ବିଶ୍ବ ଛେନାପୋଡ଼ ଦିବସ ପାଳିତ : ଜିଆଇ ଟ୍ୟାଗ୍ ହାସଲ ଲାଗି ଉଦ୍ୟମ କରାଯିବ

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ଭୁବନେଶ୍ୱର ଜନପଥରେ ଥିବା ନିମନ୍ତ୍ରଣ ରେଷ୍ଟୁରାଣ୍ଟଠାରେ ଆୟୋଜିତ ହୋଇଛି ବିଶ୍ବ ଛେନାପୋଡ଼ ଦିବସ । ରାଜ୍ୟ ସୂଚନା ପ୍ରଯୁକ୍ତି ବିଭାଗ  ସଚିବ ମନୋଜ ମିଶ୍ର, ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଅଂଶୁମାନ ରଥ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୧୯୩୧ ଏପ୍ରିଲ ୧୧ରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ସାହୁ ଥିଲେ ନୟାଗଡ଼ରେ ପ୍ରସ୍ତୁତ ଛେନାପୋଡର ଜନ୍ମଦାତା। ତାଙ୍କର ଜନ୍ମତିଥିକୁ ଆଗାମୀ ଦିନରେ ଛେନାପୋଡ଼ ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଗାମୀ ପିଢ଼ିକୁ ଛେନାପୋଡ଼ର ବିଶେଷତ୍ୱ ଜଣାଇବା ସହ ସାରା ଦେଶରେ ଏହାର ପ୍ରଚାରପ୍ରସାର ଦିଗରେ ଗୁରୁତ୍ୱାରୋପ ଆବଶ୍ୟକ ବୋଲି ମତ ରଖିଛନ୍ତି ଅତିଥି ।

ସେହିପରି ପ୍ରଥମ ଥର ପାଇଁ  ନୟାଗଡ଼ରେ ବିପୁଳ ଉତ୍ସାହର ସହ ପାଳନ ହୋଇଛି ବିଶ୍ବ ଛେନାପୋଡ଼ ଦିବସ।  ଛେନାପୋଡ଼ର ଜନକ ନୟାଗଡ଼ର ବାସିନ୍ଦା ସୁଦର୍ଶନ ସାହୁଙ୍କ ଜୟନ୍ତୀକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ଆଜି ପାଳନ କରାଯାଇଛି। ପ୍ରଥମ ଥର ପାଇଁ ଏଭଳି ଉତ୍ସବ ଆୟୋଜନ ଆଜି କରାଯାଇଥିଲା। ନୟାଗଡ଼ ବସଷ୍ଟାଣ୍ଡ ଛକରେ ଏହି କାର୍ଯ୍ୟକ୍ରମ ହେଲ୍ପ ହ୍ୟାଣ୍ଡ୍ସ ନାମକ ଅନୁଷ୍ଠାନର ସହଯୋଗରେ କରାଯାଇଥିଲା। ଏଥିରେ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଛେନାପୋଡ଼ କଟାଯାଇ ସମସ୍ତଙ୍କୁ ବଣ୍ଟା ଯାଇଥିଲା। ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯିବ, ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ନେଇ ଉଦ୍ୟମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର