ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲେ ବିଜେଡି, ବିଜେପି

ଭୁବନେଶ୍ୱର : ଆଜି ଏଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୋଧରେ ପୁଣି ଫେରାଦ ହୋଇଛନ୍ତି ବିଜେଡି ଏବଂ ବିଜେପି। ବିଜେଡି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି। ସେହିଭଳି ପ୍ରଶାସନ ଓ ପୁଲିସ୍‌ର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେପି।

ବିଜେଡି ଅଭିଯୋଗ କରିଛି, ଶ୍ରୀ ପ୍ରଧାନଙ୍କ ଦ୍ୱାରା ପେଟ୍ରୋଲ ପମ୍ପ, ଗ୍ୟାସ୍‌ ଡିଲର୍‌ ଓ ଛତିଶଗଡ଼ରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରାଯାଇ ବିଜେପୁର ଉପନିର୍ବାଚନରେ ଭୋଟର୍‌ଙ୍କୁ ଦିଆଯାଉଛି। ଶ୍ରୀ ପ୍ରଧାନଙ୍କ ଇଙ୍ଗିତରେ ଆଇଓସିଏଲ୍‌ କର୍ମଚାରୀଙ୍କ ଦ୍ୱାରା ଆକ୍ରୋଶମୂଳକ ଯାଞ୍ଚ୍‌ କରାଯାଇ ପେଟ୍ରୋଲ ପମ୍ପଗୁଡ଼ିକୁ ନିର୍ବାଚନ ପାଇଁ ଅର୍ଥ ଦେବାକୁ ଧମକ ଦିଆଯାଉଛି। ପାର୍ଟି ଆହୁରି ଅଭିଯୋଗ କରିଛି ଯେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଭଏସ୍‌ କଲ୍‌ କରି ବିଜେପି ବିଭ୍ରାନ୍ତି ସୃଷ୍ଟି କରୁଛି। ଏହାର ଯାଞ୍ଚ୍‌ କରିବା ସହ ତୁରନ୍ତ ଏହାର ପ୍ରଚାର ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବିଜେଡି ଦାବି କରିଛି।

ସେହିଭଳି ବିଜେପି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରିଛି। ପାଣ୍ଡିଆନ୍‌ ବଛା ବଛା ଅଧିକାରୀଙ୍କୁ ବିଜେଡିର ନିର୍ବାଚନ କାମ ପାଇଁ ବିଜେପୁରକୁ ପଠାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ସ୍ମାରକପତ୍ରରେ କୁହାଯାଇଛି ଯେ ବିଜେପୁରରେ ପୁଲିସ୍‌ ଓ ପ୍ରଶାସନ ଶାସକ ଦଳକୁ ସୁହାଇଲା ପରି କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା କାର୍ଯ୍ୟାଳୟର ପାଞ୍ଚ ଅଧିକାରୀ ଓ ବରଗଡ଼ ଜିଲ୍ଲାର ଏସ୍‌ପି, ଜିଲ୍ଲାପାଳଙ୍କ ସମେତ ନିର୍ବାଚନ କାମରେ ନିୟୋଜିତ ଅଧିକାରୀମାନେ ସରକାରୀ ଦଳ ପାଇଁ କାମ କରୁଛନ୍ତି। ବିଜେପୁରର ତିନିଟି ଥାନା ଇନ୍‌ସ୍‌ପେକ୍ଟର୍‌, ଏସ୍‌ଡିପିଓ, ଜଳସମ୍ପଦ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପୂର୍ତ୍ତ ବିଭାଗର ଇଞ୍ଜିନିୟର ଓ ଅଧିକାରୀମାନେ ସରକାରୀ ଗାଡ଼ିରେ ଟଙ୍କା ନେଇ ବିଜେଡି କର୍ମୀଙ୍କ ନିକଟରେ ପହଞ୍ଚାଉଛନ୍ତି।

ସମ୍ବନ୍ଧିତ ଖବର