ବିଜେଡି, କଂଗ୍ରେସ ଓଡ଼ିଶା ବିକାଶରେ ବାଧକ ସାଜିଛନ୍ତି

ବିଜେପି କାର୍ଯ୍ୟକାରିଣୀରେ ରାଜନୈତିକ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ହୋଟେଲ୍‌ ଏଚ୍‌ଏଚ୍‌ଆଇ ପରିସରରେ ଆୟୋଜିତ ଆଜିର ବୈଠକରେ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିଲା। ଦଳ ପକ୍ଷରୁ ଆରୋପ ଲଗାଯାଇଛି ଯେ ଓଡ଼ିଶାର ରାଜନୈତିକ ସ୍ଥିତି ଏବେ ଏକ ଭିନ୍ନ ରାସ୍ତାରେ ଚାଲିଛି। ଶାସକ ବିଜେଡି ଆଜି କଂଗ୍ରେସ ସହ ମିଶି ଓଡ଼ିଶାର ବିକାଶରେ ବାଧକ ସାଜିଛନ୍ତି। ସରକାର ହିଂସା ମାଧ୍ୟମରେ ବିରୋଧୀ ଦଳର ମନୋବଳକୁ ଚପାଇବାକୁ ଅପଚେଷ୍ଟା କରୁଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟରେ ମହିଳାଙ୍କ ଉପରେ ନିର୍ଯ୍ୟାତନା ବଢ଼ିଚାଲିଛି। ଧର୍ଷଣ ଓ ତଦ୍‌ଜନିତ ହତ୍ୟା ଅସମ୍ଭବ ଭାବେ ବଢ଼ିଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଗୃହ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ଓ ଦୋଷୀକୁ ଧରିବାରେ ସକ୍ଷମ ହେଉନାହିଁ। କେନ୍ଦ୍ର ସରକାର ମହିଳା ନିର୍ଯ୍ୟାତନା ବାବଦରେ କଠୋର ଆଇନ୍‌ ପ୍ରଣୟନ କରିଛନ୍ତି ଓ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟ ମାଧ୍ୟମରେ ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଯାୟୀ ରାଜ୍ୟରେ ଅଧିକ ସଂଖ୍ୟାରେ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟ ଖୋଲିବା ପାଇଁ ସରକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ବିଜେପି କାର୍ଯ୍ୟକାରିଣୀ ବୈଠକରେ ସମାଲୋଚନା କରାଯାଇଛି। ଏହାର ଆପୋଷ ସମାଧାନ ପାଇଁ ବିଜେପି ପକ୍ଷରୁ ଉଦ୍ୟମ ହୋଇଥିଲେ ବି ରାଜ୍ୟ ସରକାର ସମାଧାନ ଚାହିଁଲେ ନାହିଁ। କେବଳ କେନ୍ଦ୍ର ସରକାର ଓ ବିଜେପି ଉପରେ ଦୋଷ ଲଦି ରାଜନୈତିକ ନାଟକବାଜି କରୁଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ରାଜନୈତିକ ଖେଳ ନ ଖେଳି ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖି ଟ୍ରିବ୍ୟୁନାଲ୍‌ରେ ତଥ୍ୟ ଉପସ୍ଥାପନ କରିବା ସହ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରିବାକୁ କାର୍ଯ୍ୟକାରିଣୀରେ ପରାମର୍ଶ ଦିଆଯାଇଛି।

୪୦ ଲକ୍ଷ ଭାଗ ଚାଷୀ ପରିବାରକୁ ସ୍ୱପ୍ନ ଦେଖାଇ ରାଜ୍ୟ ସରକାର ପଛରୁ ଛୁରୀ ମାରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ସେହିପରି ପଞ୍ଚାୟତଗୁଡ଼ିକରେ ବ୍ୟାପକ ଦୁର୍ନୀତି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ, ଶୁଦ୍ଧ ପାନୀୟ ଜଳ ଯୋଗାଣରେ ସରକାରଙ୍କ ବିଫଳତା, ପୌରସଂସ୍ଥାଗୁଡ଼ିକରେ ଚତୁର୍ଦ୍ଦଶ ଅର୍ଥ କମିସନ୍‌ ଦେଇଥିବା ଅର୍ଥକୁ ବିନା ଟେଣ୍ଡର୍‌ରେ ବିଜେଡି ନେତାଙ୍କୁ ସମର୍ପି ଦେବା, ବସ୍ତିବାସିନ୍ଦାଙ୍କୁ ମିଥ୍ୟା ପ୍ରତିଶ୍ରୁତି, ସମବାୟ ବ୍ୟାଙ୍କର ମହାଦୁର୍ନୀତି ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି କାର୍ଯ୍ୟକାରିଣୀରେ ଭର୍ତ୍ସନା କରାଯାଇଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କେ ଭି ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର