ଭୁବନେଶ୍ବର: ଓଡ଼ିଆ ଏକ ପ୍ରାଚୀନ, ଉତ୍କୃଷ୍ଟ, ମୌଳିକ ଓ ପୂର୍ଣ୍ଣାଙ୍ଗ ଭାଷା। ବଙ୍ଗଳା ଓ ଆସାମୀ ଭଳି ପୂର୍ବ ମାଗଧୀ ଅପଭ୍ରଂଶରୁ ଓଡ଼ିଆ ଭାଷାର ଜନ୍ମ। ସେହିପରି ସବୁ ଲିପିର ମୂଳ ବ୍ରାହ୍ମିଲିପି। ଓଡ଼ିଆ ଲିପି ବି ସେଥିରୁ ସୃଷ୍ଟି ହୋଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ର ‘ଓଡ଼ିଆ ଭାଷାର ଶାସ୍ତ୍ରୀୟତା: ଏକ ଅନୁଶୀଳନ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଭାଷାବିତ୍ ଡ. ଅନ୍ତର୍ଯାମୀ ମିଶ୍ର ଆଜି ଓଡ଼ିଆ ଭାଷା ଓ ଲିପିର କ୍ରମବିକାଶ ସଂପର୍କରେ ଏମିତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଅପରାଜିତା ଚୌଧୁରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଥିଲେ, ଭାଷା ଗୋଟିଏ ଜାତିର ଅସ୍ମିତା। ଭାଷା ହିଁ ଆମର ପରିଚୟ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ଆମେ ଗର୍ବ ଅନୁଭବ କରୁଛେ। କିନ୍ତୁ ଓଡ଼ିଆର ବହୁଳ ବ୍ୟବହାର ହୋଇପାରିଲେ ହିଁ ସେଥିରୁ ଆମର ଭାଷା ପ୍ରତି ପ୍ରକୃତ ଆନ୍ତରିକତା ପ୍ରମାଣିତ ହେବ। ପରିବାର ଭିତରେ ଅନ୍ୟ ଭାଷା ଅପେକ୍ଷା ଓଡ଼ିଆ ଭାଷାରେ ଭାବବିନିମୟ କରିବାକୁ ସେ ଗୁରୁତ୍ବାରୋପ କରିଥିଲେ। ଯୁଗ ସହ ତାଳ ଦେଇ ଓଡ଼ିଆ ଭାଷାକୁ ଡିଜିଟାଲାଇଜ୍ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଚୌଧୁରୀ କହିଥିଲେ।
ବିଶିଷ୍ଟ ନାଟ୍ୟକାର ପ୍ରଫେସର୍ ବିଜୟ କୁମାର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ ଦୃଢ଼ ରାଜନୈତିକ ଶକ୍ତି କାମ କରିଛି। କିନ୍ତୁ ଆମ ସମାଜରେ ଓଡ଼ିଆ ଭାଷା ପ୍ରତି ବିଶେଷକରି ଅଭିଭାବକମାନଙ୍କ ଆଗ୍ରହ କମି ଯାଉଥିବା ପରିଲକ୍ଷିତ ହେଉଛି। ପିଲାମାନଙ୍କୁ ଛୋଟବେଳୁ ନିଜ ମାତୃଭାଷା ପ୍ରତି ଆକୃଷ୍ଟ କରିବାର ଆବଶ୍ୟକତା ରହିଛି। ଇଂରାଜୀ ଶିଖିବାରେ କିଛି ଭୁଲ୍ ନାହିଁ, ମାତ୍ର ମାତୃଭାଷାକୁ ଅବହେଳା କରି ବିଦେଶୀ ଭାଷା ଶିଖିବାରେ କୌଣସି ମୂଲ୍ୟ ନାହିଁ। ଯିଏ ନିଜ ମାତୃଭାଷାରେ ଦକ୍ଷ ହୋଇପାରିବ, ଅନ୍ୟଭାଷାକୁ ମଧ୍ୟ ସେ ଅତି ସହଜରେ ଆୟତ୍ତ କରିପାରିବ ବୋଲି ଶ୍ରୀ ଶତପଥୀ କହିଥିଲେ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଉପସ୍ଥିତ ଥିଲେ। ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ପ୍ରେମାନନ୍ଦ ମହାପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟା ଡ. ସଂଘମିତ୍ରା ଭଞ୍ଜ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ହୀମାଦ୍ରି ତନୟା ମିଶ୍ର, ଦେବାଶିଷ ମହାପାତ୍ର, ଜ୍ୟୋତିପ୍ରଭା ମହାନ୍ତି, ଦୀପ୍ତିମୟୀ ସାହୁ, ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।