ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ବିଭ୍ରାଟ ଟଳିଲା: ପଡ଼ିଲା ହାତଗଣ୍ଠି, ବର୍ଷା‌ରେ ବି କମ୍ପିଲା ଏକାମ୍ରକ୍ଷେତ୍ର

ପୁରୁଣା ଭୁବନେଶ୍ୱର : ଗତକାଲି ମଙ୍ଗଳକୃତ୍ୟ ବିଧି ହୋଇପାରିନଥିଲା। ଶନିବାର ଦିନ ତମାମ୍ ଲାଗିରହିଲା ଛକାପଞ୍ଝା। ମନ୍ଦିର ପ୍ରଶାସନ ଓ ସେବାୟତମାନେ ନିଜ ନିଜ ଜିଦ୍‌ରେ ଅଟଳ ରହିଲେ। ଯେଝା ବାଟରେ ଚାଲିଥିଲା ଘନଘନ ବୈଠକ। କିନ୍ତୁ କିଛି ନିଷ୍କର୍ଷ ବାହାରୁନଥିଲା। ଦିନ ବିତି ସଂଜ ବୁଡ଼ିଲା। ତଥାପି ବିବାଦର ଅନ୍ତ ହେବା ଭଳି ଆଶା ଦେଖାଗଲା ନାହିଁ। ପରିସ୍ଥିତି ଏମିତି ହେଲା ଯେ ଲାଗୁଥିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏତେ ବଡ଼ ପରମ୍ପରା ଭାଙ୍ଗିଯିବ। ବନ୍ଦ ହୋଇଯିବ ଦେବ ଦମ୍ପତିଙ୍କ ବିବାହ ପର୍ବ। ରାତି ୯ଟା ପର୍ଯ୍ୟନ୍ତ କିଛି ସମାଧାନ ନହେବାରୁ ଲୋକେ ପୂରା ଆଶା ଛାଡ଼ିଦେଇଥିଲେ। ସମଗ୍ର ଏକାମ୍ର କ୍ଷେତ୍ରରେ ଗୁମ୍‌ସୁମ୍ ପରିବେଶ। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଶଙ୍କା। କିନ୍ତୁ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳ କିଏ ରୋକିଥା’ନ୍ତା! ହଠାତ୍ ଆକାଶରେ ଘୋଟି ଆସିଲା ‌କାଳବୈଶାଖୀ ବର୍ଷା। ପବନ ସାଙ୍ଗକୁ ଗାଳିଲା ବର୍ଷା। ବର୍ଷାରେ ଧୋଇଗଲା ପ୍ରଶାସନ ଓ ସେବାୟତ ବିବାଦ। ୪୮ ଘଣ୍ଟା କାଳ ଧରି ଛିଣ୍ଡୁନଥିବା ବିବାଦ ମାତ୍ର କେଇ ମିନିଟ୍‌ରେ ସମାଧାନ ହୋଇଗଲା। ହଟିଲା ବିଭ୍ରାଟ ଓ ପଡ଼ିଲା ହାତଗଣ୍ଠି। ସଜ ମଙ୍ଗନ ଓ ସଜ ବିବାହ ହେଲା। ବର୍ଷା ସତ୍ତ୍ବେ ବିଳମ୍ବିତ ପର୍ଯ୍ୟନ୍ତ କମ୍ପିଲା ଏକାମ୍ର କ୍ଷେତ୍ର।

ସୂଚନାଯୋଗ୍ୟ, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କେତୋଟି ଦାବି ସମାଧାନ କରିବା ଦାବିରେ ପ୍ରଶାସନକୁ ଏହି ଦେବନୀତିରେ ଅସହଯୋଗ କରିବେ ବୋଲି ଜଣାଇଥିଲେ। କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇପାରିନଥିଲା। ତେଣୁ ସେମାନେ ଗତକାଲିଠାରୁ ଶୀତଳ ଷଷ୍ଠୀ ପର୍ବରେ ସାମିଲ୍ ହେଲେ ନାହିଁ। ଫଳରେ ଶିବ ବିବାହର ପ୍ରଥମ ବିଧି ମଙ୍ଗନ ହୋଇପାରିଲାନାହିଁ। ତେବେ ଆଜି ରାତି ୯ଟା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କଲା। ରାତି ସାଢ଼େ ୮ଟା ପରଠାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ଓ ଉପଜିଲ୍ଲାପାଳ ଦେବବ୍ରତ ସାହୁ ସମାଧାନ ପାଇଁ ଘନଘନ ଉଦ୍ୟମ କଲେ। ସେମାନେ ବ୍ରାହ୍ଣଣ ନିଯୋଗ ସମ୍ପାଦକ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରି ଆଲୋଚନା କଲେ। ଜୁନ୍‌ ୧୭ ସୁଦ୍ଧା ହାଇକୋର୍ଟଙ୍କ ନିର୍ଦେଶ ପାଳନ କରାଯାଇ କପିଳନାଥ ମନ୍ଦିରରେ ନୀତି କରାଯିବ ବୋଲି ବୁଝାଇଲେ। ସେହିଭଳି ବେବନ୍ଦୋବସ୍ତରେ ସେବାୟତଙ୍କ ପାଖରୁ ଚାଲିଯାଇଥିବା ଜମି ଫେରାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହା ପରେ ଉଭୟ ସମ୍ପାଦକ ନିଜ ସେବାୟତ ସଭ୍ୟଙ୍କ ସହ ଆଲୋଚନା କରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ପରମ୍ପରା ରକ୍ଷା କରିବା ପାଇଁ ସହଯୋଗ କରିବେ ବୋଲି ଆଗେଇ ଆସିଥିଲେ। ତେବେ ଗତ ବର୍ଷ ପରି ପ୍ରଭୁ କପିଳନାଥଙ୍କ ଅନୁପସ୍ଥିତିରେ ପରମ୍ପରା ରକ୍ଷା କରାଯିବ ବୋଲି ଉଭୟପକ୍ଷ ନିଷ୍ପତ୍ତି ନେଇଥିଲେ। ସମସ୍ୟାର ସମାଧାନ ହୋଇଯିବା ମାତ୍ରେ ସବୁଆ‌ଡ଼େ ଖୁସିର ଲହରୀ ଖେଳିଯାଇଥିଲା। ଶିବ ବିବାହ ନୀତି ହେବ ବୋଲି ଖବର ପ୍ରଚାରିତ ହେବା ପରେ ପରେ ମନ୍ଦିର ନିକଟକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲ। ଶିବ ବିବାହ କମିଟି ପକ୍ଷରୁ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା।

ସେବାୟତମାନେ ପ୍ରଥମ‌େ ମଙ୍ଗନ ବିଧି ପାଳନ କରିଥିଲେ। ଗତକାଲି ସନ୍ଧ୍ୟାରୁ ଅଟକି ରହିଥିବା ସମସ୍ତ ନୀତି ମନ୍ଦିରରେ ଆରମ୍ଭ ହୋଇଥିଲା। ପ୍ରଥମେ ମାଘ ସ୍ନାନ ନୀତି କରାଯାଇଥିଲା। ବର୍ଷା ଚାଲିଥିବା ସତ୍ତ୍ବେ ବିଳମ୍ବିତ ରାତିରେ ଏକାମ୍ର କ୍ଷେତ୍ରର ଅଷ୍ଟଚଣ୍ଡୀଙ୍କୁ ବିଧି ଅନୁସାରେ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ବରବେଶରେ ସଜାଇ ପ୍ରଭୁଙ୍କୁ ସୁସଜ୍ଜିତ ବିମାନରେ କେଦାରଗୌରୀ ମନ୍ଦିରକୁ ନିଆଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳୀ, ତୂରୀ, ଦୁନ୍ଦୁଭି ଓ ଶଙ୍ଖ ଆଦି ପାରମ୍ପରିକ ବାଦ୍ୟ ସାଙ୍ଗକୁ ବିମାନ ସମ୍ମୁଖରେ ଛତ୍ର, ଛତ୍ରୀ ଓ ତ୍ରାସ ଆଦି ସାଜସଜା ଉପକରଣ ବରଯାତ୍ରୀ ଶୋଭାଯାତ୍ରାର ଶୋଭାବର୍ଦ୍ଧନ କରିଥିଲା। ସେହିଭଳି ବାଜା, ବାଣ ଓ ରୋଶଣୀ ମଧ୍ୟ ବରଯାତ୍ରୀ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା। କେଦାରଗୌରୀ ମନ୍ଦିରରେ ବିଧି ମୁତାବକ ଶ୍ରୀଲିଙ୍ଗରାଜଙ୍କୁ ତଥା ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଳମ୍ବିତ ରାତିରେ ପଡ଼ିଥିଲା ଦେବ ଦମ୍ପତିଙ୍କ ହାତଗଣ୍ଠି।

ସମ୍ବନ୍ଧିତ ଖବର