ଦୀପାବଳି: ଏକ ନୂତନ ଚେତନା ଜାଗରଣର ପର୍ବ

ଦୀପାବଳି ଭାରତବାସୀଙ୍କ ଅତି ପ୍ରିୟ ପର୍ବ। ପ୍ରତ୍ୟେକ ପର୍ବକୁ ପାଳନ କରିବାରେ ଲୁକ୍କାୟିତ ଥାଏ ଆଧ୍ୟାତ୍ମିକ ଗୁଢ଼ ରହସ୍ୟ। ଏହାକୁ ହୃଦୟଙ୍ଗମ କଲେ, ଏକ ନୂତନ ଚେତନା ମନ ଭିତରେ ସଞ୍ଚରିତ ହୁଏ।

ଦୀପାବଳି କାର୍ତିକ ମାସର ଅମାବାସ୍ୟା ତିଥି ପାଳିତ ହୁଏ ଅର୍ଥାତ୍‌ ଅନ୍ଧକାର ରାତିରେ। ଅନ୍ଧକାରକୁ ସମାପ୍ତ କରିବା ପାଇଁ ଆଲୋକର ଆବଶ୍ୟକତା ଥାଏ। ଏଠାରେ ଅନ୍ଧକାର ହେଉଛି ଅଜ୍ଞାନ ଏବଂ ଆଲୋକ ହେଉଛି ଜ୍ଞାନ।

ଶ୍ରୀମଦ୍‌ ଭଗବତ ଗୀତାର ୪ର୍ଥ ଅଧ୍ୟାୟ ୭ମ ଶ୍ଳୋକ ‘ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ’ କଳ୍ପ ପର୍ବରୁ କଳିଯୁଗର ଅନ୍ତ ସମୟରେ ଯେତେବେଳେ ସର୍ବମନୁଷ୍ୟାତ୍ମା ଅଜ୍ଞାନ ଅନ୍ଧକାରରେ ନିଜକୁ ଏବଂ ପରମପିତା ପରମାତ୍ମାଙ୍କୁ ଭୁଲି ପାପ, ଅନ୍ୟାୟ, ଅତ୍ୟାଚାରରେ ମଗ୍ନ ହୁଅନ୍ତି, ସେତେବେଳେ ସ୍ବୟଂ ପରମପିତା ପରମାତ୍ମା ଶିବ ଭଗବାନ ଏହି ଧରାରେ ଅବତରିତ ‌ହୋଇ ନିଜର ପ୍ରକୃତ ପରିଚୟ ପ୍ରଦାନ କରିବା ସଂଗେ ସଂଗେ ଶ୍ରୀମତ୍‌ ରୂପୀ ସତ୍‌ମାର୍ଗ ଦର୍ଶାଇ ଏହି ଦୁଃଖ-ଅଶାନ୍ତିପୂର୍ଣ୍ଣ କଳିଯୁଗ ଦୁନିଆକୁ ସୁଖଶାନ୍ତି ସଂପନ୍ନ ସତ୍ୟଯୁଗୀ ଦୁନିଆରେ ପରିବର୍ତନ କରନ୍ତି। ଯେପରି ଦୀପଟି ଲିଭି ହୋଇ ଯାଉଥିବାବେଳେ ଯଦି ତେଲ ବା ଘିଅ ଢାଳିଲେ, ଦୀପଟି ପୁନଶ୍ଚ ଜଳି ଉଠେ। ଠିକ୍‌ ସେହିପରି, ପରମାତ୍ମାଙ୍କ ଜ୍ଞାନ ଘୃତ ଦ୍ବାରା ଆତ୍ମା ଜ୍ୟୋତି ପୁନଶ୍ଚ ଜଳିଉଠେ। ସେହି ସ୍ମୃତି ଉଦ୍ଦେଶ୍ୟରେ ଦୀପାବଳିରେ ଦୀପ ପ୍ରଜ୍ବଳନ କରାଯାଏ।

ଯାହା ଶ୍ରୀମଦ୍‌ ଭଗବତ ଗୀତାର ନବମ ଅଧ୍ୟାୟର ୩୪ ଶ୍ଳୋକରେ ବର୍ଣ୍ଣିତ ‘ମନ୍ମନା ଭବ ମଭକ୍ତୋ ମଦ୍‌ଯାଦୀ ମାଂ ନମସ୍କୁରୁ।’ ଅର୍ଥାତ୍‌ ନିଜକୁ ଆତ୍ମ ନିଶ୍ଚୟ କରି ମୋତେ ଯଥାର୍ଥ ରୂପେ ଜାଣି ମନେ ପକାଇଲେ, ମୋତେ ନିଶ୍ଚୟ ପ୍ରାପ୍ତ ହେବ। ଆତ୍ମା ରୂପୀ ବ୍ୟାଟେରିକୁ ସର୍ବ ଶକ୍ତିମାନ ପରମାତ୍ମାଙ୍କ ସଂଗେ ଯୋଡ଼ିଲେ ଆତ୍ମା ଭିତରେ ବିଦ୍ୟମାନ ଅବଗୁଣର ବିନାଶ ହେବା ସଂଗେ ସଂଗେ ଆତ୍ମାର ଅନାଦି ଏବଂ ଆଦିଗୁଣ ଜାଗରଣ ହୁଏ। ଏହି ଅଭ୍ୟାସ ନିରନ୍ତର ଦ୍ବାରା ଆତ୍ମା ସଂପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରେ ସେହି ସ୍ମୃତିର ଉତ୍ସବ ରୂପରେ ଦୀପାବଳି ପାଳିତ ହୁଏ। କାରଣ ଆତ୍ମା ରୂପୀ ଜ୍ୟୋତି ସମସ୍ତଙ୍କର ଜାଗରଣ ହେବା ଦ୍ବାରା ଏହି ସୃଷ୍ଟିରେ ଏକ ମହାନ ପରିବର୍ତ୍ତନ ହୋଇ ନୂତନ ସୃଷ୍ଟି ଅର୍ଥାତ ସତ୍ୟର ସମୟ ସତ୍ୟଯୁଗର ଆରମ୍ଭ ହୁଏ। ଦଶହରା ଅର୍ଥାତ୍‌ ପୁରୁଷାର୍ଥ ବା ପ୍ରଚେ‌ଷ୍ଟା। ଦୀପାବଳି ଅର୍ଥାତ୍‌ ସଂପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତି। ସେଥିପାଇଁ ସେଥିପାଇଁ ଦଶହରା ପରେ ଦୀପାବଳି ପାଳନ ହୁଏ।

ବ୍ରହ୍ମାକୁମାର ଲଳିତ
ବ୍ରହ୍ମାକୁମାରୀଜ୍‌, ଝାଞ୍ଜିରମଙ୍ଗଳା, କଟକ

ସମ୍ବନ୍ଧିତ ଖବର