ଗୋଟିଏ ସହରରେ ଥିଲେ ଜଣେ ଭଲ ଲୋକ। ସେ ନିଜ ଜୀବନରେ ଜାଣତରେ କୌଣସି ପାପ କରି ନ ଥିଲେ। କେବଳ ସେତିକି ନୁହେଁ, ଦୀନଦୁଃଖୀଙ୍କୁ ସହାୟତା କରିବା ସହିତ ସେ ଦାନ ଧର୍ମ ମଧୢ କରୁଥିଲେ। ସେଇ ଭଲ ଲୋକଙ୍କ ଦିନେ ମୃତ୍ୟୁ ହୋଇଗଲା। ତତ୍‌କ୍ଷଣାତ୍‌ ଯମଦୂତମାନେ ପହଞ୍ଚି ତାଙ୍କ ଆତ୍ମାକୁ ନର୍କକୁ ନେଇ ଚାଲିଲେ। ଏ କଥାରେ ଭଲ ଲୋକ ଜଣଙ୍କର ଆତ୍ମା ବିସ୍ମିତ ହେଲା ଓ ପ୍ରତିବାଦ କରି କହିଲା- ଭାଇ ତୁମେମାନେ ମୋତେ କାହିଁକି ନର୍କକୁ ବୋହି ନେଉଛ। ଟିକିଏ ଅପେକ୍ଷା କଲ ନାହିଁ କାହିଁକି? ମୁଁ ସିଧା ସ୍ବର୍ଗକୁ ଯିବା କଥା। ହୁଏତ ଦେବଦୂତମାନଙ୍କର ଆସିବାରେ ଟିକିଏ ବିଳମ୍ବ ହୋଇଯାଇଥିବ, ତୁମେମାନେ କାହିଁକି ମୋତେ ସାଙ୍ଗେ ସାଙ୍ଗେ ନେଇ ଚାଲି ଆସିଲ? କିନ୍ତୁ ଯମଦୂତମାନେ କିଛି ଶୁଣିବା ପରିସ୍ଥିତିରେ ନ ଥିଲେ। ସେମାନେ ତାଙ୍କୁ ନେଇ ଯମଙ୍କ ଆଗରେ ଛିଡ଼ା କରାଇଲେ। ସେଠାରେ ମଧୢ ଭଲଲୋକଙ୍କ ଆତ୍ମା ସେଇ କଥା କହି ବଡ଼ ପାଟିରେ ପ୍ରତିବାଦ କଲା। ଯମ ତାଙ୍କୁ ତୁନି କରାଇ ଦେଇ କହିଲେ- ଚିତ୍ରଗୁପ୍ତ, ୟାଙ୍କର ପଞ୍ଜିକା ଦେଖ।

Advertisment

ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ- ଆଜ୍ଞା, ଏ ଲୋକ ଯାହା ସବୁ ପୁଣ୍ୟ କରିଛନ୍ତି, ସିଧା ସ୍ବର୍ଗକୁ ଯିବା କଥା। ଏହାଙ୍କୁ ଏଠାକୁ ଅଣାଇ ଆପଣ ଟିକିଏ ଭୁଲ କରିଦେଇଛନ୍ତି ବୋଧହୁଏ! ଯମରାଜ ହସିଲେ ଓ କହିଲେ- ଚିତ୍ରଗୁପ୍ତ, ତୁମେ ଆଉ ହେବନାହିଁ। ସେ ଯଦି ଭଲ ଲୋକ ଥିଲେ, କାହିଁକି ସେମିତି ଥିଲେ ତାହା ଦେଖୁନା? ସବୁ ବୁଝିପାରିବ। ବଡ଼ କଥା ହେଲା, ପାପ କଲେ ନର୍କକୁ ଆସିବାକୁ ପଡ଼ିବ ବୋଲି ଭୟରେ ସେ ପାପ କରି ନାହାନ୍ତି ଓ ଭଲ କାମ କଲେ ସ୍ବର୍ଗକୁ ଯିବା ଲୋଭରେ ସେ ଦାନଧର୍ମ ଆଦି କରିଛନ୍ତି। ଯେଉଁ କାମ ତୁମେ ନିଜ ମନ ଭିତରୁ ନ କରି ଭୟ ବା ଲୋଭର ଚାପରେ କର ତାହା ପ୍ରକୃତରେ ବିଶୁଦ୍ଧ ଭଲ କାମ ନୁହେଁ। ତେଣୁ ସେ ଭଲ ଲୋକର ଅଭିନୟ କରୁଥିଲେ ଯାହା!