ଭୁବନେଶ୍ୱର : କଂଗ୍ରେସ ଭବନରେ ଆଜି ଯୁବ ଓ ଛାତ୍ର ଶାଖାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କଂଗ୍ରେସ ଭବନରେ ଉପସ୍ଥିତ ଥିଲା ବେଳେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର ଓ ଯୁବ ଶାଖାରେ ଦୀର୍ଘ ଦିନ ଧରି ଚାଲିଥିବା ଗୋଷ୍ଠୀ ବିବାଦର ଏହା ପରିଣତି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସନ୍ଧ୍ୟାରେ କୌଣସି କାରଣରୁ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ ପ୍ରଧାନଙ୍କ ସହ ଯୁବ ନେତା ସଂଗ୍ରାମ ଜେନାଙ୍କ ଗୋଷ୍ଠୀର ଯୁକ୍ତିତର୍କ ହୋଇଥିଲା। ଏହାର କିଛି ସମୟ ପରେ ସଂଗ୍ରାମଙ୍କ ଗୋଷ୍ଠୀର କିଛି ଯୁବକ କଂଗ୍ରେସ ଭବନକୁ ଆସି ଇତିଶଙ୍କୁ ଖୋଜିଥିଲେ। ଭୀଷଣ ପାଟିତୁଣ୍ଡ କରିଥିଲେ। କିନ୍ତୁ ନିଜେ ସଂଗ୍ରାମ ସେଠାରେ ଉପସ୍ଥିତ ନ ଥିଲେ। ସେହି ସମୟରେ ଇତିଶ ଏକ ବୈଠକରେ କଂଗ୍ରେସ ଭବନରେ ଥିଲେ। ଏପରିକି ଇତିଶଙ୍କ ଗୋଷ୍ଠୀର ଯୁବକଙ୍କ ସହ ସେମାନଙ୍କର ହାତାହାତି ବି ହୋଇଥିଲା। ଏହା ପରେ କଂଗ୍ରେସ ଭବନରେ ଉପସ୍ଥିତ ଥିବା ନେତାମାନେ ସେମାନଙ୍କୁ ଅଟକାଇଥିଲେ।
କିଛି ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଟିତୁଣ୍ଡ କରୁଥିବା ଯୁବକମାନଙ୍କୁ ଡାକି ତାଗିଦ୍ କରିଥିଲେ। ଯାହା ଅଭିଯୋଗ ଅଛି ଲିଖିତ ଆକାରରେ ଦେବାକୁ ସେ କହିଥିଲେ। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାପତି ଚେତାବନୀ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଉଭୟ ଛାତ୍ର ଓ ଯୁବ ଶାଖାର କାର୍ଯ୍ୟକାଳ ସରିଯାଇଛି। ଗତ କିଛି ବର୍ଷ ହେଲା ନିର୍ବାଚନ ମାଧ୍ୟମରେ ଉଭୟ ଶାଖାର କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଉଛି। ଆଗକୁ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ପତିଆରା ପାଇଁ ଛାତ୍ର ଓ ଯୁବ ନେତା ପରସ୍ପର ବିରୋଧରେ ଲଢ଼େଇ ଆରମ୍ଭ କରିଦେଇଥିବା କୁହାଯାଉଛି। ତେବେ ନିର୍ବାଚନ କେବେ ହେବ, ସେ ନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଏ ଯାଏଁ ମିଳି ନାହିଁ।