ସଂକ୍ରମିତଙ୍କ ଦେବଦୂତ: ଜଳ ଯୋଗାଣ ଓ ଶବ ସତ୍କାରର ସାଥୀ ଶିବ

ପୁରୁଣା ଭୁବନେଶ୍ୱର : କଥାରେ ଅଛି ‘ଜଳଦାନ ମହତ୍‌ ପୁଣ୍ୟ, ଓ ମଶାଣିରେ ସାଙ୍ଗରେ ଠିଆ ହୋଇଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ’। କଥାଟି ପୁରୁଣା ଭୁବନେଶ୍ବର ଅଞ୍ଚଳର ଶିବଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଚର୍ଚ୍ଚା ହେଉଛି। କାରଣ ସେ ଏହି ଦୁଇଟି ବିପଦରେ ଲୋକଙ୍କ ପାଖରେ ଦେବଦୂତ ଭଳି ଠିଆ ହେଉଛନ୍ତି। ଖରା ସହ ତାଳ ଦେଇ କରୋନା ସଂକ୍ରମଣ ବଢ଼ି ଚାଲିଛି। ଏଭଳି ସଂକଟ କାଳରେ ପୁରୁଣା ଭୁବନେଶ୍ବରର କିଛି ଅଞ୍ଚଳରେ ପ୍ରତିବର୍ଷ ଭଳି ଉତ୍କଟ ଜଳାଭାବ ଲୋକଙ୍କୁ ବିଷମ ସ୍ଥିତିରେ ପକାଇଛି। ସାଧାରଣ ଜଳଯୋଗାଣ ବ୍ୟବସ୍ଥାରୁ ସଂକ୍ରମିତ ପରିବାର ପାଣି ପାଇବାରେ ସମସ୍ୟା ହେଉଛି। କିନ୍ତୁ ଏଭଳି ଦୁଃସ୍ଥିତିରେ ଏକାମ୍ର କ୍ଷେତ୍ର ବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଞ୍ଚଳରରେ ବହୁ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଶିବ। ନିଜ ବ୍ୟୟରେ ଟ୍ୟାଙ୍କର୍‌ଟିଏ ସାଙ୍ଗରେ ଧରି ସେ ଜଳାଭାବରେ ଛଟପଟ ହେଉଥିବା ଘର ଘର ବୁଲି ଜଳ ଯୋଗାଣ କରୁଛନ୍ତି। କେବଳ ସେତିକି ନୁହେଁ, କରୋନା ବେଳେ ଅଣଆକ୍ରାନ୍ତ ଶବ ଦାହ ପାଇଁ ମଧ୍ୟ ଆତ୍ମୀୟସ୍ବଜନ ମିଳୁ ନଥିବା କ୍ଷେତ୍ରରେ ଶିବ ନିଜ କାନ୍ଧ ଲଗାଇ ମଶାଣିରେ ଠିଆ ହେଉଛନ୍ତି।

ପ୍ରତିବର୍ଷ ଖରା ସମୟରେ ପୁରୁଣା ଭୁବନେଶ୍ୱରର ବିଭିନ୍ନ ସାହିରେ ପିଇବା ପାଣି ସମସ୍ୟା ଦେଖା ଦେବା କିଛି ନୂଆ କଥା ନୁହେଁ। ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ବି ଜଳ ଯୋଗାଣ କମ୍‌ ହେଉଥିବାରୁ ଲୋକଙ୍କୁ ଜଳାଭାବର ସମ୍ମୁଖୀନ ହେବାକୁ ପଡ଼େ। ଏବେ କରୋନା ସଂକ୍ରମଣ ଏହି କଷ୍ଟକୁ ବହୁଗୁଣିତ କରିଛି। ବିଶେଷକରି ସଂକ୍ରମିତ ପରିବାର ଏଥିପାଇଁ ବଡ଼ କଲବଲ ହେଉଛନ୍ତି। ସଙ୍ଗରୋଧ କାରଣରୁ ସେମାନେ ସାଧାରଣ ବ୍ୟବସ୍ଥାରୁ ପିଇବା ପାଣି ସଂଗ୍ରହ କରିପାରୁନାହାନ୍ତି। ସେହିଭଳି ଅନ୍ୟମାନେ ମଧ୍ୟ ସଂକ୍ରମିତ ପରିବାର ଲୋକଙ୍କୁ ଭୟ କରି ସ‌ାଧାରଣ ବ୍ୟବସ୍ଥା ଉପରେ ନିର୍ଭର କରିପାରୁନାହାନ୍ତି। ଏଭଳି କଷ୍ଟକର ସମୟ‌ରେ ଆ‌ଗେଇ ଆସିଛନ୍ତି ସ୍ଥାନୀୟ ଅଞ୍ଚଳର ସମାଜସେବୀ ଶିବପ୍ରସାଦ ବେହେରା। ନିଜ ଖର୍ଚରେ ଏକ ପାଣି ଟ୍ୟାଙ୍କର୍‌ କିଣିଛନ୍ତି। ଉକ୍ତ ଟ୍ୟାଙ୍କର୍‌ରେ ପାଣି ଆଣି ସାହି ସାହି ବୁଲି ଜଳାଭାବ ଭୋଗୁଥିବା ଲୋକଙ୍କୁ ଯୋଗାଉଛନ୍ତି। ସଂକ୍ରମିତ ପରିବାରଗୁଡ଼ିକ ପାଣି ଯୋଗାଇବା ପାଇଁ ସେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି, ଯେମିତି ବିନା ସଂସ୍ପର୍ଶରେ ସଂକ୍ରମିତ ପରିବାରକୁ ଜଳ ଯୋଗାଇ ହେବ। ଫଳରେ ସବୁ ବର୍ଗର ଲୋକେ ଶିବଙ୍କ ଜଳଯୋଗାଣ ପାଇଁ ଜଳକଷ୍ଟରୁ ମୁକ୍ତି ପାଇଥିବା ଚର୍ଚ୍ଚା ହେଉଛି। ସେହିଭଳି ସଂକ୍ରମିତ ପରିବାରର ଘରଦ୍ବାର ବିଶୋଧନ ବା ସାନିଟାଇଜ୍ କରିବା ପାଇଁ ଶିବ ବ୍ୟବସ୍ଥା କରିଛନ୍ତି। ନିଜ ବ୍ୟୟରେ ସେ ସ‌ାନିଟାଇଜ୍ ଉପକରଣ କିଣି ସଂକ୍ରମିତ ପରିବାରକୁ ଯୋଗାଉଛନ୍ତି।

ବଡ଼ କଥା ହେଉଛି, ଶବ ସତ୍କାରରେ ଶିବଙ୍କ ସହଯୋଗ। ଏବେ ‌କୋଭିଡ୍‌କୁ ଡରି ବହୁ ଲୋକ ପାଖ ପଡ଼ୋଶୀଙ୍କ ଅନ୍ତ୍ୟେଷ୍ଟିକ୍ରିୟ‌ାରେ ସାମିଲ୍ ହେଉନାହାନ୍ତି। ତେଣୁ କମ୍ ଆତ୍ମୀୟସ୍ବଜନ ଥିବା ଲୋକର ଶବ ସତ୍କାର ବେଳେ ସମସ୍ୟା ଉପୁଜୁଛି। କିନ୍ତୁ ଖବର ପାଇବା ମାତ୍ରେ ଶିବ ସେଭଳି ପରିବାର ନିକଟରେ ହାଜର ହୋଇଯାଉଛନ୍ତି ଓ ସହଯୋଗର ହାତ ବଢ଼ାଉଛନ୍ତି। ଆବଶ୍ୟକସ୍ଥଳେ ସେ ନିଜ ଖର୍ଚ୍ଚରେ ଶବଦାହ ପାଇଁ କାଠ କିଣାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ କରୁଛନ୍ତି। କରୋନା ସଂକ୍ରମଣର ଦ୍ବିତୀୟ ଲହର ପରଠାରୁ ସେ ପ୍ରାୟ ୧୦ଟି ଶବଦାହ କରିସାରିଲେଣି। ଶିବଙ୍କ କହିବା କଥା, ପୂର୍ବରୁ ସେ ଏକୁଟିଆ ଏହି କାମ କରୁଥିଲେ। କିନ୍ତୁ ଏବେ ଧୀରେଧୀରେ କିଛି ସହଯୋଗୀ ବି ତାଙ୍କ ସହ ହାତ ମିଳାଇଲେଣି। ତେଣୁ ତାଙ୍କ ଉତ୍ସାହ ବଢ଼ୁଛି। ଏମିତି ହେଲେ ସେମାନେ ମିଳିତ ଭାବେ ଅଧିକ ଲୋକଙ୍କୁ ସେବା ଯୋଗାଇ ପାରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର