ଭୁବନେଶ୍ବର: ବର୍ଷାରେ ନିଜ ହକ ପାଇଁ ଲଢେଇ କଲେ ଛାତ୍ର ଛାତ୍ରୀ। ରାସ୍ତା ଉପରେ ଧାରଣାରେ ବସିଲେ। ପାଠପଢ଼ା ସମସ୍ୟା ଓ ଶିକ୍ଷକ ଅଭାବ ଭଳି ସ୍କୁଲର ସମସ୍ୟା ନେଇ ଛାତ୍ର ଛାତ୍ରୀମାନେ ଧାରଣ ଦେଇଛନ୍ତି। ରାଜ୍ୟର କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ରାଜଧାନୀରେ ସ୍କୁଲର ସମସ୍ୟା ନେଇ ଢୋ ଢୋ ବର୍ଷାରେ ଗର୍ଜିଛନ୍ତି ଭୁବନେଶ୍ବର ପ୍ରଶାନ୍ତି ବିହାର ବିଜୁ ପଟ୍ଟନାୟକ ମେମୋରିଆଲ ହାଇସ୍କୁଲର ଛାତ୍ରଛାତ୍ରୀ।
ସ୍କୁଲ ଗେଟରେ ତାଲା ପକାଇ ଗଣଶିକ୍ଷା ବିଭାଗକୁ ନିଜ ହକ ମାଗିଛନ୍ତି ଛାତ୍ରଛାତ୍ରୀ। ପାଠପଢ଼ା ସମସ୍ୟା, ଶିକ୍ଷକ ଅଭାବ ଦାବିରେ ଛାତ୍ରଛାତ୍ରୀମାନେ ପାଠପଢା ଛାଡ଼ି ରାସ୍ତାରୋକ କରି ଧାରଣାରେ ବସିଛନ୍ତି।
ସୂଚନାଯୋଗ୍ୟ, ୧୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଏଠାରେ ଅଛନ୍ତି। ଉଭୟଙ୍କ ମଧ୍ୟରୁ ଜଣେ ଶିକ୍ଷକ ସପ୍ତାହକୁ ମାତ୍ର ୩ ଦିନ ଆସୁଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ଘର ନିର୍ମାଣ କରାଯାଇଥିଲେ ବି ଅନ୍ୟ ଶ୍ରେଣୀ କ୍ଲାସ ରୁମ ଲାଗି ନୂଆ ଘର ପାଇଁ ଏ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇନି। ଫଳରେ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଥମରୁ ଦଶମ ଯାଏ ପିଲା ପାଠ ପଢୁ୍ଥିବାରୁ କ୍ଲାସ ରୁମ ଅଭାବ ରହିଛି।