ଡମ୍ପିଂୟାର୍ଡରେ ଲାଗିବ ଗଛ

ଭୁବନେଶ୍ୱର: ଭୁଆସୁଣି ଡମ୍ପିଂୟାର୍ଡରେ ବର୍ଜ୍ୟବସ୍ତୁ ପକାଇବା ବନ୍ଦ ହେବା ପରେ ବାୟୋମାଇନିଂ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବା‌ୟୋମାଇନିଂ ପାଇଁ ସେଠାରେ ମେସିନ୍‌ ସ୍ଥାପନା ହେଉଛି। ଏହି ଅଞ୍ଚଳରେ ମୂଳ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ମେୟର ସୁଲୋଚନା ଦାସ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର, ପବ୍ଲିକ ୱାର୍କ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅସୀମ ମିଶ୍ର ପ୍ରମୁଖ ଅଂଚଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।

ବାୟୋମାଇନିଂ ପ୍ରକ୍ରିୟା ଦ୍ବାରା ଆବର୍ଜନା ପରିଚାଳନା ହେବା ପରେ ମୂଳ ସ୍ଥିତି ଫେରି ଆସିବ। ତେବେ ତା’ ପୂର୍ବରୁ ତେବେ ଏହି ସ୍ଥାନରେ ବୃକ୍ଷରୋପଣ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଆମ୍ବ, ଲିମ୍ବ ଓ ସ୍ଥାନୀୟ କିସମର ବୃକ୍ଷରୋପଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବାରୁ ଜଳବନ୍ଦୀ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଯେଭଳି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ନଜର ଦେବାକୁ ସେ କହିଛନ୍ତି। ତୁରନ୍ତ କିଭଳି ଜଳ ନିଷ୍କାସନ କରି ପ୍ରକଳ୍ପ କାମ ଜାରି ରଖିହେବ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଠାରେ କାମ କରିବାକୁ ଥିବା ଶ୍ରମିକମାନଙ୍କ ରହିବା ପାଇଁ ରେଷ୍ଟ ସେଡ୍ ଓ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌, ରୋଷେଇ ଘର ଇତ୍ୟାଦି ଯାଞ୍ଚ କରିଥିଲେ।

ଗତ ବର୍ଷ ଫେବ୍ରୁଆରିରେ ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ୍‌ ଓ ଜନଆଧାର ସେବାଭାବି ସଂସ୍ଥା ସହ ବିଏମ୍‌ସି ବାୟୋମାଇନିଂ ପାଇଁ ଚୁକ୍ତି କରିଥିଲା। ୩ ବର୍ଷ ମଧ୍ୟରେ ୬୦ ଏକର ଜାଗାରେ ଜମା ହୋଇଥିବା ୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବର୍ଜନାକୁ ପରିଚାଳନା କରି ୨୦୨୫ ଜୁଲାଇ ସୁଦ୍ଧା ପ୍ରକଳ୍ପ ଶେଷ କରିବା ଯୋଜନା ରହିଥିଲା। କିନ୍ତୁ ଏବେ ୨୦୨୩ରେ କାମ ଆରମ୍ଭ ହୋଇଥିବାରୁ ପ୍ରକଳ୍ପ ୨୦୨୬ ମସିହା ଶେ‌ଷ ଆଡ଼କୁ ପ୍ରକଳ୍ପ ସରିବ ବୋଲି କୁହାଯାଉଛି। କିନ୍ତୁ ଆଗକୁ ବର୍ଷା ଋତୁ ଆସୁଥିବାରୁ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର