କେନ୍ଦ୍ର ସରକାର ଏ ବର୍ଷ ଥାଇଲାଣ୍ତରେ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ଭାଗୀଦାରି, RCEP (Regional Comprehensive Economic Partnership) ନାମକ ଏକ ଶୁଳ୍‌କମୁକ୍ତ ବ୍ୟାପାର ଚୁକ୍ତିରେ ସ୍ବାକ୍ଷର କରିବାକୁ ଯାଉଅଛି। କୁହାଯାଉଛି ଯେ ଏହି ଚୁକ୍ତି ଦ୍ବାରା ଦେଶର କୃଷକମାନେ ଲାଭବାନ ହେବେ। କିନ୍ତୁ ଏହା ଫଳରେ ଆମଦାନି ଶୁଳ୍‌କ ହଟିଯିବ ଏବ˚ ଅନ୍ୟ ଦେଶର କୃଷି ଉତ୍ପାଦ ଭାରତକୁ ପ୍ରବେଶ କରିବା ପାଇଁ ରାସ୍ତା ଖୋଲିଯିବ। ଏହି ବିନା ଶୁଳ୍‌କ ବ୍ୟାପାର ଚୁକ୍ତିର ପରିଣାମ ଆମ ଦେଶର କୃଷକଙ୍କ ପାଇଁ ଘାତକ ହେବାର ଆଶଙ୍କା ରହିଛି।

Advertisment

ଆର.ସି.ଇ.ପି ଚୁକ୍ତି ଭାରତ, ଚୀନ୍‌, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ, ନ୍ୟୁଜିଲାଣ୍ତ ସମେତ ଏସିଆନ୍‌ ଦେଶମାନଙ୍କ ଭିତରେ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତ ୧୪ଟି ଶୁଳ୍‌କ ମୁକ୍ତ ବ୍ୟାପାର ଚୁକ୍ତିରେ ସ୍ବାକ୍ଷର କରିସାରିଛି। ଏଥି ମଧୢରୁ ଭାରତ-ଶ୍ରୀଲଙ୍କା ଶୁଳ୍‌କ ମୁକ୍ତ ବ୍ୟାପାର ଚୁକ୍ତି ସହ ଏସିଆ ମହାଦେଶ ଶୁଳ୍‌କମୁକ୍ତ ବ୍ୟାପାର ଚୁକ୍ତି ଦ୍ବାରା ଆମ ଦେଶର କୃଷକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଏହି ଚୁକ୍ତି ଯୋଗୁ ଆମଦାନି କରାଯାଉଥିବା ଦ୍ରବ୍ୟ ଉପରେ ଶୁଳ୍‌କ ହ୍ରାସ କରାଯାଉଥିବାରୁ ବିଦେଶୀ ଉତ୍ପାଦ ଶସ୍ତା ହୋଇଯାଉଛି। ଫଳରେ ଦେଶର କୃଷି ଉତ୍ପାଦ ବିକ୍ରି ହୋଇପାରୁନାହିଁ। ଏହାର ସିଧା ପ୍ରଭାବ ଚାଷୀ ଓ ଛୋଟ ବେପାରୀଙ୍କ ଉପରେ ପଡେ଼ ଏବ˚ ଧୀରେ ଧୀରେ ଦେଶର ଅର୍ଥ ବ୍ୟବସ୍ଥା ଏହା ଦ୍ବାରା ଆକ୍ରାନ୍ତ ହୁଏ।

ମୁକ୍ତ ବ୍ୟାପାର ଚୁକ୍ତି ସପକ୍ଷରେ ଯୁକ୍ତି ହେଉଛି କି ଆମ ଦେଶର କୃଷକମାନଙ୍କୁ ମଧୢ ନିଜର ଉତ୍ପାଦନକୁ ବିକିବା ପାଇଁ ବିଦେଶ ବଜାର ମିଳିବ। କିନ୍ତୁ ପୂର୍ବରୁ ହୋଇଥିବା ମୁକ୍ତ ବ୍ୟାପାର ଉପରେ ଆଖି ପକାଇଲେ ଆମେ ବୁଝିପାରିବା ଯେ ୨୦୧୩-୧୪ରେ ଆମେ ୪୩.୨୩ ବିଲିୟନ ଡଲାର‌ କୃଷି ଉତ୍ପାଦ ବାହାରକୁ ପଠାଇଥିଲେ। କିନ୍ତୁ ୨୦୧୬-୧୭ରେ ତାହା କମି ଯାଇ ୩୩.୮୭ ବିଲିୟନ ଡଲାର‌୍‌କୁ ଆସିଗଲା। ସେମିତି ୨୦୧୩-୧୪ରେ ଆମେ ୧୫.୦୩ ବିଲିୟନ ଡଲାର କୃଷି ଉତ୍ପାଦ ଆମଦାନି କରିଥିଲା ବେଳେ ୨୦୧୬-୧୭ରେ ଏହା ବଢ଼ି ୨୫.୦୯ ବିଲିୟନ ଡଲାର‌୍‌ ହୋଇଯାଇଛି। ଆମେ ଆମ ଦେଶର କୃଷକଙ୍କୁ ଅନ୍ୟ ଦେଶର କୃଷକଙ୍କ ସହ କେବେ ତୁଳନା କରିପାରିବା ନାହିଁ। ଭାରତରେ ଭୂମି, ଜନସ˚ଖ୍ୟା ଅନୁପାତ ଅନ୍ୟ ଦେଶ ସହ ତୁଳନୀୟ ନୁହେଁ। ଏହା ସହ ବିଦେଶରେ କୃଷକର ସବ୍‌ସିଡି ଭାରତ ତୁଳନାରେ ବହୁତ ଅଧିକ।

ତେଣୁ ମୁକ୍ତ ଶୁଳ୍‌କ ବ୍ୟାପାର ଚୁକ୍ତି ଦେଶର କୃଷକଙ୍କ ବିରୋଧୀ ସାବ୍ୟସ୍ତ ହୋଇଛି। ଭାରତ, ଶ୍ରୀଲଙ୍କା ବ୍ୟାପାର ଚୁକ୍ତି ହେବା ପରେ ଶୁଖିଲା ଲଙ୍କା ଚାଷୀଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଛି। ସେହି ଭଳି ଏଭଳି ଚୁକ୍ତି କାରଣରୁ ଭାରତୀୟ ଦୁଗ୍‌ଧ ଚାଷୀ ଖୁବ୍‌ ଆକ୍ରାନ୍ତ ହେଉଛନ୍ତି। ୨୦୦୮ରେ ହୋଇଥିବା ଚୁକ୍ତି ଫଳରେ ଭାରତକୁ ୨୦,୦୦୦ ଟନ୍‌ ଦୁଗ୍‌ଧ ଏବ˚ ୧୫,୦୦୦ ଟନ୍‌ ଲହୁଣି ଆମଦାନି କରାଗଲା। ଯାହା ଦ୍ବାରା ଭାରତରେ ଉତ୍ପାଦିତ ୭୫,୦୦୦ ଟନ୍‌ ଦୁଗ୍‌ଧ ବଳି ଗଲା। ଫଳରେ ଦୁଗ୍‌ଧ ଚାଷୀ କ୍ଷତିଗ୍ରସ୍ତ ହେଲେ ଏବ˚ ହେଉଛନ୍ତି ମଧୢ। ଆର.ସି.ଇ.ପି ଚୁକ୍ତିରେ ସ୍ବାକ୍ଷର ପରେ ଆହୁରି ଅଧିକ ଦୁଗ୍‌ଧ ଆମଦାନି କରାଯିବ। ଏହାର କୁପରିଣାମ ଭାରତୀୟ ଦୁଗ୍‌ଧ ଚାଷୀଙ୍କୁ ଭୋଗିବାକୁ ପଡ଼ିବ। ସେହିପରି ଚିନି ଆମଦାନି ଦ୍ବାରା ଭାରତରେ ଚିନି ଶିଳ୍ପ ଗୁରୁତର ଭାବେ ଆକ୍ରାନ୍ତ ହୋଇଛି। ଆର.ସି.ଇ.ପି, ଚୁକ୍ତି ପରେ ଚୀନ୍‌, ଜାପାନ, ଶିଙ୍ଗାପୁର, ନ୍ୟୁଜିଲାଣ୍ତର ଚିନି ଶସ୍ତାରେ ଆମ ଦେଶରେ ମିଳିବ। ଏହା ଆମ ଦେଶର ଆଖୁଚାଷକୁ ବୁଡ଼ାଇ ଦେବ। ସେହିଭଳି ଧାନ, ଗହମ ଏବ˚ ଅନ୍ୟାନ୍ୟ ଶସ୍ୟଜାତ ଖାଦ୍ୟ ପଦାର୍ଥରେ ଭାରତୀୟ କୃଷକ ବିଦେଶର କୃଷକଙ୍କ ସହିତ ସମକକ୍ଷ ହୋଇ ପାରିବା କଷ୍ଟକର ହେବ।

ଆର.ସି.ଇ.ପି ଚୁକ୍ତି ହେଲେ କିନ୍ତୁ ବଡ଼ ବଡ଼ କମ୍ପାନି ଲାଭବାନ ହେବେ। ଉଦାହରଣ ସ୍ବରୂପ ଏହା ଫଳରେ ବାହାରୁ ତେଲ ଆମଦାନି କରୁଥିବା କମ୍ପାନିମାନଙ୍କ ଭବିଷ୍ୟତ୍‌ ଉଜ୍ଜ୍ବଳ ହେବ। ତେଣୁ ଏହା ସ୍ପଷ୍ଟ ଯେ ବଡ଼ ବଡ଼ କମ୍ପାନିମାନଙ୍କର ଲାଭ ଲାଗି ଭାରତ ଏଭଳି ପଦକ୍ଷେପ ନେବାକୁ ଯାଉଛି। କିନ୍ତୁ ଭୁଲି ଗଲେ ଚଳିବ ନାହିଁ ଯେ ଭାରତ ଏକ କୃଷିପ୍ରଧାନ ଦେଶ ଯାହାର ୭୦ ଭାଗ ଲୋକ କୃଷି ନିର୍ଭର। ପୁଣି ଅର୍ଧାଧିକ ଚାଷୀଙ୍କ ଆର୍ଥିକ ସ୍ଥିତି ଭଲ ନୁହେଁ। ଯେତେବେଳେ ୟୁପିଏ ସରକାର ଥିଲା, ସେତେବେଳେ ବିରୋଧୀ ଥିବା ଏନ୍‌ଡିଏ ଏଭଳି ଚୁକ୍ତିକୁ କୃଷକ ମାରଣ ଓ ବିଦେଶୀ ଜାଗରଣ ନୀତି ବୋଲି କହି ଘୋର ସମାଲୋଚନା କରୁଥିଲା। ଏବେ ସେହି ଏନ୍‌ଡିଏ ଶାସନରେ ଥିବା ବେଳେ ଏହି ଚୁକ୍ତିର ଏକ ବଡ଼ ପୃଷ୍ଠପୋଷକ। ଏହା ହିଁ ବିଡ଼ମ୍ବନା।

ରାଷ୍ଟ୍ରୀୟ ସମ୍ପାଦକ, କିଷାନ ମଜଦୁର ସ˚ଘ
ମୋ-୯୯୩୭୪୪୦୨୨୦