ବସ୍ତିରେ ଗୋଷ୍ଠୀ ସଂକ୍ରମଣକୁ ଜଗିଛି ବିଏମ୍‌ସି, ୪୫ମିନିଟ୍ ଭିତରେ ପହଞ୍ଚିବ ଆମ୍ବୁଲାନ୍ସ

ବସ୍ତିରେ ୭୩୩୫୪ ଘରେ ସର୍ଭେ ସରିଲାଣି, ୧୯୨୬୮ ଘର ଏବେବି ବାକି ଅଛି

ଭୁବନେଶ୍ବର: କରୋନାର ପ୍ରଥମ ଲହରରେ ରାଜଧାନୀର ବିଭିନ୍ନ ବସ୍ତି ହଟ୍‌ସ୍ପଟ୍ ପାଲଟିଥିଲା। ଏପରିକି ୧୦ରୁ ଅଧିକ ବସ୍ତିରେ ଗୋଷ୍ଠୀ ସଂକ୍ରମଣ ହୋଇଯିବାରୁ ସେଗୁଡ଼ିକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍ କରିଥିଲା। ବସ୍ତିବାସିନ୍ଦାଙ୍କୁ କରୋନା ହେଲେ ରାଜଧାନୀର ସ୍ଥିତି ଅଣାୟତ୍ତ ହେବାକୁ ଥିବାରୁ ବିଏମ୍‌ସି ଫୋକସ୍‌ରେ ଏବେ ସବୁ ବସ୍ତି ରହିଛି। ଘରକୁ ଘର ବୁଲି ଲୋକଙ୍କର ସର୍ଭେ କରୁଛି। କାହାକୁ ଥଣ୍ଡା, ଜ୍ବର ହୋଇଛି, କିଏ ବାହାର ରାଜ୍ୟରୁ ଫେରିଛନ୍ତି ସବୁ ବୁଝିକି ପରାମର୍ଶ ଦେଉଛନ୍ତି ସ୍ବାସ୍ଥ୍ୟକର୍ମୀ। ବିଏମ୍‌ସିର ଟାର୍ଗେଟ୍ ଏଥର ଯେମିତି ବସ୍ତିରେ ସଂକ୍ରମଣ ବଢ଼ିବନି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, କରୋନାର ପ୍ରଥମ ଲହରରେ ରାଜଧାନୀର ବିଭିନ୍ନ ବସ୍ତିରେ ୧୭୯୪ଜଣ ଆକ୍ରାନ୍ତ ଚିହ୍ନଟ ‌େହାଇଥିଲେ। ଦ୍ବିତୀୟ ଲହରରେ ପ୍ରାୟ ୫୦ଜଣ ଆକ୍ରାନ୍ତ ହୋଲେଣି। ହେଲେ ବସ୍ତିରେ ଯେପରି ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯିବ, ସେଥିପାଇଁ ୪୦୫ଜଣ ଆଶା, ଅଙ୍ଗନୱାଡି, ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହି ଟିମ୍ ତିନି ଜଣ ସିଡିପିଓଙ୍କ ନେତୃତ୍ବରେ କାମ କରୁଛି। ପ୍ରତିଦିନ ତିନି ଜଣ ସଦସ୍ୟ ଗୋଟିଏ ଲେଖାଏଁ ବସ୍ତିକୁ ଯାଇ ସର୍ଭେ କରୁଛନ୍ତି। ରାଜଧାନୀରେ ୪୩୬ଟି ବସ୍ତିରେ ଥିବା ୯୨,୬୨୨ଟି ଘରର ୨,୫୩,୯୫୦ଜଣଙ୍କର ସର୍ଭେ କରିବା ପାଇଁ ଟାର୍ଗେଟ୍‌ କରାଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭୩,୩୫୪ଟି ଘରର ପ୍ରଥମ ପର୍ଯ୍ୟାୟ ସର୍ଭେ ଶେଷ ହେଲାଣି। ବର୍ତ୍ତମାନ ସୁଦ୍ଧା ୨,୮୧,୭୯୫ଜଣ ଲୋକଙ୍କର ସର୍ଭେ ଶେଷ ହେଲାଣି। କିଛି ବସ୍ତିରେ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହୋଇଥିବା ବେଳେ ଆଉ କିଛି ବସ୍ତିରେ ପ୍ରଥମ ପର୍ଯ୍ୟାୟ ସର୍ଭେ ହୋଇନି। କିନ୍ତୁ ଅଳ୍ପ ଦିନ ମଧ୍ୟରେ ରାଜଧାନୀର ସବୁ ବସ୍ତିରେ ସର୍ଭେ ଶେଷ ହେବ।

ସିଡିପିଓ-୧ଙ୍କ ଅଧୀନରେ ୨୧ଟି ୱାର୍ଡର ୩୧,୪୬୧ଟି ଘର ଥିବା ବେଳେ ଏହାର ସର୍ଭେ ପାଇଁ ଆଶା, ସ୍ବାସ୍ଥ୍ୟକର୍ମୀଙ୍କ ବାଦ୍ ୧୧୯ଜଣ ଅଙ୍ଗନୱାଡି କର୍ମୀ ନିୟୋଜିତ ହୋଇଛନ୍ତି। ସିଡିପିଓ-୨ଙ୍କ ଅଧୀନରେ ୨୧ଟି ୱାର୍ଡର ୧୨୨ଟି ବସ୍ତିର ୧୯୦୭୧ଟି ଘର ଅଛି। ଏଥିପାଇଁ ଆଶା, ସ୍ବାସ୍ଥ୍ୟକର୍ମୀଙ୍କ ବାଦ୍ ୧୦୨ଜଣ ଅଙ୍ଗନୱାଡି କର୍ମୀ ନିୟୋଜିତ ହୋଇଛନ୍ତି। ସେହିପରି ସିଡିପିଓ-୩ଙ୍କ ଅଧୀନରେ ୨୫ଟି ୱାର୍ଡରେ ୧୫୬ଟି ବସ୍ତି ଥିବା ବେଳେ ଆଶା, ସ୍ବାସ୍ଥ୍ୟକର୍ମୀଙ୍କ ବାଦ୍ ୧୫୬ ଜଣ ଅଙ୍ଗନୱାଡି କର୍ମୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୭୩୩୫୪ଟି ଘରେ ସର୍ଭେ ଶେଷ ହୋଇଥିବା ବେଳେ ଆଉ ୧୯୨୬୮ଟି ଘର ସର୍ଭେ ପାଇଁ ବାକି ଥିବା ଜଣାପଡ଼ିଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ବିଭିନ୍ନ ବସ୍ତି‌େର ଲକ୍ଷଣଯୁକ୍ତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୬୦ଜଣ ଏହିଭଳି ଚିହ୍ନଟ ହୋଇଥିବା ବେଳେ ଆଜି ୧୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାହାର ରାଜ୍ୟରୁ ଏବେ ବସ୍ତିକୁ ଲୋକ ଫେରିବା ଆରମ୍ଭ ହୋଇଯାଇଛି। ଆଜି ସୁଦ୍ଧା ୩୩ଜଣ ବାହାର ରାଜ୍ୟ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଏଥିରୁ ୪ଜଣ ଆଜି ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯିବା ସହ କୋଭିଡ୍‌ ପରୀକ୍ଷା କରିବାକୁ କୁହାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହାସହ ବସ୍ତିକୁ ଯଦି କେହି କୋଲକାତା, ମହାରାଷ୍ଟ୍ର, ଦିଲ୍ଲୀ ଆଦି ସହରରୁ ଆସି‌ବେ, ତେବେ ତୁରନ୍ତ ଜଣାଇବାକୁ କୋଭିଡ୍‌ ସଚେତକ ଟିମ୍‌କୁ କୁହାଯାଇଛି।

ଦୁଇ ଡୋଜ୍‌ ଟିକା ନେବା ପରେ ବି ଡାକ୍ତର ସଂକ୍ରମିତ

ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେବା ପରେ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଥଣ୍ଡା ଜ୍ବରରେ ଅସୁସ୍ଥତା ଅନୁଭବ କରିବାରୁ ସେ ହସ୍ପିଟାଲରେ ସ୍ବାବ୍‌ ପରୀକ୍ଷା କରାଇଥିଲେ। ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେହିପରି ତାଙ୍କ ବାପା ମା’ଙ୍କ ସମେତ ଜଣେ ସଂପର୍କୀୟ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ସହ ଡାକ୍ତରଖାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଡାକ୍ତର ପରିବାର ଗୃହ ସଂଗରୋଧରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଜି ହସ୍ପିଟାଲରେ ୭୫ଜଣଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ସନ୍ଦେହଜନକ କରୋନା ମୃତ୍ୟୁ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ଘର ଜଟଣୀ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେ କିଛି ଦିନ ହେଲା ଥଣ୍ଡା, ଜ୍ବରରେ ପୀଡ଼ିତ ଥିଲେ। ଅବସ୍ଥା ବିଗିଡ଼ିବାରୁ ପରିବାରଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ହସ୍ପିଟାଲରେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ତେବ‌େ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

୪୫ମିନିଟ୍ ଭିତରେ ପହଞ୍ଚିବ ଆମ୍ବୁଲାନ୍ସ
ଭୁବନେଶ୍ବର: ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରାୟ ୯୦%ରୁ ଅଧିକ ଲୋକ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ହେଲେ ଯେଉଁମାନଙ୍କ ଅବସ୍ଥା ଗୁରୁତର ହେଉଛି, ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଏପରିକି ୧୯୨୯ ନମ୍ବରକୁ ଫୋନ୍‌ କରିବା ପରେ ଦୁଇରୁ ତିନି ଘଣ୍ଟା ପରେ ଆମ୍ବୁଲାନ୍ସ ପହଞ୍ଚୁଥିବା ଅଭିଯୋଗ ହେଉଛି। କେତେକ କ୍ଷେତ୍ରରେ ହସ୍ପିଟାଲକୁ ସନ୍ଦିଗ୍ଧ ଆକ୍ରାନ୍ତ ଆସିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଉଥିବା ଅଭିଯୋଗ ହେଲାଣି।

ଏନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରାଜଧାନୀରେ ଆକ୍ରାନ୍ତଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ୩୯ଟି ଆମ୍ବୁଲାନ୍ସ ମୁତୟନ ଅଛି। ଏଗୁଡ଼ିକ ଏବେ କ୍ୟାପିଟାଲ ହସ୍ପିଟାଲ ପରିସରରେ ରହୁଛି। ଭବାନୀ ମଲ୍‌ସ୍ଥିତ ଭୁବନେଶ୍ବର ଅପରେସନ୍ ସେଣ୍ଟର୍‌ରେ ଥିବା କଣ୍ଟ୍ରୋଲ ରୁମ୍‌ର ୧୯୨୯ ନମ୍ବରକୁ ଫୋନ୍‌ ଆସିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ପଠାଇବାକୁ କୁହାଯାଉଛି। ସେଠାରୁ ଆମ୍ବୁଲାନ୍ସ ଯିବାକୁ ଯାହା ସମୟ ଲାଗୁଛି। ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିବାକୁ ୩୦ରୁ ୪୫ ମିନିଟ୍‌ ଲାଗୁଛି। କିନ୍ତୁ ଭିଡ଼ ସମୟରେ ଦୂର ସ୍ଥାନକୁ ଆମ୍ବୁଲାନ୍ସ ଯିବାକୁ କାଁ ଭାଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଛି।

ଏହାକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ଜୋନ୍‌ସ୍ତରରେ ଆମ୍ବୁଲାନ୍ସ ରଖାଯିବ। ଅର୍ଥାତ୍ ତିନି ଜୋନାଲ ଡେପୁଟି କମିସନର୍‌ଙ୍କ କାର୍ଯ୍ୟାଳୟ ନିକଟରେ ଆମ୍ବୁଲାନ୍ସ ରଖାଯିବ। ଏଠାରୁ ଜୋନାଲ ଡେପୁଟି କମିସନରଙ୍କ ମାଧ୍ୟମରେ ଆମ୍ବୁଲାନ୍ସଗୁଡ଼ିକ ଯାତାୟାତ କରିବ। ଏହାଦ୍ବାରା କମ୍‌ ସମୟରେ ଆକ୍ରାନ୍ତଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିଯିବ। ଏବେ ପ୍ରତି ଜୋନ୍‌କୁ ୪ଟି ଲେଖାଏଁ ଆମ୍ବୁଲାନ୍ସ ଦେବାକୁ ଯୋଜନା ହୋଇଛି। ଏହାସହ କ୍ୟାପିଟାଲ ହସ୍ପିଟାଲରେ କିଛି ଆମ୍ବୁଲାନ୍ସ ରହିବ। ସମସ୍ତ ଗୁରୁତର ଆକ୍ରାନ୍ତଙ୍କୁ ଯଥାସମ୍ଭବ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଆମେ ତ୍ବରିତ ପଦକ୍ଷେପ ନେଉଛୁ।

ସମ୍ବନ୍ଧିତ ଖବର