ରାଜଧାନୀରେ ଛାତ୍ର ସଂଘର ବିକ୍ଷୋଭ

ଜେଏନୟୁ ହିଂସାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ ଦାବି

ଭୁବନେଶ୍ବର: ଦିଲ୍ଲୀସ୍ଥିତ ଜେଏନ୍‌ୟୁ ବିଶ୍ବବିଦ୍ୟାଳୟ‌ ହିଂସାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ କ୍ୟାମ୍ପସ ପରିସରରେ ସାମ୍ପ୍ରତିଦାୟିକତା ବନ୍ଦ କରିବା ଦାବିରେ ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଆଇଏସ୍ଏଫ୍, ଏନ୍ଏସ୍‌ୟୁଆଇ, ଏଆଇଏସ୍‌ବି ଓ ଏଆଇଏସ୍‌ଏ ଆଦି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷା, ନିଯୁକ୍ତି ଓ ଦରବୃଦ୍ଧି ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଆରଏସ୍ଏସ୍, ବିଜେପି ଓ ଏବିଭିପି ଦ୍ବାରା ଏପରି ହିଂସାକାଣ୍ଡ କରାଯାଇଛି। ଜେଏନ୍‌ୟୁ ଏକ ମୁକ୍ତ ଚିନ୍ତନ ବିଶ୍ବବିଦ୍ୟାଳୟ। ଏଠାରୁ ବହୁ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ ଓ ସର୍ବଭାରତୀୟ ଜନନେତା ତିଆରି ହୋଇଛନ୍ତି।

ନୋବେଲ୍ ବିଜେତା ଅଭିଜିତ୍ ବାନାର୍ଜୀ ମଧ୍ୟ ଏହି ବିଶ୍ବବିଦ୍ୟାଳୟର ଛାତ୍ର। କିନ୍ତୁ ସାଂପ୍ରଦାୟିକା ନାଁରେ ଏଠାରେ ବାରମ୍ବାର ହିଂସାକାଣ୍ଡ ଘଟିବା ଦ୍ବାରା ଛାତ୍ରଛାତ୍ରୀ ପ୍ରଭାବିତ ହେବା ସହ ବିଶ୍ବବିଦ୍ୟାଳୟର ଛବି ଖରାପ ହେଉଛି ବୋଲି ବିକ୍ଷୋଭକାରୀମାନେ କହିଥିଲେ।

ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଛାତ୍ର କଂଗ୍ରେସ ସଭାପତି ଓ୍ବାସିର ନଓ୍ବାଜ୍, ଏଆଇଏସ୍ଏର ମଧୁସୂଦନ ସେଠୀ, ଏଆଇଏସବିର ସନ୍ତୋଷ ନାୟକ, ଏଆଇଓ୍ବାଇଏଫ୍‌ର ଜ୍ୟୋତିରଂଜନ ମହାପାତ୍ର, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଜୟନ୍ତ ଦାସ, ସତୀଶ୍ ମିଶ୍ର, ଛାତ୍ରନେତ୍ରୀ ଶୁଭ୍ରାରାଣୀ ସାହୁ, ବିବେକ୍ କ୍ରିଷ୍ଣା, ହିତେଶ ମହାନ୍ତି, ଶାଶ୍ବତ ପତି, ପ୍ରକାଶ ମିଶ୍ର, ଗାୟତ୍ରୀ ନାୟକ, ସୁଭାଷ ପ୍ରଧାନ, ଲକ୍ଷ୍ମୀ ଆଜାଦ୍, ସୁବାଷ ଚନ୍ଦ୍ର ସାହୁ, ସୁନୀଲ ବଟୁ, ଭୁବନ ଚାନ୍ଦ ହାତୀ, ନଳିନୀକାନ୍ତ ନାୟକ, ଆକାଂକ୍ଷା ପରିଡ଼ା, ରଂଜନ କୁମାର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର