କ୍ରୀଡ଼ା ବିଭାଗ କାର୍ଯ୍ୟ ନେଇ ମନ୍ତ୍ରୀଙ୍କ ସମୀକ୍ଷା‌, ‘୫ ଟି’ ଆଧା‌ରରେ ମାସିକିଆ ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ବର: କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଲୋକସେବା ଭବନସ୍ଥିତ ନିଜ ପ୍ରକୋଷ୍ଠରେ କରିଛନ୍ତି। ଏଥିରେ ବିଭାଗୀୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ବେହେରା ‘୫ ଟି’ ଆଧାରରେ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିବା‌ ସହ ପ୍ରତିମାସରେ କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ଏହି ଅବସରରେ ନିର୍ଦେଶ ଦେଇଥିଲେ। ନୂଆ କ୍ରୀଡ଼ା‌ନୀତି, ଅନଲାଇନ୍ ‌ସେବା, ପିଇଟିଙ୍କୁ ତାଲିମ ଏବଂ ଶାରୀରିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା। ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଶିକ୍ଷାଦାନ ନୂଆ ବିଲ୍ଡିଂରେ ଆରମ୍ଭ ହୋଇଥିବା ଅଧିକାରୀମାନେ ବୈଠକରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସେହିଭଳି ଭୁବନେଶ୍ବର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ କ୍ରୀଡ଼ା ବିଦ୍ୟାଳୟ ହେବାକୁ ଥିବା ବେଳେ ଏଥିମଧ୍ୟରୁ ସମ୍ବଲପୁର, ବ୍ରହ୍ମପୁର ଏବଂ ଜୟପୁରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଅନ୍ୟପକ୍ଷରେ ରାଉରକେଲାରେ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବୈଠକରେ କଳିଙ୍ଗ ଅନ୍ତର୍ଜାତୀୟ ସ୍ପୋର୍ଟସ ସିଟି ନିର୍ମାଣ, କଳିଙ୍ଗ ସ୍ପୋର୍ଟସ ହବ୍, ଆଞ୍ଚଳିକ ଏବଂ ଜିଲ୍ଲା ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ଏବଂ ସୁନ୍ଦରଗଡ଼ରେ ଆ‌ଷ୍ଟ୍ରୋ ଟର୍ଫ ବିଛାଇବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ବୈଠକରେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଆର ଭିନିଲ କୃଷ୍ଣା, ଯୁଗ୍ମ ଶାସନ ସଚିବ ମନୋଜ ପାଢ଼ୀ ଏବଂ ଉପ ଶାସନ ସଚିବ ରଞ୍ଜନ କୁମାର ପରିଡ଼ା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର