ଭୁବନେଶ୍ୱର : ମହାନଦୀ ଓ ଅନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ମନ୍ତ୍ରୀମାନେ ମିଥ୍ୟା ତଥ୍ୟ ଦେବାର ନଜୀର ରହିଛି। କିନ୍ତୁ ମିଥ୍ୟା ଆତ୍ମପ୍ରଚାର ପାଇଁ ରାଜ୍ୟପାଳଙ୍କ ମୁହଁରେ ମିଥ୍ୟା ଗୁଣଗାନ କରିବାକୁ ପଛାଇନାହାନ୍ତ ଏହି ସରକାର। ସେହିପରି କୃଷକଙ୍କ ଆୟ ବୃଦ୍ଧିରେ ଓଡ଼ିଶା ଦ୍ରୁତତମ ରାଜ୍ୟ ଦର୍ଶାଇ ବିଭ୍ରାନ୍ତିକର ବିଜ୍ଞାପନ ଦେଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଆଜି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଗଣମାଧ୍ୟମ ସାମ୍ନାରେ ସରକାର ବିଭ୍ରାନ୍ତିକର ତଥ୍ୟ ଓ ମିଥ୍ୟା ପ୍ରଚାର କରିଥିବା ବର୍ଣ୍ଣନା କରିଥିଲେ। ବିଧାନସଭାର ଗତ ବଜେଟ୍ ଅଧିବେଶନରେ ପୂର୍ବତନ ରାଜ୍ୟପାଳ ଡ. ଏସ୍.ସି.ଜମୀର ସରକାରଙ୍କ ସଫଳତା ବର୍ଣ୍ଣନା କରି ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ସ୍ୱାବଲମ୍ବୀ ଓ ବଳକା ରାଜ୍ୟ ବୋଲି କହିଥିଲେ। କିନ୍ତୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭା ଉତ୍ତରରେ ରାଜ୍ୟରେ ବାର୍ଷିକ ହାରାହାରି ୩୩୨୮ ମେଟ୍ରିକ ଟନ୍ ଦୁଗ୍ଧର ଆବଶ୍ୟକତା ରହିଥିବା କହିଥିଲେ। ଏଭଳି ମିଥ୍ୟା ପ୍ରଚାର ପାଇଁ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଥିଲେ। ସେହିପରି କୃଷକଙ୍କ ଆୟ ବୃଦ୍ଧି ନେଇ ସରକାର ଯେଉଁଭଳି ଖବରକାଗଜରେ ବଡ଼ ବଡ଼ ବିଜ୍ଞାପନ ଦେଉଛନ୍ତିି, ସେହି ତଥ୍ୟ ବିଭ୍ରାନ୍ତିକର। ବାସ୍ତବରେ କେବଳ ଧାନ ଚାଷରେ ଚାଷୀମାନଙ୍କ ବର୍ଷକୁ ୧୦ରୁ ୧୫ ହଜାର କୋଟିର କ୍ଷତି ହୋଇଛି। ଏଣୁ, ସେମାନଙ୍କର ଆୟ ବୃଦ୍ଧି ହେଲା କିପରି? ଏଣୁ, ମୁଖ୍ୟମନ୍ତ୍ରୀ ବିଭ୍ରାନ୍ତିିକର ଓ ବିକୃତ ତଥ୍ୟ ଦେଇ ରାଜ୍ୟର କୋଟି କୋଟି ଟିକସଦାତାଙ୍କ ଅର୍ଥ ବରବାଦ ନ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ପରାମର୍ଶ ଦିଆଯାଇଛି।