୧୦ ବର୍ଷ ବାଳକର ଫୁସ୍‌ଫୁସ୍‌ରୁ ବାହାରିଲା ଦୁଇଟି ଚୁମ୍ବକ

ସମ୍‌ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଜଣେ ୧୦ ବର୍ଷର ବାଳକର ଫୁସ୍‌ଫୁସ୍‌ରୁ ବାହାରିଛି ଦୁଇଟି ଚୁମ୍ବକ। ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ବାମ ପଟ ଫୁସ୍‌ଫୁସ୍‌ରେ ଅଟକିଥିବା ଚୁମ୍ବକକୁ ସମ୍‌ ହସ୍ପିଟାଲ୍‌ର ଡାକ୍ତର ବାହାର କରିବାରେ ସକ୍ଷମ ହୋଇଛନ୍ତି। ସମ୍‌ ହସ୍ପିଟାଲ୍‌ର ଇଏନ୍‌ଟି ଏବଂ ସ୍କଲ୍‌ବେସ୍ ସର୍ଜରିର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି। ହସ୍ପିଟାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରମୋଦ ବେହେରାଙ୍କ ୧୦ ବର୍ଷର ପୁଅ ଅଙ୍କୁଶ ବେହେରା ଇୟର୍‌ ଫୋନ୍ ସହ ଖେଳୁଥିବା ବେଳେ ସେଥିରେ ଲାଗିଥିବା ଦୁଇଟି ଚୁମ୍ବକକୁ ପାଟିରେ ପୂରାଇ ଗିଳି ଦେଇଥିଲା। ଚୁମ୍ବକ ଦୁଇଟି ସିଧାସଳଖ ବାମ ପଟ ଫୁସ୍‌ଫୁସ୍‌ରେ ଅଟକିଯାଇଥିଲା ଓ ହୃତ୍‌ପିଣ୍ଡର ଅତି ନିକଟବର୍ତ୍ତୀ ସ୍ଥାନରେ ରହିଥିଲା। ରାଜ୍ୟର ବିଭିନ୍ନ ହସ୍ପିଟାଲ୍‌ରେ ଦେଖାଇବା ସତ୍ତ୍ବେ କେହି ଚିକିତ୍ସା କରିବାରେ ସକ୍ଷମ ହୋଇ ନ ଥିଲେ। ଶେଷରେ ସେ ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତର ରାଧାମାଧବ ସାହୁ ଏ‌େଣ୍ଡାସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍‌ ଫୋର୍ସେପ୍ ଦ୍ବାରା ଦୁଇଟି ଚୁମ୍ବକକୁ ଫୁସ୍‌ଫୁସ୍‌ରୁ ବାହାର କରିଥିଲେ। ଏହି ସମୟରେ ବାଳକଟିର ଜୀବନ ପ୍ରତି ବେଶ୍‌ ବିପଦ ଥିଲା। ଏହି ପ୍ରକ୍ରିୟା ବି ଏତେ ସହଜ ନ ଥିଲା। ଅପ୍ଟିକାଲ୍‌ ଫୋର୍ସେପ୍ ଜରିଆରେ ନିଶ୍ବାସପ୍ରଶ୍ବାସ ଗତି କରୁଥିବା ରାସ୍ତା ଦେଇ ଦୁଇଟି ଚୁମ୍ବକକୁ ଫୁସ୍‌ଫୁସ୍‌ରୁ ବାହାର କରାଯାଇଥିଲା। ଏଥି ପାଇଁ ୫ ମିନିଟ୍‌ ୨୦ ସେକେଣ୍ଡ୍‌ ଲାଗିଥିଲା ବୋ‌ଲି ଡାକ୍ତର ସାହୁ କହିଛନ୍ତି। ୧୦ ମିନିଟ୍‌ ଭିତରେ ଚୁମ୍ବକ କଢ଼ାଯାଇ ନ ଥିଲେ ବାଳକଟିର ଜୀବନ ପ୍ରତି ବିପଦ ଥିଲା। ଡାକ୍ତର ସ୍ବସ୍ତିକା ସ୍ବାରୋ ଓ ଡାକ୍ତର ନିସ୍ତା ଆନନ୍ଦ ଏହି ‌ଅସ୍ତ୍ରୋପଚାରରେ ଡାକ୍ତର ସାହୁଙ୍କୁ ସହ‌େଯାଗ କରିଥ‌ିଲେ। ଏବେ ବାଳକଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର