ମହିଳା କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ

ସୁପାରି ଦେଇ ସ୍ବାମୀଙ୍କୁ ହତ୍ୟା କରାଇଥିଲେ

ଭୁବନେଶ୍ବର: ଆଜି ସକାଳେ ଝାରପଡ଼ା ଜେଲ୍‌ର ଏକ ଗାଧୁଆ ଘରୁ ଜଣେ ବିଚାରାଧୀନ ମହିଳା କଏଦୀଙ୍କ ମୃତଦେହକୁ ଲକ୍ଷ୍ମୀସାଗର ଥାନା ପୁଲିସ ଜବତ କରିଛି। ସୁପାରି ଦେଇ ସ୍ବାମୀଙ୍କୁ ହତ୍ୟା କରାଇଥିବା ଅଭିଯୋଗରେ ଜେଲ୍‌ରେ ଥିବା ଏହି ମହିଳା ହେଲେ ବାଲିପାଟଣା ଥାନା ରାଜସ ଅଞ୍ଚଳର ସୁକାନ୍ତି ଦାସ ଓରଫ୍‌ ଗୁନୁ(୩୭)। ବେକରେ ଓଢ଼ଣି ବାନ୍ଧି ଗୁନୁ ବାଥ୍‌ରୁମ୍‌ ସ୍କାଏଲାଇଟ୍‌ରେ ଝୁଲିପଡ଼ିଥିବା ଜଣାପଡ଼ିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ମାତ୍ର ପରିବାର ଲୋକେ ମୃତଦେହ ନେବାକୁ ମନା କରିବାରୁ ଆଜି ବ୍ୟବଚ୍ଛେଦ ହୋଇପାରିନାହିଁ।

ସୂଚନା ମୁତାବକ ରବିବାର ରାତି ପାଖାପାଖି ସାଢ଼େ ୧୧ଟା ସମୟରେ ଜଣେ କଏଦୀ ବାଥ୍‌ରୁମ୍‌କୁ ଯାଇଥିବା ବେଳେ ସ୍କାଏଲାଇଟ୍‌ରେ ଗୁନୁଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ତାଙ୍କ ଚିତ୍କାର ଶୁଣି ଅନ୍ୟ କଏଦୀମାନେ ଧାଇଁ ଆସି ଗୁନୁଙ୍କୁ ଉଦ୍ଧାର କରିଥିଲେ ଏବଂ ଜେଲ୍‌ କର୍ମଚାରୀମାନେ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏନେଇ ପୁଲିସ ଗୁନୁଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ମାତ୍ର ପରିବାର ଲୋକେ ବ୍ୟବଚ୍ଛେଦ ଦେଖିବାକୁ ଆସିବେ ନାହିଁ କି ମୃତଦେହ ନେବେ ନାହିଁ ବୋଲି ରୋକ୍‌ଠୋକ କହିଥିଲେ। ପୁଲିସ ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ସେମାନେ କେବଳ ବ୍ୟବଚ୍ଛେଦ ବେଳେ ଉପସ୍ଥିତ ରହିବେ ବୋଲି କହିଥିଲେ। ତେଣୁ ବ୍ୟବଚ୍ଛେଦ ପରେ ଜେଲ୍‌ କର୍ତ୍ତୃପକ୍ଷ ହିଁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ ଜଟଣୀରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ।

ରାତି ପ୍ରାୟ ୧୧ଟା ବେଳେ ତଳଖେତା ଜଟଣୀ ରାସ୍ତାରେ ଗଙ୍ଗପଡ଼ା ଗ୍ରାମଡିହ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଭୁଜାଲି‌ରେ ହାଣି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ବଡ଼ ରହସ୍ୟଜନକ ଭାବେ ଘଟିଥିବା ଉକ୍ତ ହତ୍ୟାକାଣ୍ଡ ସେତେବେଳେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଥିଲା। ତେବେ ଶେଷରେ ଜଟଣୀ ଥାନା ପୁଲିସ ଏହି ମାମଲାର ପର୍ଦ୍ଦାଫାସ୍‌ କରିଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଗୁନୁ, ତା’ର ପୁରୁଷବନ୍ଧୁ ଓ ସୁପାରି ନେଇଥିବା ପିପିଲିର ଦୁଇ କୁଖାତ ଅପରାଧୀଙ୍କୁ ପୁଲିସ ଗିରଫ କରିଥିଲା। ପୂର୍ବତନ ପ୍ରେମିକକୁ ପୁଣି ବିବାହ କରିବା ଲକ୍ଷ୍ୟରେ ଗୁନୁ ନିଜେ ଷଡ଼ଯନ୍ତ୍ର୍‌ କରି ସ୍ବାମୀ ପୂର୍ଣ୍ଣଚନ୍ଦ୍ରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲା। ଦୀର୍ଘ ଦିନ ଧରି ଜେଲ୍‌ରେ ରହିବା ଓ ପ୍ରେମିକକୁ ଜାମିନ୍‌ ମିଳିବା ପରେ ତା’ଠାରୁ ସହଯୋଗ ନ ମିଳିବା ଯୋଗୁ ଗୁନୁର ମାନସିକସ୍ଥିତି ଭଲ ନଥିଲା।

ସମ୍ବନ୍ଧିତ ଖବର