କିଏ ସେ ନିର୍ଦ୍ଦୟ! ୨ମାସର ଶିଶୁପୁତ୍ରକୁ ରାସ୍ତା କଡ଼ରେ ଫିଙ୍ଗିଦେଲା

ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ୧୦ଟା ବେଳେ ପଟିଆ ଛକସ୍ଥିତ ରାସ୍ତା କଡ଼ର ଗୋଟିଏ ପାନ ଦୋକାନ ନିକଟରୁ ଏକ ୨ ମାସର ଶିଶୁପୁତ୍ରକୁ ଉଦ୍ଧ‌ାର କରାଯାଇଛି। ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ଇନ୍‌ଫୋସିଟି ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ଶିଶୁଟିକୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇଛି। ଖବର ପାଇ ଚାଇଲ୍‌ଡ ଲାଇନ୍‌ ହସ୍ପିଟାଲରେ ପହଞ୍ଚି ଶିଶୁର ତଦାରଖ କରୁଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଦୁଇ ମାସର ସୁସ୍ଥ ଶିଶୁପୁତ୍ରଟିକୁ କିଏ କାହିଁକି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗି ଦେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲକ୍‌ଡାଉନ୍‌ରେ ବଜାରରୁ ଚୋରି ହେଉଥିବାରୁ ପାନ ଦୋକାନୀ ଜଣକ ରାତିରେ ଦୋକାନରେ ଶୋଇବାକୁ ଆସିଥିଲେ। ସେ ଦୋକାନ ନିକଟରେ ପହଞ୍ଚିବା ପୂର୍ବରୁ ଶିଶୁଟିର କାନ୍ଦ ଶୁଣି ଚମକି ପଡ଼ିଥିଲେ। ତେବେ ଶିଶୁଟି ତଳେ ଏକ ଗାମୁଛାରେ ଶୋଇ କାନ୍ଦୁଥିବା ସେ ଟର୍ଚ୍ଚ ଲାଇଟ୍‌ରେ ଦେଖିଥିଲେ। ତୁରନ୍ତ ସେ ଆଖପାଖର କିଛି ଦୋକାନୀଙ୍କୁ ଡାକ ପକାଇଥିଲେ। ସେହି ବାଟ ଦେଇ ଯାଉଥିବା କିଛି ଲୋକ ମଧ୍ୟ ଅଟକି ଯାଇଥିଲେ। ପରେ ସେମାନେ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ଏନେଇ ପୁଲିସ ଆସନ୍ତାକାଲି ନିକଟସ୍ଥ ବସ୍ତିରେ ଛାନ୍‌ଭିନ୍ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର