି ଗେଟ୍‌ ରହିଛି। ୯ ନମ୍ବର ଗେଟ୍‌ରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ଯିବାର ବ୍ୟବସ୍ଥା ଥିବା ବେଳେ ୨ ନମ୍ବର ଗେଟ୍‌ରେ ପାସ୍‌ଧାରୀ, ଗଣମାଧ୍ୟମ ପ୍ରତିନିଧି, ମ୍ୟାଚ୍‌ ଅଫିସିଆଲ୍‌ ଯିବା ପାଇଁ ସ୍ଥିର ହୋଇଛି। ସେହିପରି ୪ ନମ୍ବର ଗେଟ୍‌ରେ ଖେଳାଳି ପ୍ରବେଶ କରିବେ। ଅନ୍ୟ ଗେଟଗୁଡ଼ିକରେ ସାଧାରଣ ଲୋକ ପ୍ରବେଶ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

କେଉଁଠି କରିବେ ଗାଡ଼ି ପାର୍କିଂ
ଉଦଘାଟନୀ ଉତ୍ସବ ଓ ଖେଳ ସମୟରେ କଳିଙ୍ଗ ଷ୍ଟାଡିୟମ୍‌କୁ ଆସୁଥିବା ଗାଡି ମୋଟର ଜନତା ମଇଦାନ, ନ୍ୟୁ ଏଜି କଲୋନି, ନିକୋପାର୍କ, ୪ ନମ୍ବର ଖେଳ ପଡ଼ିଆ, ରିଜିଓନାଲ ପଡ଼ିଆ, ବେହେରା ସାହି, ସିପିଡିଓ କଲୋନିରେ କାର ଓ ବାଇକ ପାର୍କିଂ କରି‌ବେ। କାର ପାଇଁ ପାର୍କିଂ ଫି ୫୦ ଟଙ୍କା ଥିବା ବେଳେ ବାଇକ୍ ୨୫ଟଙ୍କା ରହିଛି। ଜନତା ମୈଦାନରେ ପାର୍କିଂ ମାଗଣା ହେବ।
ପଡ଼ିଆ ଭିତରକୁ ପାଣି ବୋତଲ ଓ ଦିଆସିଲି ମନା କଳିଙ୍ଗ ଷ୍ଟାଡିୟମ୍‌ ଭିତରକୁ କୌଣସି ଦର୍ଶକ ପାଣି ବୋତଲ, ଦିଆସିଲି, ଲାଇଟର୍‌, ଛୋଟ ଛୁରି ଆଦି ନେଇପାରିବେ ନାହିଁ। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ଅଗ୍ନିଶମ ବିଭାଗ ବି ପ୍ରସ୍ତୁତ
ହକି ବିଶ୍ବକପ ବେଳେ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବ। ଅଗ୍ନିଶମ ବିଭାଗର ଦୁଇଟି ୟୁନିଟ ପଡ଼ିଆ ବାହା‌ରେ ପ୍ରସ୍ତୁତ ହୋଇ ରହିବେ। ଦମକଳ ଗାଡି ପଡ଼ିଆ ନିକଟରେ ହିଁ ରହିବ। ୩୦ ଜଣ ଆଗ୍ନିକ ପ୍ରାଥମିକ ପର୍ଯ୍ୟାୟରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ମୁତୟନ ହେବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

ବିଳମ୍ବିତ ରାତି ଯା‌ଏ ଖୋଲିବ ବାର୍‌
ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ବାର ଓ ରେସ୍ତୋରାଁକୁ ବିଳମ୍ବିତ ରାତି ଯାଏ ଖୋଲିବାକୁ ସ୍ଥିର କରାଯାଇଛି। ଯାହା‌ ସୂଚନା ମିଳିଛି ରାତି ପ୍ରା‌ୟ ସାଢ଼େ ୧ଟା ଯାଏ ବାର ଓ ରେସ୍ତୋରାଁ ଖୋଲା ରହିବ। ପୂର୍ବରୁ ଏହା ରାତି ୧୨ଟାଏ ଯାଏ ଖୋଲା ରହୁଥିଲା। ହକି ବିଶ୍ବକପ ପରେ ପୁଣି ପୁରୁଣା ନିୟମ ଅନୁଯାୟୀ ବାରଗୁଡ଼ିକ ଖୋଲା ରହିବ।

ସମ୍ବନ୍ଧିତ ଖବର