ବିଏମ୍‌ସି ୫୦ ନମ୍ବର ୱାର୍ଡ : ଜଳବନ୍ଦୀରୁ ନିସ୍ତାର ମିଳୁନି

ଖଣ୍ଡଗିରି: ବିଏମ୍‌ସି ୫୦ ନମ୍ବର ୱାର୍ଡ ରାଜଧାନୀର ଏକ ପ୍ରମୁଖ ପୁରୁଣା, ନୂଆ ଜନବସତି ଅଞ୍ଚଳ। ପୁରୁଣା ଜନବସତି ହିସାବରେ ବରମୁଣ୍ଡା ଗାଁ ଥିବା ବେଳେ ନୂଆ କଲୋନି ହିସାବରେ ମଲ୍ଲିକ କମ୍ପ୍ଲେକ୍ସ, କ୍ରିଷ୍ଣା ଗ୍ରିନ୍‌ ଫେଜ୍‌-୨ ଓ କ୍ୟାପିଟାଲ ଫର୍ଡ ପଛ ଜନବସତି ଏହି ୱାର୍ଡରେ ରହିଛି। ସେହିଭଳି ଫାୟାର୍‌ ‌ଷ୍ଟେସନ ବସ୍ତି ଓ ଗଣ୍ଡମୁଣ୍ଡା ବସ୍ତିର କିଛି ଅଂଶ ଏହି ୱାର୍ଡ ଅଧୀନରେ ରହିଛି। ଏହି ୱାର୍ଡର ମୁଖ୍ୟ ସମସ୍ୟା ହେଉଛି ବର୍ଷା ଜଳ ନିଷ୍କାସନ। ଏହି ଅଞ୍ଚଳରେ ଲୋକେ ବର୍ଷା ଋତୁରେ ଜଳବନ୍ଦୀ ହୋଇ ରହିବା ବର୍ଷ ବର୍ଷର ସମସ୍ୟା।

ମଲ୍ଲିକ କମ୍ପ୍ଲେକ୍ସ, କ୍ରିଷ୍ଣା ଗ୍ରିନ୍‌ ଫେଜ୍‌-୨, ଗଣ୍ଡମୁଣ୍ଡା ବସ୍ତିର ବହୁ ଅଂଶରେ ରାସ୍ତା‌ ଓ ଡ୍ରେନ୍‌ ହୋଇନଥିବାରୁ ଅସରାଏ ବର୍ଷାରେ ବି ଲୋକେ ଜଳବନ୍ଦୀ ‌ହୋଇ ରହିବାକୁ ବାଧ୍ୟ ହୁଅନ୍ତି। ପ୍ରତି ବର୍ଷ ବର୍ଷା ଋତୁରେ ମଲ୍ଲିକ କମ୍ପ୍ଲେକ୍ସ ଓ କ୍ରିଷ୍ଣା ଗ୍ରିନ୍‌ ଫେଜ୍‌-୨ ଅଞ୍ଚଳର ରାସ୍ତା ଜଳାର୍ଣ୍ଣବ ହୋଇଯାଏ। ଡ୍ରେନ୍‌ ସମସ୍ୟାରୁ ଅସରାଏ ବର୍ଷାରେ ବି ରାସ୍ତାରେ ବର୍ଷା ଓ ମଇଳା ପାଣି ଲହଡ଼ି ମାରେ। ମଲ୍ଲିକ କମ୍ପ୍ଲେକ୍ସ ଭିତରେ ବହୁ ରାସ୍ତା କାମ ମଧ୍ୟ ଆରମ୍ଭ ହୋଇନି। ସେହିପରି ବରମୁଣ୍ଡା ଗାଁ ଭିତରେ ତଳସାହିର ପୁରୁଣା ଅଣଓସାରିଆ ଡ୍ରେନ୍‌ରେ ବର୍ଷା‌ ଜଳ ନିଷ୍କାସନ ହୋଇନପାରି ଦାଣ୍ଡରେ ବହେ। ଓଭର‌୍‌ହେଡ୍‌ ପାଣି ଟାଙ୍କି ନଥିବାରୁ ୨୪ ଘଣ୍ଟିଆ ପାଣି ସୁବିଧା ନାହିଁ। ସବୁ ସରକାରୀ ଜମି ଜବରଦଖଲ ହୋଇଥିବାରୁ ଏଠାରେ ଗୋଟିଏ ବି ପାର୍କ ନିର୍ମାଣ ହୋଇପାରିନି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପାଖ ପୋଖରୀ ଓ ନୀଳକଣ୍ଠେଶ୍ବର ମନ୍ଦିରର ଅନତି ଦୂରରେ ଥିବା ୨ଟି ପୋଖରୀ ୪/୫ ବର୍ଷ ପୂର୍ବେ ନବୀକରଣ କରାଯାଇଥିଲା, ମାତ୍ର ପୁଣି ଭାଙ୍ଗିରୁଜି ମଇଳା ପାଣି ଭର୍ତ୍ତି ହୋଇଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଦୁଇ ପୋଖରୀରେ ଆଉ କେହି ଗୋଡ଼ ବୁଡ଼ାଉନାହାନ୍ତି। ଦଶ ତୁଠ କାମ କରିବାକୁ ଲୋକେ ବାଧ୍ୟ ହୋଇ ଗୋଟିଏ ପୋଖରୀର ମଇଳା ପାଣି ବ୍ୟବହାର କରୁଛନ୍ତି। ଗୋଷ୍ଠୀ ପାଇଖାନା ମଧ୍ୟ ଭାଙ୍ଗି ଗଲାଣି। ଗାଁ ଦାଣ୍ଡର ବହୁ ଅଂଶ କଂକ୍ରିଟ୍‌ କିମ୍ବା ପିଚୁ ହୋଇପାରିନାହିଁ। ଖାଲଖମାରେ ଭର୍ତ୍ତି ଗାଁ ଦାଣ୍ଡ ଅବସ୍ଥା ବେଶ୍ କଦର୍ଯ୍ୟ।

ତେବେ ପୌର ନିର୍ବାଚନ ପରେ ବହୁ ପ୍ରତୀକ୍ଷିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଫାୟାର୍‌ ‌ଷ୍ଟେସନ ବସ୍ତିରେ ଡ୍ରେନ୍‌ କାମ ସରିଛି। ଶ୍ମଶାନ ପୁନରୁଦ୍ଧାର ହୋଇଛି। କରତକଳ ଛକରୁ ନାଭାଲ୍‌ କଲୋନି ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଇଛି। ବରମୁଣ୍ଡା ହନୁମାନ ମନ୍ଦିରରୁ ଉଗ୍ରସେନ ପା‌ଇକରାୟଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ୍‌ କାମ ସରିଛି। ମହିମା ମିଶ୍ରଙ୍କ ଘରଠାରୁ ବାରିକ ସାହି ପର୍ଯ୍ୟନ୍ତ ରାସ୍ତା କାମ ହୋଇଛି। ଏହି ଅଞ୍ଚଳର ସମସ୍ତ ରାସ୍ତାକୁ ଆଲୋକୀକରଣ କରାଯାଇଛି। ୱାର୍ଡ ଅଫିସ୍‌ କାମ ମଧ୍ୟ ଆରମ୍ଭ ହୋଇଛି।

ସ୍ବଚ୍ଛତାରେ ଆଦର୍ଶ ୱାର୍ଡ କରିବାକୁ ଲକ୍ଷ୍ୟ

ଗାଁରେ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେବା ମୋ ପାଇଁ ପ୍ରଥମ ବର୍ଷର ବଡ଼ ସଫଳତା। ଗ୍ରାମବାସୀମାନେ ହାତ ପାହାନ୍ତାରେ ସ୍ବାସ୍ଥ୍ୟସେବା ପାଇପାରୁଛନ୍ତି। ନୀଳକେଣ୍ଠେଶ୍ବର ମନ୍ଦିର ପୋଖରୀର ପୁନରୁଦ୍ଧାର ହୋଇଛି। ନିହାତି ଆବଶ୍ୟକ ରାସ୍ତା କାମ ସରିଛି। ପାର୍କ ସମସ୍ୟା ଦୂର କରିବାକୁ ପ୍ରୟାସ ଚାଲିଛି। ସ୍ବଚ୍ଛତାରେ ମୋ ୱାର୍ଡକୁ ଏକ ଆଦର୍ଶ ଅଞ୍ଚଳ ଭାବେ ଦେଖିବା ମୋର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଖୁବ୍‌ ଶୀଘ୍ର କଦର୍ଯ୍ୟ ହୋଇପଡ଼ିଥିବା ୨ ପୋଖରୀ କାମ ବି କରାଯିବ। ରାସ୍ତା ଓ ଡ୍ରେନ୍‌ କାମ ନିୟମିତ ପ୍ରକ୍ରିୟା ହୋଇଥିବାରୁ ପର୍ଯ୍ୟାୟକ୍ରମେ ସବୁ ସରିବ।

-ରାମଚନ୍ଦ୍ର ରଣସିଂହ, କର୍ପୋରେଟର

ସମ୍ବନ୍ଧିତ ଖବର