‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନର ଲୋଗୋ ଲୋକାର୍ପଣ

୫ରେ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ, ପ୍ରେରଣା ଗ୍ରିନ୍‌ ମ୍ୟାନ୍‌ ସମ୍ମାନରେ ସମ୍ମାନିତ ହେବେ ଭଗବାନ ପ୍ରକାଶ

ଭୁବନେଶ୍ବର: ବିଶ୍ବ ପରିବେଶ ଦିବସ ଅବସରରେ ଆସନ୍ତା ୫ତାରିଖରେ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ଜଗା ପାଇଁ ଗଛଟିଏ ଲଗା ଅଭିଯାନର ଉଦ୍‌ଘାଟନୀ ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ। ଏନେଇ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍‌ ଆର୍ମି ପକ୍ଷରୁ ହୋଟେଲ କେଶରୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନର ଲୋଗୋ ଲୋକାର୍ପିତ କରାଯାଇଛି।

ପ୍ରେରଣା, ସ୍ମାଇଲ୍‌ ପ୍ଲିଜ୍‌, ରୋଟାରି କ୍ଲବ ଅଫ୍‌ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଓ ସୁଧାନନ୍ଦ ଶିକ୍ଷାନୁଷ୍ଠାନ ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି। ଏଥିରେ ରାଜ୍ୟର ସମସ୍ତ ବୃକ୍ଷପ୍ରେମୀ, ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ, ପ୍ରେରଣା ସଦସ୍ୟ, ଗ୍ରିନ୍‌ ଆର୍ମି, ଜାତୀୟ ସେବା ଯୋଜନା, ସ୍କାଉଟ୍‌, ଗାଇଡ୍‌, ଏନ୍‌ସିସି, ରେଡକ୍ରସ୍‌, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ସ୍କୁଲ୍‌ ଓ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବେ।

ଏହି ଅବସରରେ ସ୍ତମ୍ଭକାର ଡ. ଭଗବାନ ପ୍ରକାଶଙ୍କୁ ପ୍ରେରଣା ଗ୍ରିନ୍‌ ମ୍ୟାନ୍‌ ସମ୍ମାନରେ ସମ୍ମାନିତ କରାଯିବା ସହ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରଥମ ଗ୍ରିନ୍‌ ମ୍ୟାନ୍‌ ସମ୍ମାନ ପ୍ରାପକ ଇଂ ବିଶ୍ବମୋହନ ପଟ୍ଟନାୟକ ଏହି ଅର୍ଥ ପ୍ରଦାନ କରିବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ଏକାମ୍ରକ୍ଷେତ୍ରର ସଭାପତି ଅଚ୍ୟୁତାନନ୍ଦ ପଟ୍ଟନାୟକ, ସୁଧାନନ୍ଦ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ସୁନୀଲ କୁମାର ପଟ୍ଟନାୟକ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର