ବିଜେପିରୁ ଇସ୍ତଫା ଦେଲେ ସଂଗ୍ରାମ ପାଇକରାୟ

ପୁଣି ବିଜେଡି ଫେରିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ଭୁବନେଶ୍ୱର (ଏକାମ୍ର) ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ (ଗାଲା) ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ସଂଗ୍ରାମଙ୍କ ସମେତ ବିଜେପିର ଏକାମ୍ର ଗ୍ରାମୀଣ ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ପାତ୍ର ଏବଂ ଏକାମ୍ର ରାଜାରାଣୀ ମଣ୍ଡଳ ସଭାପତି ସମରେଶ ବେଉରା ବି ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ହୋଟେଲ ସ୍ୱସ୍ତି ଗ୍ରାଣ୍ଡଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଇକରାୟ କହିଲେ ଯେ, ସେ ଯେଉଁ ଉଦ୍ଦେଶ୍ୟ ରଖି ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ତାହା ହେଲାନାହିଁ। ମହାନଦୀ ଜଳକୁ ଛତିଶଗଡ଼ ସରକାର ଜୋର ଜବରଦସ୍ତ ଅଟକାଇଥିଲେ ହେଁ ରାଜ୍ୟ ବିଜେପି ଏନେଇ ପ୍ରତିବାଦ କରୁନି। ମୁଁ ଦୟାନଦୀ ବଞ୍ଚାଅ ଅଭିଯାନର ନେତୃତ୍ୱ ନେଉଥିବାରୁ ମହାନଦୀ ପ୍ରତି ହେଉଥିବା ଅନ୍ୟାୟକୁ ସହି ପାରୁନି। ତେଣୁ ମୁଁ ବିଜେପିରୁ ଇସ୍ତଫା ଦେଲି। ସେହିପରି ଶ୍ରୀ ପାଇକରାୟ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ବିଜେପି ଏବେ ହିଂସ୍ର ହୋଇଗଲାଣି। ଅଧିକାଂଶ ସ୍ଥାନରେ ଗଣ୍ଡଗୋଳ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରେ ଯେପରି ଆକ୍ରମଣ କରାଗଲା ତାହା ମୋତେ ବ୍ୟଥିତ କରିଥିଲା। ମୋ ଇସ୍ତଫାର ଏହା ମଧ୍ୟ ଅନ୍ୟତମ କାରଣ। ସଂଗ୍ରାମ ପାଇକରାୟ ବିଜେପିରୁ ଇସ୍ତଫା ଦେବା ପରେ ଏବେ ପୁଣି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଧରିଛି। ସେ କିନ୍ତୁ କହିଛନ୍ତି ଯେ, ମୋର ନିକଟତର ସମର୍ଥକମାନେ ମୋତେ ରାଜନୀତି ନ କରିବାକୁ କହୁଛନ୍ତି। ଭବିଷ୍ୟତ କାର୍ଯ୍ୟପନ୍ଥା ମୋର ସହଯୋଗୀ ଓ କର୍ମୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି। ଅପରପକ୍ଷେ ସଂଗ୍ରାମ ଓ ଆଜି ଇସ୍ତଫା ଦେଇଥିବା ସ୍ଥାନୀୟ ନେତାମାନେ ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଘୋର୍‌ ବିରୋଧୀ। ଏବେବି ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ତେଣୁ ସଂଗ୍ରାମ ବିଜେଡିରେ ମିଶିଲେ ଅଶୋକଙ୍କ ପାଇଁ ବିପଦ ହେବ ନା ଦଳ ଛାଡ଼ି ପୁଣି ଫେରିଥିବା ନେତାଙ୍କ ଭଳି ସଂଗ୍ରାମଙ୍କ ରାଜନୈତିକ କ୍ୟାରିଅର ହେବ ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି।

ସୂଚନାଯୋଗ୍ୟ ଯେ, ଆଜି ସଂଗ୍ରାମଙ୍କ ସହ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ସମିତି ସଭ୍ୟା ରଶ୍ମିତା ଶ୍ରୀଚନ୍ଦନ, ବିଭୂତି ଭୂଷଣ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ସୁଶୀଲ ଛୁଆଳସିଂହ, କୃଷକ ମୋର୍ଚ୍ଚା ସଭାପତି ପ୍ରମୋଦ ସ୍ୱାଇଁ, ଓବିସି ମୋର୍ଚ୍ଚା ସଭାପତି ଭକ୍ତଭୂଷଣ ବାରିକ, ପ୍ରଶାନ୍ତ କୁମାର ଜେନା, ରଘୁନାଥ ପଟ୍ଟନାୟକ, ସବ୍ୟସାଚୀ ପାଇକରାୟ, ଅର୍ଜୁନ କୁମାର ବରାଳ, ପ୍ରଦୀପ କୁମାର ମହାନ୍ତି, ସୁପ୍ରିୟ ବିଶ୍ୱାଳ, ସୂର୍ଯ୍ୟକାନ୍ତ ସିଂହ. ବିଷ୍ଣୁଚରଣ ରାଉତ, ଅରବିନ୍ଦ ମହାପାତ୍ର, ସିନ୍ଧୁ ମଲ୍ଲିଆ ପ୍ରମୁଖ ବିଜେପିରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର