କ୍ୟାପିଟାଲ ହସ୍ପିଟାଲରେ ୨ ହଜାରକୁ ବଢ଼ିବ ଶଯ୍ୟା ସଂଖ୍ୟା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପାଇଁ ରାଜ୍ୟ ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ଆଗାମୀ ଦିନରେ ହସ୍ପିଟାଲକୁ ୨ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ। ଏହାସହ ୧୦୦ ସିଟ୍‌ ଥିବା ଏମ୍‌ବିବିଏସ୍ ପାଠ୍ୟକ୍ରମ ମଧ୍ୟ ରହିବ। ଯେହେତୁ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ ହୋଇସାରିଛି, ଏହାର କଳେବରକୁ ଆହୁରି ବଢ଼ାଇବା ଲାଗି ଏହି ମାଷ୍ଟରପ୍ଲାନ୍ ସହାୟକ ହେବ। ସ୍ବାସ୍ଥ୍ୟ ବିଭାଗ/ହସ୍ପିଟାଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂପର୍କିତ ପ୍ରସ୍ତାବ ଦିଆଯାଇଥିଲା। ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ ସମୟରେ ଏହା ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଶ୍ରୀ ପାଣ୍ଡିଆନ୍ ଆଜି କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାଷ୍ଟରପ୍ଲାନ୍‌କୁ ଚୂଡ଼ାନ୍ତ ରୂପ ଦେବାକୁ ‌ହେଲେ କ୍ୟାପିଟାଲ ହସ୍ପିଟାଲ ଓ ଏହାର ପାଶ୍ବର୍ବତୀ ଅଞ୍ଚଳରେ ଏଥିପାଇଁ ୪୦ ଏକର ଜାଗା ନିଆଯିବ। ଏହାସହ ହସ୍ପିଟାଲ କ୍ୟାମ୍ପସ୍‌ରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ନିର୍ମାଣ ଓ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ଆବାସିକ କ୍ବାର୍ଟର ମଧ୍ୟ ନିର୍ମାଣ ହେବ। ଟ୍ରାଫିକ୍ ଚଳାଚଳକୁ ନଜରରେ ରଖି ପିଜିଆଇ ଏକାଡେମିକ ବ୍ଲକ୍ ସମ୍ମୁଖରେ ଥିବା ରାସ୍ତାର ସଂପ୍ରସାରଣ ଉପରେ ଗୁରୁତ୍ବ ଦିଆଯାଇଛି।

୫-ଟି ସଚିବଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ
୨୦୨୩ ଡିସେମ୍ବର ସୁଦ୍ଧା ସରିବ ଟ୍ରମା, ସର୍ଜରି କମ୍ପ୍ଲେକ୍ସ ନିର୍ମାଣ

ସେହିପରି ହସ୍ପିଟାଲ ପରିସରରେ ନିର୍ମାଣ ଚାଲିଥିବା ଟ୍ରମା କେୟାର ସେଣ୍ଟର ଓ ସର୍ଜରି କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ସାରିବା ଲାଗି ନିର୍ଦେଶ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହସ୍ପିଟାଲର ଟ୍ରମା କେୟାର, ସର୍ଜରି କମ୍ପ୍ଲେକ୍ସ ସହ ମାଷ୍ଟରପ୍ଲାନ୍ ନେଇ ବିସ୍ତୃତ ଆଲୋଚନା ହୋଇଛି। ଭବିଷ୍ୟତରେ ହସ୍ପିଟାଲର ଶଯ୍ୟାକୁ ୨ହଜାରକୁ ବୃଦ୍ଧି କରିବା ସହିତ ଏମ୍‌ବିବିଏସ୍ ପାଠ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯିବ। ଓବିସିସି ଓ ଅନ୍ୟ ବିଭାଗ ଏହାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ହସ୍ପିଟାଲକୁ ଅଧିକ ସଂଖ୍ୟାରେ ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟ ଯୋଗାଇଦେବା ଲାଗି ପ୍ରସ୍ତାବ ଦିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ସମୀକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ପୂର୍ତ ସଚିବ ଭିଭିକେ ଯାଦବ, ଓବିସିସିର ପରିଚାଳନା ନିର୍ଦେଶକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର