ଦାମ-ପ୍ରଦୀପ ମୁହାଁମୁହିଁ

କଟକ : କୁନ୍ଦୁଲି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବୟାନବାଜି ଏହାକୁ ରୋଚକ ମୋଡରେ ପହଞ୍ଚାଇଛି। କୁନ୍ଦୁଲି ପୀଡିତାଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବୟାନ ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ପରିସରକୁ ଆସିଛି।

ମନ୍ତ୍ରୀ ଡାକ୍ତର ରାଉତଙ୍କ ବୟାନବାଜି ବିଜେଡି-କଂଗ୍ରେସ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି।ଏଥିରେ ଦାମଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀଏବଂ ବିଧାୟକ କୃଷ୍ଣ ସଗରିଆ। ଆଜି କଟକ ଗସ୍ତ ଅବସରରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଦାମ କହିଥିଲେ ଯେ, କୁନ୍ଦୁଲି ପୀଡିତାଙ୍କୁ ନେଇ କଂଗ୍ରେସ ଓ ସିଭିଲ ସୋସାଇଟି ରାଜନୀତି କରୁଛନ୍ତି। ଏ ନେଇ ଦାମ ଆଉ ଅଧିକ କିଛି ନ କହି ଅନ୍ୟ ପ୍ରସଙ୍ଗକୁ ଚାଲିଯାଇଥିଲେ। ତେବେ ଦାମଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ କହିଛନ୍ତି, ଦାମବାବୁ ଜାଣିବା ଦରକାର ବିଜେଡି ଦଳ ନେତା ବିଷ୍ଣୁ ଦାସ ଏହି ଘଟଣାର ତଦନ୍ତ ଠିକ୍‌ ହୋଇ ନଥିବା ଅଭିଯୋଗ କରିଥିଲେ।

ବିଜେଡି ଘଟଣା ଆରମ୍ଭ ଦିନରୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି। କଂଗ୍ରେସ ଦଳ ପୀଡିତାଙ୍କ ହକ ସହିତ କୋରାପୁଟ ସମ୍ମାନ ପାଇଁ ଲଢେଇ କରୁଛି ବୋଲି ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ତେବେ ଦାମଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମାଝି ଆହୁରି କହିଛନ୍ତି ଯେ, ଛେପ ପକାଇ ଢୋକିବା ଅଭ୍ୟାସ ଦାମବାବୁଙ୍କର ରହିଛି। ତେଣୁ ଏ କଥା କହିବା ଆଗରୁ ସେ ଚିନ୍ତା କରିବା କଥା। ଅନ୍ୟପଟେ କଂଗ୍ରେସର ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ, କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି। ଏହି ଘଟଣାର ତଦନ୍ତ ଚାଲିଛି। ଖୁବ ଶୀଘ୍ର ସତ ସାମନାକୁ ଆସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସୂଚନା ଯୋଗ୍ୟ, କୁନ୍ଦୁଲି ପୀଡିତା ଏବେ କଟକ ଏସସିବିରେ ଚିକିତ୍ସିତ ହୋଇଥିବାବେଳେ ତାଙ୍କୁ ଏଠାରୁ ଛାଡ କରିବା ଦାବିରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଏବଂ ବିଧାୟକ କୃଷ୍ଣ ସଗରିଆଙ୍କ ଧାରଣା ଅବ୍ୟାହତ ରହିଛି।

ସମ୍ବନ୍ଧିତ ଖବର