ଜମିବାଡ଼ିକୁ କେନ୍ଦ୍ର କରି ସେବାୟତ ପରିବାରରେ ଗଣ୍ଡଗୋଳ, ପୁଲିସ ଉପସ୍ଥିତିରେ ଭାଇକୁ ହାଣିଲା

ଭୁବନେଶ୍ୱର : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ବୁଧବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏକ ସେବାୟତ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ପୁଲିସ୍‌ ଉପସ୍ଥିତିରେ ଜଣେ ଯୁବକ ଏକ କଟୁରିରେ ତାଙ୍କ ଭାଇମାନଙ୍କୁ ଆକ୍ରମଣ କରିଛି। ଏଥିରେ ଦୁଇ ଭାଇ କମଳାକାନ୍ତ ବଡ଼ୁ ଓ ଚନ୍ଦ୍ରକାନ୍ତ ବଡ଼ୁ ଆହତ ହୋଇଛନ୍ତି। ଦୁହିଁଙ୍କୁ ସ୍ଥାନୀୟ ଡାକ୍ତରଖାନା‌‌ରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଆକ୍ରମଣକାରୀ ଦୀପ୍ତିକାନ୍ତ ବଡ଼ୁ ଓରଫ୍‌ ଦୀପୁନାକୁ ପୁଲିସ୍‌ ଗିରଫ କରିଛି। ଗଣ୍ଡଗୋଳ‌ରେ ସେ ମଧ୍ୟ ଆହତ ହୋଇଥିବାରୁ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି। ସୁସ୍ଥ ହେବା ପରେ ତାକୁ କୋର୍ଟଚାଲାଣ କରାଯିବ ବୋଲି ଶ୍ରୀଲିଙ୍ଗରାଜ ଥାନା ସୂତ୍ରରୁ ସୂଚନା ମିଳିଛି।

ପୁଲିସ୍‌ ସୂଚନାନୁସାରେ, ଜମିବାଡ଼ିକୁ ନେଇ ଦୀପୁନା ସହ ତା’ର ଅନ୍ୟ ୪ ଭାଇଙ୍କ ବିବାଦ ଲାଗି ରହିଥିଲା। ତେଣୁ ୪ ଭାଇ ଦୀପୁନାଠାରୁ ଅଲଗା ହୋଇଯାଇଥିଲେ ଓ ଖରାଖିଆ ବୈଦ୍ୟନାଥ ଲେନ୍‌ସ୍ଥିତ ନୂଆ ଘରେ ରହୁଥିଲେ। ଆଗକୁ ଶୀତଳ ଷଷ୍ଠୀ ଥିବାରୁ ଦୁଇ ଭାଇ କମଳାକାନ୍ତ ଓ ଚନ୍ଦ୍ରକାନ୍ତ କିଛି ଦରକାରୀ ଜିନିଷ ଆଣିବାକୁ ଦୀପୁନା ରହୁଥିବା ଲିଙ୍ଗରାଜ ମନ୍ଦିର ନିକଟ ପୁରୁଣା ଘରକୁ ଯାଇଥିଲେ। କିନ୍ତୁ ଜିନିଷ ଥିବା ଘରେ ନୂଆ ତାଲା ଝୁଲୁଥିବାରୁ ଦୁଇ ଭାଇ ଏ ସଂପର୍କରେ ଅନ୍ୟ ଭାଇମାନଙ୍କୁ ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସକୁ ଖବର ଦେଇଥିଲେ। ଏହାର କିଛି ସମୟ ପରେ ଅନ୍ୟ ଭାଇମାନଙ୍କ ସହ ପୁଲିସ୍ ସେଠାରେ ପହଞ୍ଚି ଯାଇଥିଲା। ଏହା ଦେଖି ଦୀପୁନା ଉତ୍ତ୍ୟକ୍ତ ହୋଇ ଏକ କଟୁରିରେ ଭାଇମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଏ ସଂପର୍କରେ ଲିଙ୍ଗରାଜ ଥାନାରେ ଏତଲା ହେବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଦୀପୁନାକୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ମଧ୍ୟ ଦୀପୁନା ସହ ଅନ୍ୟ ଭାଇମାନଙ୍କ ଗଣ୍ଡଗୋଳ ହୋଇଥିଲା। ସେତେବେଳେ ଉଭୟ ପକ୍ଷରୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରାଯାଇଥିଲା। ଥାନା ଅଧିକାରୀ ଉଭୟ ପକ୍ଷଙ୍କୁ ଡାକି ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଆଲୋଚନା ସଫଳ ହୋଇନଥିଲା ଓ ଉତ୍ତ୍ୟକ୍ତ ଦୀପୁନା ଥାନା ମଧ୍ୟରେ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅନ୍ୟ ଭାଇମାନଙ୍କୁ ଆକ୍ରମଣ କରିଥିଲା। ତେଣୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ନିକଟରେ ସେ ଜାମିନ୍‌‌ରେ ମୁକୁଳିଥିଲା।

ସମ୍ବନ୍ଧିତ ଖବର