କଂଗ୍ରେସର ସଂକଳ୍ପ ସମାବେଶ

କଟକ : ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କୁ ଓଡ଼ିଶାର ସବୁ ସ୍ଥାନରେ ବିପୁଳ ଜନସମର୍ଥନ ମିଳୁଛି। ଏମାନଙ୍କ ମିଳିତ ନେତୃତ୍ୱରେ କଂଗ୍ରେସ ଲଢିବ ଏବଂ ଆଗାମୀ ଦିନରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବ। ନଗର କଂଗ୍ରେସ ପକ୍ଷରୁ କଟକର ଗୌରୀଶଙ୍କର ପାର୍କ ନିକଟରେ ଆୟୋଜିତ ‘ସମୃଦ୍ଧ କଟକ ଆମ ସଂକଳ୍ପ ସମାବେଶ’ରେ ସଂଗଠନର ସଭାପତି ତଥା ପିସିସି କୋଷାଧ୍ୟକ୍ଷ ଇଂଜିନିୟର ମହମ୍ମଦ ମୋକିମ୍‌ ଏ ପ୍ରକାର ବକ୍ତବ୍ୟ ରଖିଛନ୍ତି। ବିଜେଡି ସରକାର କଟକକୁ ସାବତ ପୁଅ ଭାବେ ଦେଖୁଛି ବୋଲି ଶ୍ରୀ ମୋକିମ୍‌ ଅଭିଯୋଗ କରିଛନ୍ତି। ଶ୍ରୀ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରି ତାଙ୍କ ମୁଣ୍ଡ ଆଉ କାମ କରୁନି ବୋଲି କହିଛନ୍ତି। କଟକ ପ୍ରତି ଅବହେଳାର ତୀବ୍ର ସମାଲୋଚନା କରିବା ସହ ଗଲା ୧୭ ବର୍ଷ ଶାସନରେ କଟକରେ ଜନ୍ମିତ ମୁଖ୍ୟମନ୍ତ୍ରୀ ସହରର କି ପ୍ରକାର ବିକାଶ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀ ପଟ୍ଟନାୟକ କେନ୍ଦ୍ରରେ ବିଜେପି ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି। ଓଡ଼ିଶାରେ ଗରିବୀର ଫାଇଦା କେନ୍ଦ୍ର ସରକାର ନେବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

ସମାବେଶକୁ ଉଦ୍‌ଘାଟନ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ନଫେରିବା ପର୍ଯ୍ୟନ୍ତ ଦେଶର କିମ୍ବା ରାଜ୍ୟ ବିକାଶ ହୋଇପାରିବ ନାହିଁ। ସେଥିପାଇଁ ଆଜି ସଂକଳ୍ପ ସମାବେଶ କଟକରୁ ଶୁଭାରମ୍ଭ କରାଯାଇଛି। ଆଗାମୀ ଦିନରେ ପ୍ରତ୍ୟେକ ସହର ଏବଂ ଗାଁକୁ କଂଗ୍ରେସ ଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିରୋଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ୱାଳ କହିଥିଲେ ଯେ କଟକରେ ବର୍ତ୍ତମାନ ଯେଉଁମାନେ ନେତୃତ୍ୱ ନେଉଛନ୍ତି ସେମାନେ କଟକକୁ କାଙ୍ଗାଳ କରିବାକୁ ବସିଲେଣି । ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟାଳୟକୁ କଟକରୁ ଉଠାଇ ନିଆଯାଉଥିଲେ ବି ସେମାନେ ଚୁପ୍‌ ରହୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ବେହେରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଗିରିବାଳା ବେହେରା, ସାବିତ୍ରୀ ଚୌଧୁରୀ, ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ, ସତ୍ୟାନନ୍ଦ ରାଉତ, ଆର୍ଯ୍ୟବୀର ଲେଙ୍କା, ସ୍ଥାନୀୟ କର୍ପୋରେଟର ଅରୁଣ ସେଠୀ, ସୋଫିଆ ଫିରଦୋସ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସମାବେଶରେ ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁଙ୍କ ଭଳି ବରିଷ୍ଠ ନେତାଙ୍କର ଅନୁପସ୍ଥିତି କିନ୍ତୁ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର