ଦୁଇଟି ବର

କଥାଟିଏ - ଯାଯାବର

ଥରେ ଦୁଇ ତରୁଣ ବନ୍ଧୁଙ୍କ ଆଗରେ ଉଭା ହେଲେ ଭଗବାନ ଓ କହିଲେ କ’ଣ ମାଗୁଛ ମାଗ। ସେମାନଙ୍କ ଭିତରୁ ଜଣେ ଚଟାପଟ କହିଲା- ପ୍ରଭୁ ମୋତେ ଧନବାନ କରିଦିଅ। ଦ୍ବିତୀୟ ଜଣକ କହିଲା- ମୋତେ ହୃଦୟବାନ କର। ଭଗବାନ ତଥାସ୍ତୁ ବୋଲି କହି ଉଭେଇ ଗଲେ। ତା ପରେ ଧନ ଆଶାୟୀ ତରୁଣ ଅପର ଜଣକୁ କହିଲା- ତୁମେ ଗୋଟିଏ ମହାର୍ଘ ସୁଯୋଗର ଅପବ୍ୟବହାର କଲ। ଆଜିକାର ଯୁଗରେ ହୃଦୟକୁ କିଏ ଚିହ୍ନୁଛି? ସମସ୍ତେ ଧନର ଦାସ।

ଭଗବାନଙ୍କ ବର ଫଳିଲା। ଧନବାନ ହେବାକୁ ଚାହିଁଥିବା ତରୁଣ ଅଧିକରୁ ଅଧିକ ଧନୀ ହେବାକୁ ଲାଗିଲା ଏବ˚ ହୃଦୟବାନ ହେବାକୁ ଚାହିଁଥିବା ତରୁଣ ବିଶାଳ ହୃଦୟର ପରିଚୟ ଦେଇ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ, ଶ୍ରଦ୍ଧା କରିବାରେ ଯାହା ବି ସ˚ପତ୍ତି ଥିଲା ତାକୁ ବ୍ୟୟ କରିବାରେ ଲାଗିଲା। ଦିନ ଆସିଲା ହୃଦୟବାନ ବିତ୍ତଶୂନ୍ୟ ହୋଇଗଲା।

ଦୁହେଁ ପରିଣତ ବୟସରେ ପହଞ୍ଚିଲେ। ଶେଷ ସମୟରେ ଦେଖିଲା ବେଳକୁ ଧନପତିଙ୍କୁ ଘେରି ରହିଥିଲେ କେବଳ ସୁବିଧାବାଦୀ ତଥା ଧନ ଅପହରଣକାରୀ ଦଳ। ଧନପତି ନିଜ ଧନକୁ କ୍ଷୟ ହେବାରୁ ବଞ୍ଚାଇବା ଲାଗି ନିଜ ବନ୍ଧୁବର୍ଗ, ସ˚ପର୍କୀୟମାନଙ୍କୁ ଦୂରେଇ ଦେଇଥିଲେ। ତାଙ୍କ ହୃଦୟ ଛୋଟ ହୋଇଯାଇଥିଲା। କେବଳ ତୋଷାମଦିଆମାନେ ପାଖରେ ରହିଥିଲେ, ଯେଉଁମାନେ ଏବେ ଚାହୁଁଥିଲେ ଏ ଶୀଘ୍ର ମରନ୍ତୁ। କିନ୍ତୁ ଦରିଦ୍ର ହୃଦୟବାନଙ୍କ ପାଖରେ ସମବେତ ହୋଇଥିଲେ ତାଙ୍କ ଠାରୁ ଉପକାର, ସ୍ନେହ ଓ ଶ୍ରଦ୍ଧା ପାଇଥିବା ଅନେକ ଲୋକ। ହୃଦୟବାନଙ୍କ ଠାରୁ ଏବେ ଆଉ କିଛି ପାଇବାର ନ ଥିଲା। ତଥାପି ସେମାନେ ବିନା କୌଣସି ସ୍ବାର୍ଥରେ କେବଳ ସ୍ନେହାବଦ୍ଧ ଭାବେ ତାଙ୍କର ସେବା କରି ଚାଲିଥିଲେ।

ସମ୍ବନ୍ଧିତ ଖବର