ସମସ୍ୟା ଘେରରେ ସୀତାନାଥ ଓ ରେଲୱେ କଲୋନି ବିଦ୍ୟାଳୟ: ବିପଜ୍ଜନକ କୋଠା ସାଙ୍ଗକୁ ନାହିଁ ମୌଳିକ ସୁବିଧା

ଚନ୍ଦ୍ରଶେଖରପୁର: ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟା ଓ ଶିକ୍ଷକ ନିଯୁକ୍ତି ମଧ୍ୟ ଚାଲିଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ଲୋକଦେଖାଣିଆ ଭାବେ ମାତ୍ର କେ‌ତୋଟି ହାତଗଣତି ବିଦ୍ୟାଳୟକୁ ଚକ୍‌ଚକ୍ କରାଯାଉଛି। କିନ୍ତୁ ଆହୁରି ହଜାର ହଜାର ବିଦ୍ୟାଳୟ ଅବସ୍ଥା ବଡ଼ ଶୋଚନୀୟ ହୋଇରହିଛି। ଖୋଦ୍ ରାଜଧାନୀରେ ଏମିତି ଶହଶହ ବିଦ୍ୟାଳୟ ରହିଛି। ଭୁବନେଶ୍ବର ରେଲୱେ କଲୋନି ବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରେ। ଉଭୟ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଦେଖିଲେ, ସରକାରଙ୍କ ବ୍ୟବସ୍ଥା କିଭଳି ଲୋକଦେଖାଣିଆ ସହଜରେ ଅନୁମାନ କରାଯାଇପାରେ। ଦୀର୍ଘ ବର୍ଷ ଧରି ମରାମତି ହୋଇନଥିବା ଏହି ବିଦ୍ୟାଳୟର କୋଠା ‌ବିପଦସଂକୁଳ ଅବସ୍ଥାରେ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଲାଗି ମୌଳିକ ସୁବିଧା କିଛି ନାହିଁ କ‌ହିଲେ ଭୁଲ୍‌ ହେବ ନାହିଁ।

ରେଲୱେ କଲୋନି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅବସ୍ଥା ସମାନ। ଏଠାରେ ଗୋଟିଏ କ୍ୟାମ୍ପସ୍ ଭିତରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ୫୩୭ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏଥିପାଇଁ ସମୁଦାୟ ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ୧୯୮୭ ମସିହାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଓ ୧୯୯୩ ମସିହାରେ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ମାତ୍ର ପରିତାପର କଥା ସେହି ପୁରୁଣା କୋଠାରେ ଚାଲିଛି ବିଦ୍ୟାଳୟ। ସେବେଠୁ ବିଦ୍ୟାଳୟର କୌଣସି ଶ୍ରେଣୀଗୃହ ବା କାର୍ଯ୍ୟାଳୟ ମରାମତି କରାଯାଇନାଁହି। ଦୀର୍ଘ ୪୫ବର୍ଷର ଏହି ପୁରୁଣା କୋଠାର ଛାତରୁ ପ୍ଲାଷ୍ଟର ବା କଂକ୍ରିଟ୍‌ ଖସିଲାଣି। ଫଳରେ କଳଙ୍କି ଲଗା ଲୁହା ରଡ୍ ବାହାରକୁ ଦେଖାଯାଉଛି। ତୁରନ୍ତ ମରାମତି ନହେଲେ କେତେବେଳେ ବି କିଛି ଅଘଟଣ ଘଟିବାର ଆଶଙ୍କା ରହିଛି। ମାତ୍ର ଅନ୍ୟ ବିକଳ୍ପ ନଥିବାରୁ ସେହି ବିପଦସଂକୁଳ ଶ୍ରେଣୀଗୃହରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ବିଦ୍ୟାଳୟ ପରିସର କଥା ବି କିଛି କମ୍ ନୁହେଁ। କରୋନା ପାଇଁ ଦୀର୍ଘ ମାସ ଧରି ବିଦ୍ୟାଳୟ ବନ୍ଦ ହୋଇଥିବା କାରଣରୁ ଏବେ ପରିସର ଜଙ୍ଗଲ ପାଲଟି ଯାଇଛି। ବଡ଼ ସମସ୍ୟା ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି, ଶୌଚାଳୟ ବ୍ୟବସ୍ଥା ବଡ଼ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବାଳକ ଓ ବାଳିକା ଶୌଚାଳୟ ଦୀର୍ଘ ଦିନ ହେଲା ଚାବି ପଡ଼ି ବନ୍ଦ ରହିଛି। ତେଣୁ ଏଥିପାଇଁ ପିଲାମାନେ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି। କରୁଛନ୍ତି। ଖେଳପଡ଼ିଆ ନଥିବାରୁ ପିଲାମାନେ ଖେଳିବାରୁ ବଞ୍ଚିତ ହେଉଛନ୍ତି।

ସେହିଭଳି ଶୈଳଶ୍ରୀବିହାରସ୍ଥିତ ସୀତାନାଥ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇରହିଛି। ବ୍ଲକ୍‌ ଗ୍ରାଣ୍ଟ ପାଉଥିବା ଏହି ବିଦ୍ୟାଳୟରେ ପ୍ରାୟ ୪ଶହ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କେବଳ ଦଶମ ଶ୍ରେଣୀରେ ୭୦ ଛାତ୍ରଛାତ୍ରୀ। ଏଠାରୁ ପ୍ରତିବର୍ଷ ଭଲ ମାର୍କ ରଖି ଛାତ୍ରଛାତ୍ରୀମାନେ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ୨୯ବର୍ଷ ପରେ ବି କୌଣସି ଅନୁଦାନ ପାଉ ନାହିଁ। ପୂର୍ବତନ କର୍ପୋରେଟର୍‌ ସ୍ବର୍ଗତ ସୀତାନାଥ ଜେନାଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏହା ପରଠାରୁ ଏଥିପ୍ରତି କାହାର ନିଘା ନାହିଁ। ବ୍ଲକ୍‌ ଗ୍ରାଣ୍ଟ ବିଦ୍ୟାଳୟ ହୋଇଥିବାରୁ ସରକାରୀ ଅନୁଦାନ ମିଳୁନି। ତେବେ ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଅନୁଦାନ ମିଳିବା ବିଧି ଥିଲେ ବି କେହି ନଜର ଦେଉନାହାନ୍ତି। ଫଳରେ ପାଚେରି ଅଧା ହୋଇପଡ଼ିଛି। ବିଦ୍ୟାଳୟ ଜମିକୁ କିଛି ଅସାମାଜିକ ଲୋକ ଜବରଦଖଲ କରି ନେଲେଣି। ଏଠାରେ ପାନୀୟ ଜଳର ବ୍ୟବସ୍ଥା କହିଲେ ନଳକୂଅଟିଏ ଅଛି। ମାତ୍ର ମରାମତି ଅଭାବରୁ ସେଥିରୁ ପାଣି ବାହାରୁନାହିଁ। ସେହପରି କ୍ୟାମ୍ପସ୍ ସାରା ବଣଜଙ୍ଗଲ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଏଠାରେ ବଡ଼ ଅସ୍ବାସ୍ଥ୍ୟକର ପରିବେଶରେ ପଢ଼ୁଛନ୍ତି।

ସମ୍ବନ୍ଧିତ ଖବର