ଭୁବନେଶ୍ୱର : ଦଳର ପ୍ରତିଷ୍ଠା ଦିବସ ପାଳନ ହେବ, ତା ସହିତ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବି ବଜାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ। ଏମିତି ଉଦ୍ଦେଶ୍ୟ ରଖି ବିଜୁ ଜନତା ଦଳ ଡିସେମ୍ବର ୨୬ ତାରିଖରେ ତାର ପ୍ରତିଷ୍ଠା ଦିବସ ପୁରୀରେ କରିବାକୁ ନିଷ୍ପତ୍ତି ନେଇଛି। ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଏହି ଜନ୍ମଦିବସ ପାଳନ ହେବ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ନେଇ ବିଜେଡି ସଂଗଠିତ ଭାବେ ମଇଦାନକୁ ଓହ୍ଲାଇବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଦଳର ବରିଷ୍ଠ ନେତାମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଥିବା ସୂଚନା ମିଳିଛି। ପ୍ରତିବର୍ଷ ଦଳୀୟ କାର୍ଯ୍ୟାଳୟରେ ବିଜେଡି ତାର ଜନ୍ମଦିନ ପାଳନ କରୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଯେ କୌଣସି ମୁହୂର୍ତରେ ନିର୍ବାଚନ ହେବା ସମ୍ଭାବନା ଥିବାରୁ ବିଜେଡି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାର ନେତାଙ୍କୁ ଡାକି ମୁଖ୍ୟମନ୍ତ୍ରୀ ନିଜେ ଆଲୋଚନା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସାଧାରଣ ଲୋକଙ୍କ ନିକଟକୁ ଯିବା ପୂର୍ବରୁ ନବୀନ ଦଳୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ଲାଗି ବିଚାର କରୁଛନ୍ତି। ଏଣୁ ଦଳର ପ୍ରତିଷ୍ଠା ଦିବସକୁ ଟିକିଏ ଭିନ୍ନ ଢଙ୍ଗରେ ବିଜେଡି ପାଳନ କରିବାକୁ ଆଗ୍ରହ ରଖୁଛି। ଏଥିପାଇଁ ଆଜି ସଚିବାଳୟରେ ଏକାଧିକ ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଆସନ୍ତକାଲି ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ନେଇ ରୂପରେଖ ପ୍ରସ୍ତୁତ ହେବ ବୋଲି ସ୍ଥିର ହୋଇଥିବା ବିଜେଡିର ଜଣେ ନେତା ସୂଚନା ଦେଇଛନ୍ତି।
ପୁରୀ ସମାବେଶରେ ପ୍ରତି ପଞ୍ଚାୟତରୁ ଲୋକ ଆଣିବା ଲାଗି ଯୋଜନା କରୁଛି।