ଚିରାଚରିତ ଧାରାରୁ ଊର୍ଦ୍ଧ୍ବରେ ‘କେହି ନୁହେଁ କିଛି ନୁହେଁ’: ଶାନ୍ତନୁ

ଶ୍ରୀକାନ୍ତ ମିଶ୍ରଙ୍କ ଉପନ୍ୟାସ ଉନ୍ମୋଚନ ଉତ୍ସବ

ଭୁବନେଶ୍ବର: ଇତିହାସ ଓ ପୂର୍ବରୁ ରଚନା ହୋଇଥିବା ଉପନ୍ୟାସର ସ୍ରୋତ ସବୁବେଳେ ପ୍ରବହମାନ ନଦୀ ଭଳି ଊର୍ଦ୍ଧ୍ବରୁ ନିମ୍ନାଭିମୁଖୀ ହୋଇଥାଏ। ହେଲେ ଚିରାଚରିତ ଢଙ୍ଗରୁ ଉପରକୁ ଯାଇ ଏହି ପୁସ୍ତକ ନିମ୍ନରୁ ଊର୍ଦ୍ଧ୍ବାଭିମୁଖୀ ହୋଇଛି। ଓଡ଼ିଆ ସାହିତ୍ୟରେ ଉପନ୍ୟାସର ଧାରା ବଦଳାଇବାରେ ଶ୍ରୀକାନ୍ତ ମିଶ୍ରଙ୍କ ଏହି ଉପନ୍ୟାସ ସଫଳ ହୋଇପାରିଛି। ମାତ୍ର ଦୁଇ ତିନିଜଣ ଚରିତ୍ରକୁ ନେଇ ଏହି ଉପନ୍ୟାସର ମୌଳିକ ଚରିତ୍ର ଗଠନ କରଯାଇଛି। ଜଣେ କେନ୍ଦ୍ରମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ଚରିତ୍ର ଅବତାରଣା କରିବାର ସାହସିକ ପଦକ୍ଷେପ ଲେଖକ ନେଇଛନ୍ତି।

ଏଥିରେ ଭାରତୀୟ ଦର୍ଶନର ମୂଳବାଦ ପରିଲକ୍ଷିତ ହୋଇଛି। ‘ସୁଭଦ୍ରା ଯୋଗମାୟା ଫାଉଣ୍ଡେସନ ଟ୍ରଷ୍ଟ୍‌’ ଆନୁକୂଲ୍ୟରେ କବି ତଥା ଲେଖକ ଶ୍ରୀକାନ୍ତ ମିଶ୍ରଙ୍କ ପ୍ରଥମ ଉପନ୍ୟାସ ‘କେହି ନୁହେଁ କିଛି ନୁହେଁ’ର ଉନ୍ମୋଚନ ଉ‌ତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଆଜି ଏହା କହିଛନ୍ତି।

ସ୍ବସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶ୍ରୀ ମିଶ୍ର ପ୍ରଥମ କରି ଏକ ସୁଖପାଠ୍ୟ ଗଦ୍ୟ ଲେଖିଛନ୍ତି। ଯାହା ବିଶେଷ ପାଠକାଦୃତି ପାଇବ ବୋଲି ମୁଁ ଆଶା କରୁଛି। ଏଥିରେ ସେ ନିଜ ଜୀବନର ଅତୀତର ଦାରିଦ୍ର୍ୟରୁ ବର୍ତ୍ତମାନର ସଫଳତା‌ ବିଷୟରେ ଅନେକ କିଛି ଲେଖିଛନ୍ତି। ବିଶେଷକରି ତାଙ୍କ ଆତ୍ମଜୀବନୀ, ନିଜସ୍ବ ଅଭିଜ୍ଞତା ଏଥିରେ ପ୍ରତିଫଳିତ ହୋଇଛି। ଏହାକୁ ପଢ଼ିବା ଦ୍ବାରା ଜଣେ ଡିଗ୍ରିଧାରୀ ସ୍ବପ୍ନଦ୍ରଷ୍ଟା ଦିଶାହୀନ ଯୁବକ ଠିକ୍‌ ରାସ୍ତା ପାଇପାରିବ। ଏହାସହ ସମକାଳୀନ ରାଜନୈତିକ ଦୃଶ୍ୟପଟ୍ଟରେ ଏଭଳି ଏକ ସମାଲୋଚନାଧର୍ମୀ ପୁସ୍ତକ ବିଶେଷ ଗୁରୁତ୍ବ ବହନ କରୁଛି ବୋଲି ସେ କହିଥିଲେ।

ଦିଶାହୀନ ଯୁବକ ପାଇଁ ପ୍ରେରଣାର ଉତ୍ସ ହେବ: ସୌମ୍ୟ

ଅନ୍ୟତମ ଅତିଥି ଜଷ୍ଟିସ୍‌ ବୀରକିଶୋର ମିଶ୍ର କହିଲେ, ସଂସାର ଓ ପରିବାର ସମାଜରେ ତିଷ୍ଠିବାକୁ ହେଲେ ପଢ଼ିବା ଆବଶ୍ୟକ। ଏହାସହ ଶ୍ରୀ ମିଶ୍ର ଏହି ପୁସ୍ତକ ରଚନା ଏକ ସାହସିକ ପଦକ୍ଷେପ ବୋଲି କହିଥିଲେ। ଲେଖକ ଶ୍ରୀକାନ୍ତ ମିଶ୍ର ନିଜ ଲେଖକୀୟ ବକ୍ତବ୍ୟରେ କହିଲେ, ମୋ ସଂଘର୍ଷମୟ ଜୀବନରୁ ହିଁ ଏହି ପୁସ୍ତକ ଲେଖିବାର ପ୍ରେରଣା ମୋତେ ମିଳିଛି। ‘ଅପୂର୍ବା’ ପ୍ରକାଶନୀ ସଂସ୍ଥାର ପ୍ରକାଶକ କ୍ଷୀରୋଦ ଚନ୍ଦ୍ର ପତି ମଞ୍ଚାସୀନ ଥିଲେ।
ଲେଖକଙ୍କ ସୁପୁତ୍ର ଅନୁଭବ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସୋନାଲି ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ସ୍ନାୟୁ‌ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର, ଡାକ୍ତର ମନୋଜ ସାହୁ, ସ୍ତ୍ରୀ ଓ ପ୍ରସୂତି ରୋଗ ବି‌ଶେଷଜ୍ଞ ଡାକ୍ତର ଏସ୍‌.ଏନ୍‌ ମହାନ୍ତି, ଭେଷଜ ବିଭାଗ ଡାକ୍ତର ଚନ୍ଦନ ଦାସ, ସମାଜସେବୀ ସୁଜାତା ପ୍ରିୟଦର୍ଶିନୀ ନନ୍ଦ, ପଶୁପ୍ରେମୀ ସତିଷ୍ଣା ଧାୱନ୍‌, ସମାଜସେବୀ ପ୍ରତାପ ପ୍ରଧାନ, ଲେଖକ ମଞ୍ଜୁଲତା ତ୍ରିପାଠୀ, ଲେଖିକା ତଥା ସମାଜସେବୀ ସୁଭଦ୍ରା ମିଶ୍ରଙ୍କୁ ‘ଏକ୍ସିଲେନ୍ସି ଆୱାର୍ଡ’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର