ନନ୍ଦନକାନନରେ ପ୍ରଥମ ଆନାକୋଣ୍ଡା ଶାବକ ଜନ୍ମ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ପ୍ରଥମ କରି ଏକ ହଳଦିଆ ଆନା‌କୋଣ୍ଡା ଆଜି ଏକ ଶାବକକୁ ଜନ୍ମ ଦେଇଛି। ଆଜି ସକାଳେ ଜନ୍ତୁରକ୍ଷକ ଏହା ଦେଖିବା ପରେ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ସୁରକ୍ଷା କାରଣରୁ ନବଜାତକକୁ ଖୁଆଡ଼ରୁ ଅନ୍ୟମାନଙ୍କଠାରୁ ଅଲଗା କରି କୃତ୍ରିମ ଶୀତତାପ ନିୟନ୍ତ୍ରଣ କକ୍ଷରେ ରଖାଯାଇଛି। ମା’ ଆନାକୋଣ୍ଡାର ପେଟ ଫୁଲି ରହିଥିବାରୁ ତା’ ଗର୍ଭରୁ ଆହୁରି ଶାବକ ବାହାରିପାରନ୍ତି ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି।

ଆଉ ଏକ ମାଈ ଆନାକୋଣ୍ଡା ମଧ୍ୟ ଛୁଆ ଦେବାର ଅନୁମାନ କରାଯାଉଛି। ଏହି ଦୁଇ ସାପଙ୍କ ଉପରେ ନଜର ରଖାଯାଇଛି। ସାଧାରଣତଃ ଅନାକୋଣ୍ଡା ସାପ ପେଟ ଭିତରେ ଅଣ୍ଡା ଧାରଣ କରି ଏକାଥରକେ ୨୦ଟି ପର୍ଯ୍ୟନ୍ତ ଛୁଆଙ୍କୁ ଜନ୍ମ ଦେଇପାରେ। ଏହି ଶାବକର ଜନ୍ମ ଫଳରେ ନନ୍ଦନକାନନର ହଳଦିଆ ଆନାକୋଣ୍ଡା ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୩ଟି ମାଈ, ଗୋଟିଏ ଅଣ୍ଡିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଗୋଟିଏ ବୟସ୍କ ସହ ନବଜାତକ ଶାବକ ରହିଛି। ଗତ ୨୦୧୯ ମସିହା ନଭେମ୍ବର ୨୮ତାରିଖରେ ମାଡ୍ରାସସ୍ଥିତ କ୍ରୋକଡାଇଲ ବ୍ୟାଙ୍କରୁ ୮ଟି ହଳଦିଆ ଅନାକୋଣ୍ଡାଙ୍କୁ ନନ୍ଦନକାନକୁ ଅଣାଯାଇଥିଲା। ସେଥିମଧ୍ୟରୁ ୩ଟିର ସଂକ୍ରମଣରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର