ଭୁବନେଶ୍ୱର: ଓଡ଼ିଶା ଆସିଲେ ଉଭୟ ବିଜେପି, ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବିଜେପି, ବିଜେଡ଼ି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି କେଜ୍ରିୱାଲ । କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଏହିଭଳି ରାଜନୈତିକ ଦଳମାନେ ଦେଶକୁ ଭିତରୁ ଦେବାଳିଆ କରିଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆମ ପରେ ଯେଉଁ ଦେଶ ଗୁଡ଼ିକ ସ୍ୱାଧୀନତା ହାସଲ କରିଥିଲା ସେମାନେ ଆମ ଠାରୁ ବି ଅଧିକ ଉନ୍ନତି କରିଛନ୍ତି । କିନ୍ତୁ ଆମ ଦେଶ ଗରିବରୁ ଗରିବ ହୋଇଯାଉଛି ଏବଂ ସବୁଠାରୁ ଗରିବୀ ଓଡ଼ିଶାରେ ହିଁ ରହିଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ଆମେ ଭାରତୀୟ ଅନ୍ୟ ଦେଶ ତୁଳନାରେ ଅଧିକ ବୁଦ୍ଧମାନ୍ କିନ୍ତୁ ନେତାଙ୍କ କଳାବଜାରୀ ଆଉ ଦୁର୍ନୀତିର ଶିକାର ହୋଇ ପଛକୁ ରହିଯାଉଛେ ।
ଦିଲ୍ଲୀରେ ଥିବା ସ୍କୁଲଗୁଡ଼ିକର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେଜ୍ରିୱାଲ । କହିଛନ୍ତି, ୪ ବର୍ଷ ପୂର୍ବେ ଦିଲ୍ଲୀରେ ଥିବା ସରକାରୀ ସ୍କୁଲ ଗୁଡ଼ିକର ଅବସ୍ଥା ଓଡ଼ିଶାର ସରକାରୀ ସ୍କୁଲ ଠାରୁ ମଧ୍ୟ ଜରାଜୀର୍ଣ୍ଣ ଥିଲା । କିନ୍ତୁ ଏବେ ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ଦିଲ୍ଲୀ ସରକାର । ବର୍ତ୍ତମାନ ଦିଲ୍ଲୀରେଥିବା ସରକାରୀ ସ୍କୁଲଗୁଡ଼ିକର ରେଜଲ୍ଟ ଘରୋଇ ସ୍କୁଲ ଠାରୁ ୧୦% ଅଧିକ ରହୁଛି । ଥରେ ଆସି ଦିଲ୍ଲୀରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ଥରେ ବୁଲି ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କେଜ୍ରିୱାଲ ।
ଏପରିକି ଦିଲ୍ଲୀରେ ବିଜୁଳି ଉତ୍ପାଦନ ନ ହୋଇ ୟୁନିଟ୍ ପିଛା ୧ଟଙ୍କା ନେଉଛି ଆମ ସରକାର କିନ୍ତୁ ର୍ଦୁଭାଗ୍ୟର କଥା ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ବି ଏଠାରେ ୟୁନିଟ୍ ପିଛା ୫ଟଙ୍କା ନେଉଛନ୍ତି ନବୀନ ସରକାର । ଯାହା ଦର୍ଶାଉଛି ରାଜ୍ୟବାସୀଙ୍କ ଠାରୁ ଲୁଟି ଖାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେଜ୍ରିୱାଲ୍ । ସେହିଭଳି ଓଡ଼ିଶାରେ ବିଜେପି-ବିଜେଡି-କଂଗ୍ରେସର ଗଠବନ୍ଧନ ସରକାର ଚାଲୁଛି । ଦୀର୍ଘ ୨୦ ବର୍ଷ ହେବ ଏଠାରେ ଖଣି ମାଫିଆଙ୍କ ସହ ହାତବାରିସୀ କରି ସରକାର ଚଳାଇଛନ୍ତି ବିଜେଡି-ବିଜେପି ଆଉ କଂଗ୍ରେସ ବୋଲି କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।