ପଡ଼ୋଶୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ଭାଇ ଗିରଫ

ଭୁବନେଶ୍ବର : ଡିଜେ ବଜାଇ ନାଚିବା ବେଳେ ଛୋଟ ଛୁଆ ତଳେ ପଡ଼ିଯିବାକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଆଇଆର୍‌ସି ଭିଲେଜ ତ୍ରିନାଥନଗର ବସ୍ତିର ଜିତେନ୍ଦ୍ର ସେଠୀ ଓ ମନୋଜ ସେଠୀ। ସିଲୁ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେ ଓ ତାଙ୍କ ପରିବାରଲୋକ ଘର ଅଗଣାରେ ଡିଜେ ବଜାଇ ନାଚୁଥିଲେ। ଏହି ସମୟରେ ପଡ଼ୋଶୀ ଜିତେନ୍ଦ୍ରଙ୍କ ଭଉଣୀ ଛନ୍ଦା ତାଙ୍କ ୩ ବର୍ଷର ପୁଅକୁ ସାଙ୍ଗରେ ଆଣି ସେଠାରେ ନାଚିଥିଲେ। ସମସ୍ତେ ନାଚରେ ମସଗୁଲ୍ ଥିବା ବେଳେ ଛନ୍ଦାଙ୍କ ପୁଅ ତଳେ ପଡ଼ି ଯାଇଥିଲା। ଏହାକୁ କେନ୍ଦ୍ର କରି ଜିତେନ୍ଦ୍ର, ଭାଇ ମନୋଜ ଓ ପରିବାରଲୋକ ମିଳିତ ଭାବେ ସିଲୁ ଓ ତାଙ୍କ ପରିବାରଲୋକଙ୍କୁ କାଠଫାଳିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ସିଲୁଙ୍କ ଭାଇ ନିଲୁଙ୍କ ମୁଣ୍ଡକୁ ଜିତେନ୍ଦ୍ର ଏକ କଟୁରିରେ ହାଣି ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କାଠ ଫାଳିଆ ଜବତ କରିଛି।

ସମ୍ବନ୍ଧିତ ଖବର