ଝିଅ ଆଗରେ ଆଖିବୁଜିଲେ ବାପା: ଚାଳକ ଅଟକ, ଟ୍ରକ ଜବତ

ସ୍ବାସ୍ଥ୍ୟପରୀକ୍ଷା କରି ଘରକୁ ଫେରିଥାନ୍ତେ

ଭୁବ‌ନେଶ୍ବର: ବାପାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଆନ୍ତା। ଏକ ଘରୋଇ ହସ୍ପିଟାଲ୍‌ ଡାକ୍ତରଙ୍କ ସହ ସାକ୍ଷାତ ପାଇଁ ସମୟ ନେଇଥିଲେ। ବାପାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ବାପାଝିଅ ଘରକୁ ଫେରିଥ‌ାଆନ୍ତେ। ହେଲେ ନିୟତିର ଇଚ୍ଛା ଥିଲା ଅଲଗା। ବାପା ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ। ଆଉ ଝିଅ ହସ୍ପିଟାଲ୍‌ରେ ଜୀବନ ସହ ସଂଘର୍ଷ କରୁଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସପ୍ତସତୀ ମନ୍ଦିର ନିକଟରେ। ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଯୋଗୁଁ ଝିଅ ସମ୍ମୁଖରେ ବାପା କେଦାରଶ୍ବର ରାଉତରାୟ(୪୯)ଙ୍କ ଜୀବନ ଚାଲିଯାଇଥିବା ବେଳେ ଝିଅ ରଶ୍ମିତା ରାଉତରାୟ କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛି।

ସୂଚନା ମୁତାବକ, ସୋମବାର ଦିନ ପାଖାପାଖି ୧୦ଟା ସମୟରେ ବାଲିଅନ୍ତା ପ୍ରତାପରୁଦ୍ରପୁର ଅଞ୍ଚଳର ରଶ୍ମିତା ବାପାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍କୁଟିରେ ଭୁବନେଶ୍ବର ଆସୁଥିଲେ। ସେମାନେ ସତ୍ୟବିହାର ନିକଟ ସପ୍ତସତୀ ମନ୍ଦିର ସମ୍ମୁଖରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟି ପଛକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ପଛରେ ବସିଥିବା କେଦାରଶ୍ବର ସ୍କୁଟିରୁ ବାହାରି ଟ୍ରକ ଚକାତଳେ ଚାପିହୋଇଯାଇଥିଲେ। ଟ୍ରକଟି କେଦାରଙ୍କ ଉପରେ ଚଢ଼ିଯିବା ପରେ ଆଗକୁ ମାଡ଼ିଯାଇ ସ୍କୁଟିସହ କିଛିବାଟ ଦୂରରେ ପଡ଼ିଥିବା ରଶ୍ମିତାଙ୍କ ଦୁଇ ଜଙ୍ଘ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣା ଦେଖି ଆଖପାଖର ‌ଲୋକ ଧାଇଁ ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚିକିତ୍ସା ପାଇଁ ନିକଟ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ହେଲେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର କେଦାରଶ୍ବରଙ୍କୁ ମୃତ ଘୋଷଣା କରିଥିଲେ। ରଶ୍ମିତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୁଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁକରି ଟ୍ରକ ଚାଳକ ସଞ୍ଜୟ ମୁଦୁଲିକୁ ଅଟକ ରଖିବା ସହ ଟ୍ରକକୁ ଜବତ କରିଛି।

ସମ୍ବନ୍ଧିତ ଖବର