ଏମ୍‌ସରେ ଗୁରୁତର ପାଣି ସଂକଟ: ଡାକ୍ତରଙ୍କୁ ବିଷାକ୍ତ ପାଣି ଯୋଗାଣ

ବାରମ୍ବାର ଅଭିଯୋଗ ପରେ ପଦକ୍ଷେପ ଶୂନ

ଭୁବନେଶ୍ବର: ଏମ୍‌ସରେ ଗୁରୁତର ପାଣି ସଙ୍କଟ। ଆବଶ୍ୟକତା ଅନୁସାରେ ଡାକ୍ତରମାନଙ୍କୁ ପାଣି ଯୋଗାଣ ହୋଇ ପାରୁନାହିଁ। ଯେଉଁ ପାଣି ଆସୁଛି ତାହା ମଧ୍ୟ କଳା, ଗୋଳିଆ ପାଣି। ଓ୍ବାଟର ଫିଲଟର ଖୋଲି ଦେଲେ କେବଳ ମାଟି ଗୁଣ୍ଡ ବାହାରୁଛି। ଆବାସିକ ଡାକ୍ତର ଏବଂ ଏମବିବିଏସ ଡାକ୍ତରଙ୍କ ପାଇଁ ରହିଥିବା ଛାତ୍ରାବାସରେ ଏଭଳି ଗୋଳିଆ ପାଣି ଯୋଗାଣ ହେଉଛି। ଏହାକୁ ନେଇ ଆବାସିକ ଡାକ୍ତରମାନେ ବିଭିନ୍ନ ସମୟରେ ଏମ୍‌ସ ଅଧୀକ୍ଷକ ଏବଂ ଡିନ୍‌ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଲାଭ ହେଉ ନାହିଁ।

ସୂଚନା ଅନୁଯାୟୀ, ଏମ୍‌ସର ୪ଟି ଛାତ୍ରାବାସରେ ୫୦୦ ଆବାସିକ ଡାକ୍ତର ପରିବାର ସହିତ ରହୁଛନ୍ତି। ପ୍ରତ୍ୟେକ ଛାତ୍ରାବାସରେ ୮ଟି ଓ୍ବାଟର ଫିଲଟର ରହିଛି। ଅଧିକାଂଶ ଓ୍ବାଟର ଫିଲଟର ଅଚଳ ହୋଇ ପଡ଼ିଛି। ଏଥିଯୋଗୁଁ ସ୍ଥିତି ଏଭଳି ହୋଇଛି ଯେ ୨୦ ପରିବାରଙ୍କୁ ଗୋଟିଏ ଓ୍ବାଟର ଫିଲଟର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିଯୋଗୁଁ ପ୍ରତିଦିନ ପାଣି ପାଇଁ ସେମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି। ନିୟମ ଦୃଷ୍ଟିରୁ କିଛି ମାସ ବ୍ୟବଧାନରେ ଏହି ଓ୍ବାଟର ଫିଲଟର ସଫା କରାଯିବା କଥା। ମାତ୍ର ତାହା କରାଯାଉ ନାହିଁ। ଫଳରେ ପାଣି ମଧ୍ୟ ଗୋଳିଆ ରହୁଛି। ଯେଉଁ ପାଣି ପିଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ। କିଛି ମାସ ହେଲା ଏହି ସମସ୍ୟା ଲାଗି ରହିଛି। ଏଥିଯୋଗୁଁ ଛାତ୍ରାବାସରେ ପାଣିକୁ ନେଇ ଜଟିଳ ସ୍ଥିତି ମଧ୍ୟ ସୃଷ୍ଟି ହେଲାଣି। ଡାକ୍ତର ବିଦ୍ୟାର୍ଥୀ ରହୁଥିବା ଛାତ୍ରାବାସରେ ମଧ୍ୟ ସେହି ସମାନ ସ୍ଥିତି ରହିଛି। ଯଦି ଡାକ୍ତରମାନଙ୍କୁ ଏଭଳି ପାଣି ଯୋଗାଣ ହେଉଛି ରୋଗୀମାନଙ୍କ ଅବସ୍ଥା କିଭଳି ଥିବ ଏଥିରୁ ସହଜରେ ଅନୁମାନ କରାଯାଇ ପାରେ।

ସମ୍ବନ୍ଧିତ ଖବର