ଜେନ୍ ଗୁରୁ ନେନେଙ୍କ ପାଖରୁ କିଛି ଶିକ୍ଷା କରିବାକୁ ଆସିଥିବା ବାଳକଟି କେବଳ ତାଙ୍କ ମୁହଁକୁ ଚାହିଁ ରହୁଥିଲା, କେତେବେଳେ କୌଣସି ମହାର୍ଘ ବାକ୍ୟ ଦେଇ ପ୍ରଜ୍ଞାର ମୋତି ଝରି ପଡ଼ିବ। କିନ୍ତୁ ତାହା ହେଉ ନ ଥିଲା। ନେନେ ଅଧିକା˚ଶ ସମୟ ବଗିଚାରେ ବସି କାଟୁଥିଲେ। ସେ କଥାବାର୍ତ୍ତା କରୁ ନ ଥିଲେ ଓ କେବଳ ନିବିଷ୍ଟ ଚିତ୍ତରେ କେଉଁ ଗଛକୁ ବା କେଉଁ ପତଙ୍ଗକୁ ଚାହିଁ ବସୁଥିଲେ। ଶିଷ୍ୟଟି ଧୈର୍ଯ୍ୟହରା ହୋଇପଡୁଥିଲା। ସମୟ ଗଡ଼ି ଯାଉଛି, ଜ୍ଞାନ ପାଇବ କେବେ?
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ଆଶ୍ରମକୁ ଆସିଲେ ଆଉ ଜଣେ ତରୁଣ ବୌଦ୍ଧ ସନ୍ନ୍ୟାସୀ। ସେ ଥିଲେ ଜ୍ଞାନର ଭଣ୍ତାର। ସେ ଦିନ ସ˚ଧୢାରେ ସେ ସନ୍ନ୍ୟାସୀ ସମସ୍ତଙ୍କ ଆଗରେ ଅନେକ କିଛି କହିଲେ। ଅନେକ ଦାର୍ଶନିକ ତତ୍ତ୍ବର ଅବତାରଣା କରି ବୁଝାଇଲେ। ଏବେ ଶିଷ୍ୟଟି ଭାବିଲା ଯେ ୟେ ହେଉଛନ୍ତି ଅସଲ ଲୋକ। ୟେ ଗୁରୁ ହେବା ଲାଗି ଯୋଗ୍ୟ। ସେ ସ୍ଥିର କଲା ଯେ ସେହି ତରୁଣ ସନ୍ନ୍ୟାସୀଙ୍କ ଅନୁଗମନ କରିବ। ତେବେ ଗୁରୁ ନେନେଙ୍କ ଅନୁମତି ନେବାର ଅଛି।
ତେଣୁ ସେ ନେନେଙ୍କୁ କହିଲା- ମହାତ୍ମା, ଏତେ ଦିନ ଧରି ଆପଣଙ୍କ ପାଖରେ ରହିଲି, ଅଥଚ ଆପଣ କେବେ କିଛି କହିଲେ ନାହିଁ। ତେଣୁ ମୁଁ ଭାବୁଛି ଏହି ସନ୍ନ୍ୟାସୀଙ୍କ ସହିତ ଯିବି।
ଏବେ ନେନେ କହିଲେ- ସେ ବାବୁ କ’ଣ କିଛି କହିଲେ କି?
ଏ କଥା ଯୁବ ସନ୍ନ୍ୟାସୀ ଶୁଣି ପାରି କହିଲେ- ନେନେ, ମୁଁ ଯଦି କିଛି କହୁ ନ ଥିଲି, ତେବେ ଏତେ ଘଣ୍ଟା କ’ଣ କରୁଥିଲି ?
ନେନେ କହିଲେ- ତୁମେ କହୁଥିଲ? ତୁମ ବାଟ ଦେଇ ଶାସ୍ତ୍ର କହୁଥିଲା, ମହାଶାସ୍ତ୍ରୀମାନେ କହୁଥିଲେ, ସେମାନଙ୍କ ଦର୍ଶନ କହୁଥିଲା, କିନ୍ତୁ ତୁମେ କେତେବେଳେ କହୁଥିଲ? ତୁମେ ଯାହା କହୁଥିଲ, ତା ଭିତରେ ତୁମର ନିଜର କେତେ ଥିଲା?
ତରୁଣ ସନ୍ନ୍ୟାସୀ ଚୁପ୍ ହୋଇଗଲେ। ନେନେ ପୂର୍ବବତ୍ ଚୁପ ରହିଲେ। ବାଳକଟି ନେନେଙ୍କ ସହିତ ରହିଲା।