ଦାରିଦ୍ର୍ୟ ଦୂରୀକରଣରେ ଅଭିଜିତ ବାନାର୍ଜୀ

ସୀତା˚ଶୁ ତ୍ରିପାଠୀ

ପ୍ରଖ୍ୟାତ ବ୍ରିଟିସ ଲେଖକ ଇ.ଏମ୍‌. ଫଷ୍ଟରଙ୍କ ଭାଷାରେ ଦରିଦ୍ରର ସ˚ଜ୍ଞା ହେଉଛି ଏଭଳି ଜଣେ ବ୍ୟକ୍ତି ଯାହାଙ୍କ ପାଖରେ ପରିବାର ପ୍ରତିପାଳନ ପାଇଁ ଅର୍ଥ ନ ଥିବ, ଖାଦ୍ୟ ବା ବସ୍ତ୍ର ଲାଗି ସମ୍ବଳ ନ ଥିବ ଏବ˚ ସୁସ୍ଥ ଜୀବନ ଯାପନ ଲାଗି ନିର୍ମଳ ପରିବେଶ ନଥିବ। ଏଭଳି ବ୍ୟକ୍ତି ବିଶେଷଙ୍କ ସମୀପକୁ ସରକାର ବା ପ୍ରଶାସନ ଯାଇ ପହଞ୍ଚିବା ହେଉଛି ଏକ ଗଣତନ୍ତ୍ରରେ ସବୁଠାରୁ ବଡ଼ ଦାୟିତ୍ବ। ଏକ ସୁସ୍ଥ ଗଣତନ୍ତ୍ର ହେଉଛି ତାହା, ଯାହା ଏଭଳି ଦରିଦ୍ର ଓ ପଛୁଆ ବର୍ଗଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ସେମାନଙ୍କ ସ୍ୱପ୍ନକୁ ଚରିତାର୍ଥ କରିବାରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରେ।

ସେହି ଆଧାରରେ ଆମ ରାଜ୍ୟର ‘ମୋ ସରକାର’ ଯୋଜନା ଏକ ମହତ୍ତ୍ବାକା˚କ୍ଷୀ ଲୋକାଭିମୁଖୀ ଯୋଜନା। ପୁଣି ଯାହା ଏହି ଯୋଜନାର ଉତ୍କର୍ଷ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ତାହା ହେଲା ଏହାକୁ ସଫଳ କରିବା ପାଇଁ ଚଳିତ ବର୍ଷର ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ ଏବ˚ ଏସ୍ଥର ଡଫ୍‌ଲୋଙ୍କ ପରାମର୍ଶ ଲୋଡ଼ାଯିବା। ଅଭିଜିତ ଓ ଏସ୍ଥର ଦାରିଦ୍ର୍ୟ ଦୂରୀକରଣ ପାଇଁ ତୃଣମୂଳ ସ୍ତରରେ ଅନେକ ଗବେଷଣା କରିଛନ୍ତି ଓ ସେଥି ଲାଗି ସାରା ବିଶ୍ବରେ ଉଚ୍ଚ ପ୍ରସ˚ଶିତ ମଧ୍ୟ ହୋଇଛନ୍ତି। ଏହି ଦୁଇ ନୋବେଲ ପୁରସ୍କାର ବିଜେତାଙ୍କ ଜ୍ଞାନ ଓ ଅଭିଜ୍ଞତାକୁ ଆଧାର କରି ରାଜ୍ୟ ସରକାର ଓଡ଼ିଶାରୁ ଦାରିଦ୍ର୍ୟ ହଟାଇବାର ଆଶା ରଖିଛନ୍ତି।

ଏହା ପୂର୍ବରୁ ଅଭିଜିତ ବାନାର୍ଜୀଙ୍କ ଅନୁଷ୍ଠାନ ‘ଜେ-ପଲ୍‌’ ସହିତ ମିଳିତ ଭାବେ ହରିଆଣା ସରକାର ସ୍ବାସ୍ଥ୍ୟ ମିସନର କାର୍ଯ୍ୟାରମ୍ଭ କରିଛନ୍ତି। ଅଭିଜିତ ବାନାର୍ଜୀଙ୍କ କାର୍ଯ୍ୟ ଶୈଳୀ ଏକ ବିଜ୍ଞାନ ପରୀକ୍ଷାଗାର ସୁଲଭ। ସେ ଓ ତାଙ୍କ ଦଳ ଦାରିଦ୍ର୍ୟର କାରଣ ଖୋଜନ୍ତି ଓ ତାର ଦୂରୀକରଣ ଲାଗି ବ୍ୟବସ୍ଥିତ ଉଦ୍ୟମ କରନ୍ତି। ଏଥି ଲାଗି ତୃଣମୂଳ ସ୍ତରରେ ତଥ୍ୟ ସ˚ଗ୍ରହ କରାଯାଏ ଏବ˚ ବିଭିନ୍ନ ପାରିପାର୍ଶ୍ବିକ ଉପାଦାନକୁ ବିଚାରକୁ ନେଇ ଦାରିଦ୍ର୍ୟ ଦୂରୀକରଣର ଉଦ୍ୟମ କରାଯାଏ। ଏଭଳି ଏକ ନୂଆ ମାର୍ଗରେ ଦାରିଦ୍ର୍ୟ ଦୂରୀକରଣର ପ୍ରୟାସ ସଫଳ ହେବ ବୋଲି ଅନେକଙ୍କ ଆଶା।

ଏହି ଗବେଷଣା ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଧାରଣରେ ପଥ ପ୍ରଦର୍ଶକ ହୋଇପାରିବ। ଏହି ପ୍ରକ୍ରିୟାରେ ‘ଜେ-ପଲ୍‌’ ଶ୍ରମ, ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ଲାଗି ଯୋଜନାର ରୂପରେଖ ପ୍ରସ୍ତୁତ କରିବ, ବିଭିନ୍ନ ପୁରୁଣା ମଡେଲ୍‌ର ମୂଲ୍ୟାୟନ କରିବ। ଏତଦ୍‌ବ୍ୟତୀତ ଦକ୍ଷତା ବିକାଶ ପରଖିବା ଓ ତାଲିମ ଦେବା କାର୍ଯ୍ୟ ମଧୢ ସରକାର ଓ ‘ଜେ-ପଲ୍‌’ର ମିଳିତ ତଦାରଖରେ ହେବ। ‘ଜେ-ପଲ୍‌’ ଦ୍ବାରା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ହରିଆଣା ମଡେଲ ଓ ନିକାରାଗୁଆରେ ଅଣସ˚ଗଠିତ କ୍ଷେତ୍ରରେ ସ୍ବାସ୍ଥ୍ୟ ବୀମା ଲାଗି ପ୍ରବର୍ତ୍ତନ କରାଯାଇଥିବା ମାଇକ୍ରୋ ଫାଇନାନ୍‌ସ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆମ ରାଜ୍ୟରେ ମଧୢ ଅନୁରୂପ କାର୍ଯ୍ୟକ୍ରମ ଦେଖିବାକୁ ମିଳିପାରେ।

ଓଡ଼ିଶାରେ ଦାରିଦ୍ର୍ୟ ହଟେଇବା ପାଇଁ ଏବେ ଯେମିତି ଗବେଷଣା ଆଧାରିତ ପଦକ୍ଷେପ ନିଆଯାଉଛି, ଆଗରୁ ସେଭଳି ହୋଇ ନ ଥିଲା। ଆଶା କରାଯାଏ, ଅଭିଜିତ ବାନାର୍ଜୀଙ୍କ ଗବେଷଣା ମଡେଲ ଆମ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣର ନୂଆ ବାଟ ଫିଟାଇବ।

ସମ୍ବଲପୁର
ମୋ-୯୪୩୮୦-୨୨୨୨୨

ସମ୍ବନ୍ଧିତ ଖବର