ପେଟ୍ରୋଲ ପମ୍ପ୍‌ରେ ଗାଡ଼ିରୁ ବାହାରିଲା ଧୂଆଁ: ଅଳ୍ପକେ ବର୍ତ୍ତିଲା ‌ଲୋକସେବା ଭବନ

ଭୁବନେଶ୍ବର: ରାଜଭବନ ପରେ ଅଳ୍ପକେ ରକ୍ଷା ପାଇଯାଇଛି ଲୋକ ସେବା ଭବନ। ଆଜି ମଧ୍ୟାହ୍ନରେ ଲୋକ ସେବା ଭବନ ପଛପଟେ ଥିବା ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ଆସିଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଇଞ୍ଜିନ୍‌ରୁ ଧୂଆଁ ବାହାରିବାରୁ ରାଜଭବନ କଡ଼ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ପରିସ୍ଥିତି ଏଠାରେ ପୁନରାବୃତ୍ତି ହେବାକୁ ଯାଉଥିଲା। ତେ‌ବେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଇଞ୍ଜିନ୍‌ରୁ ବାହାରୁଥିବା ଧୂଆଁକୁ ଆୟତ୍ତ କରାଯାଇଥିବାରୁ ବଡ଼ ଅଘଟଣ ଘଟିବା ପୂର୍ବରୁ ଥମି ଯାଇଥିଲା। ତେବେ ଗାଡ଼ିଟି ଦ୍ରୁତଗତିରେ ଟାଙ୍କିରୁ ବାହାରି ଆସୁଥିବା ବେଳେ ବ୍ରେକ୍‌ ଫେଲ୍‌ ହେବାରୁ ଜଣେ ଲୋକ ଉପରେ ଚଢ଼ି ଯିବା ସହ ଟାଙ୍କି ପାଚେରିରେ ପିଟି ହୋଇଯାଇଥିଲା।

ଏନେଇ ଆହତ ହୋଇଥିବା ଯୁବକ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ତଥା ଆହତ ଯୁବକ କାଳନ୍ଦୀ ବେହେରା ବୋଲି ପୁଲିସ କହିଛି। ପୁଲିସ ସୂଚନା ମୁତାବକ, ଆଜି ଅପରାହ୍ନରେ ଲୋକସେବା ଭବନ ପଛରେ ଥିବା ପେଟ୍ରୋଲ ଟାଙ୍କିକୁ ଏକ କାର୍‌(ଓଡି ୦୫ କ୍ୟୁ ୩୯୮୮) ନେଇ ଜଣେ ଯୁବକ ତେଲ ପକାଇବାକୁ ଆସିଥିଲେ। ତେଲ ପକାଇ ସାରି ବାହାରୁଥିବା ବେଳେ ଇଞ୍ଜିନ ଭିତରୁ ଧୂଆଁ ବାହାରିଥିଲା। ସେ ଛାନିଆ ହୋଇ ଯଥାଶୀଘ୍ର ଟାଙ୍କିରୁ ବାହାରି ଆସିବା ପାଇଁ ଚାହିଥିଲେ। ଧାଡ଼ିରୁ ବାହାରି ବାହାରକୁ ଆସିବା ବେଳେ ଗାଡ଼ିର ବ୍ରେକ୍‌ ଫେଲ୍‌ ହୋଇ ଯାଇଥିଲା। ଫଳରେ ଗାଡ଼ି ବାହାରକୁ ନ ଆସି ପାରି ସିଧା ଡିଭାଇଡର ଚଢ଼ି ପାଚେରିରେ ପିଟି ହୋଇ ଯାଇଥିଲା। ଏଭଳି ଅଚାନକ ଦିଗ ପରିବର୍ତ୍ତନ କରି ମାଡ଼ି ଯିବାରୁ ସେଠାରେ ଛିଡ଼ା ହୋଇଥିବା କାଳନ୍ଦୀ ବେହେରାଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। କର୍ମଚାରୀମାନେ ପ୍ରସ୍ତୁତ ଥିବାରୁ ଫାୟାର ଏଷ୍ଟିଙ୍ଗ୍ୟୁସର ଜରିଆରେ ନିଆଁ ଜଳିବା ପୂର୍ବରୁ ଲିଭାଇ ଦେଇଥିଲେ। ଅଗ୍ନିକାଣ୍ଡ ଘଟିଥିଲେ ହୁଏତ ବଡ଼ ଅଘଟଣ ଘଟିଥା’ନ୍ତା ବୋଲି କୁହାଯାଉଛି। ଏ ନେଇ କାଳନ୍ଦୀ ଅଭିଯୋଗ କରିବା ପରେ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର