ଆଜି ବିଶ୍ବ ହସ୍ତୀ ଦିବସ: ହାତୀଶୂନ୍ୟ ହେବାକୁ ଯାଉଛି ଚନ୍ଦକା!

ଘାତକ ପାଲଟିଛି ହାର୍‌ପିସ୍‌ ସଂକ୍ରମଣ

ବାରଙ୍ଗ: ଏକଦା ଶହ ଶହ ହାତୀଙ୍କ ବାସସ୍ଥଳୀ ଭାବେ ଜଣାଶୁଣା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ହାତୀଶୂନ୍ୟ ହେବାକୁ ଯାଉଛି। ଏତେ ବଡ଼ ଅଭୟାରଣ୍ୟରେ ଏବେ କେବଳ ହାତଗଣତି ୧୨/୧୩ଟି ହାତୀ ରହିଛନ୍ତି। ଓଡ଼ିଶାରେ ହାତୀ ମୃତ୍ୟୁ ଉଦ୍‌ବେଗଜନକ ଭାବେ ବଢ଼ୁଥିବାବେଳେ ରାଜଧାନୀ ଉପକଣ୍ଠରେ ଥିବା ଏହି ଅଭୟାରଣ୍ୟରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ହାତୀ ଶିକାର, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା, ଟ୍ରେନ୍‌ ଦୁର୍ଘଟଣା ଭଳି ଘଟଣାରେ ହାତୀ ମୃତ୍ୟୁ ଘଟିଛି। ବନ ବିଭାଗର ବିଭିନ୍ନ ଯୋଜନା ସତ୍ତ୍ବେ ଏସବୁ କାରଣରୁ ଘଟୁଥିବା ହାତୀ ମୃତ୍ୟୁ ହ୍ରାସ ହୋଇ ପାରୁନାହିଁ। ତେବେ ଅଧିକ ମାରାତ୍ମକ ହୋଇଛି ହାର୍‌ପିସ୍‌ ସଂକ୍ରମଣ। ବିଶେଷକରି ଏହି ସଂକ୍ରମଣରେ ହାତୀ ଶାବକମାନେ ପ୍ରଭାବିତ ହୋଇ ପ୍ରାଣ ହରାଇଛନ୍ତି। ଏବେ ଓଡ଼ିଶାରେ ମାତ୍ର ୩୭୦ ହାତୀ ଥିବା ବେଳେ ୬ ବର୍ଷରେ ୩୮୮ ହାତୀ ମରିବା ଘଟଣା ଓଡ଼ିଶାରେ ହାତୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି।

ବନ ବିଭାଗ ହିସାବ ଅନୁସାରେ ଏବେ ଓଡ଼ିଶା ଜଙ୍ଗଲରେ ମୋଟ ୩୭୦ଟି ହାତୀ ଅଛନ୍ତି। ସେଥିରୁ ଚନ୍ଦକା ଡିଭିଜନରେ ୧୩, ଶିମିଳିପାଳରେ ୯୭ ଓ ବାକି ସବୁଗୁଡ଼ିକ କରଞ୍ଜିଆ ଓ ବାରିପଦା ଜଙ୍ଗଲରେ ଅଛନ୍ତି। ଗତ ୬ ବର୍ଷ ମଧ୍ୟରେ ହାତୀ ଓ ମଣିଷ ଲଢ଼େଇରେ ୩୮୮ ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୪୫୪ ଜଣ ମଣିଷଙ୍କର ପ୍ରାଣହାନି ଘଟିଛି। ସହର ଓ ଶିଳ୍ପର ଦ୍ରୁତ ବିକାଶ କାରଣରୁ ଦିନକୁ ଦିନ ହାତୀମାନଙ୍କର ବାସସ୍ଥାନ ସଙ୍କୁଚିତ ହେବାରେ ଲାଗିଛି। ଜଙ୍ଗଲ କ୍ଷୟ କାରଣରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ସଙ୍କଟ ବୃଦ୍ଧି ପାଉଛି। ତେଣୁ ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ସେମାନେ ଜନବସତି ମୁହାଁ ହେଉଛନ୍ତି। ଫଳରେ ଏହା ହାତୀ ମଣଷ ମଧ୍ୟରେ ସଂଘର୍ଷ ସୃଷ୍ଟି କରୁଛି। ଫଳରେ ଉଭୟ ହାତୀ ଓ ମଣିଷ ମରୁଛନ୍ତି। ଜନବସତି ମୁହାଁ ହୋଇ ହାତୀମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସୁଛନ୍ତି ଓ ଟ୍ରେନ୍‌ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିଭଳି ଏବେ ବି ହାତୀ ଶିକାରୀଙ୍କ ପ୍ରାଦୁର୍ଭାବ ଥମି ନାହିଁ। ଦାନ୍ତ ପାଇଁ ହାତୀ ଶିକାର ଚାଲିଛି। ଏହା କେବଳ ଭାରତ ବା ଓଡ଼ିଶାର ସମସ୍ୟା ନୁହେଁ, ସମଗ୍ର ବିଶ୍ବରେ ଏଭଳି ସ୍ଥିତି ରହିଛି। ତେଣୁ ହାତୀଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଉଛି।

୨୦୧୨ ମସିହାରୁ ଗତ ୯ ବର୍ଷ ହେଲା ଏହି ଦିବସ ପାଳନ ହେଉଥିଲେ ମଧ୍ୟ ହାତୀମାନେ ସୁରକ୍ଷିତ ହୋଇପାରିନଥିବା ସ୍ପଷ୍ଟ ହୋଇଛି। ଏବେ ହାତୀମାନଙ୍କ ପାଇଁ ବଡ଼ ବିପଦ ହୋଇଛି ହାର୍‌ପିସ୍‌ ସଂକ୍ରମଣ। ୨୦୧୯ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୧ ମଧ୍ୟରେ ଏହି ସଂକ୍ରମଣରେ ୭ ରୁ ୧୦ ବର୍ଷ ବୟସ୍କ ମୋଟ୍‌ ୮ଟି ଛୁଆ ହାତୀଙ୍କ ମୃତ୍ୟୁ ହୋଇଥିଲା। ନନ୍ଦନକାନନରେ ଚନ୍ଦନ, ଜୁଲି, ଗୌରୀ ଓ କମଳାର ଅକାଳ ମୃତ୍ୟୁ ହୋଇଥିଲା। ସେହିପରି ଡମପଡ଼ା ଅଭୟାରଣ୍ୟରେ ଏକ ଦଶ ବର୍ଷିୟ ଜଙ୍ଗଲି ହାତୀ ଏହି ସଂକ୍ରମଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲା। ତେଣୁ ଏହି ହାରରେ ମୃତ୍ୟୁ ଲାଗି ରହିଲେ, ଭବିଷ୍ୟତରେ ଚନ୍ଦକା ଭଳି ରାଜ୍ୟର ଅନେକ ଜଙ୍ଗଲ ହାତୀ ଶୂନ୍ୟ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର