ବିଜେପୁର ଉପନିର୍ବାଚନ : ଅଶୋକଙ୍କ ନାମାଙ୍କନ ଦାଖଲ

ବରଗଡ଼/ପଦ୍ମପୁର : ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶୁକ୍ରବାର ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପିରାମ ମାଝୀଙ୍କ ପାଖରେ ତିନି ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଥିଲା। ବହୁସଂଖ୍ୟାରେ କର୍ମୀ ପଦ୍ମପୁର ପହଂଚିଥିଲେ। ଦିନ ଗଡ଼ିବା ସାଂଗକୁ କର୍ମୀ ସଂଖ୍ୟା ବଢ଼ି ଚାଲିଥିଲା। ଏହାପରେ ନିୟନ୍ତ୍ରିତ ବଜାର କମିଟିରେ ଆୟୋଜନ ହୋଇଥିଲା ସାଧାରଣ ସଭା। ଯେଉଁଥିରେ ହଜାର ହଜାର କର୍ମୀ ଭରି ଯାଇଥିଲେ। ମଂଚାସୀନ ତୁଙ୍ଗ ନେତାମାନେ ଏହି ଅବସରରେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ବିଜେପୁର ନିର୍ବାଚନରୁ ମିସନ-୧୨୦ ଆରମ୍ଭ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଆଗାମୀ ସାଧାରଣ ନିର୍ବାଚନ ପରେ ଓଡ଼ିଶା ପଦ୍ମମୟ ହୋଇଯିବ। ନବୀନ ସରକାରଙ୍କୁ ଓପାଡ଼ି ଫୋପାଡ଼ି ଦେବୁ ବୋଲି ନେତାଏ ବର୍ଷି ଚାଲିଥିଲେ। ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଗ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଧାୟକ ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ ଏବଂ ରବି ନାୟକ, ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ, ଉପସଭାପତି ଅଶ୍ୱିନୀ ଷଡ଼ଂଗୀ, ବରିଷ୍ଠ ନେତା ସୁବାଷ ଚୌହାନ, ପ୍ରବକ୍ତା ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଡା. ଅରୁପାନନ୍ଦ ସାହୁଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ। ତେବେ ସିନେ ତାରକା ମିହିର ଦାଶ, ଅନୁ ଚୌଧୁରୀ ଏବଂ ହରିହର ମହାପାତ୍ରଙ୍କ ଥିଲେ ମୁଖ୍ୟ ଆକର୍ଷଣ।

ଏହା ପରେ ଆରମ୍ଭ ହୋଇଥିଲା ବାଜାଗଜା ସହ ଶୋଭାଯାତ୍ରା। ନଗର ପରିକ୍ରମା ପରେ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପୁର ଉପନିର୍ବାଚନ ପାଇଁ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି। ନାମାଙ୍କନ ପାଇଁ ସଭାସମିତି କିମ୍ବା ଯେଉଁ ଶୋଭାଯାତ୍ରା ଆୟୋଜନ ହେଲା, ତାକୁ ଗୋଟିଏ ବିଜୟ ଉତ୍ସବର ରଂଗ ଦେବାକୁ ଦଳ ଭରପୁର ଚେଷ୍ଟା କରିଥିଲା। ଏହି ନାମାଙ୍କନ ପର୍ବ ଜରିଆରେ ଦଳ ଗୋଟିଏ ହିସାବରେ ବିଜେଡି ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ଆସନ୍ତା ୫ ତାରିଖ ବିଜେଡି ପ୍ରାର୍ଥିନୀ ରୀତା ସାହୁ ସେହି ପଦ୍ମପୁରରେ ହିଁ ନାମାଙ୍କନ ଦାଖଲ କରିବେ।

ସମ୍ବନ୍ଧିତ ଖବର