ଚାଷୀ ମୃତ୍ୟୁକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛି। ବିଜେପି ଏହି ଘଟଣାରେ ସିଧାସଳଖ କୃଷି ମନ୍ତ୍ରୀଙ୍କୁ ଟାଣିବା ସହ କୃଷି ବିଭାଗରେ ବ୍ୟାପକ ଦୁର୍ନୀତି ଓ ମାତ୍ରାଧିକ ପିସି କାରବାର ପ୍ରସଙ୍ଗ ଉଠାଇଛି। କିନ୍ତୁ ବିଜେଡି ଏହାକୁ ବିଜେପିର ହୀନ ରାଜନୀତି ବୋଲି ଆକ୍ଷେପ କରିବା ସହ ବିଜେପି ଶାସିତ ରାଜ୍ୟର ଚାଷୀ ମୃତ୍ୟୁକୁ ଉଦାହରଣ ଦେଇଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଚାଷଜନିତ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଚାଷୀ ସମୂହ ବହୁ ଥର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। କିନ୍ତୁ ସରକାର କିଛି ଶୁଣି ନାହାନ୍ତି। ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଅବସ୍ଥା ସଙ୍ଗୀନ୍‌। ଚାଷୀଙ୍କ ଏପରି ସ୍ଥିତି କେବଳ ବରଗଡ଼ରେ ସୀମିତ ହୋଇ ରହି ନାହିଁ। ଏହା ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଲାଣି। ଗତ ତିନି ଦିନ ହେଲା ଚାଷୀ ବୃନ୍ଦା ସାହୁ ନିଜର ଫସଲ କ୍ଷତି ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ମାଧ୍ୟମରେ ଅବଗତ କରାଇଛନ୍ତି। କୌଣସି ଆଶ୍ୱାସନା ନ ପାଇଲା ପରେ କ୍ଷତି ହେଉଥିବା ଫସଲକୁ ଚାଷ ଜମିରେ ହିଁ ପୋଡ଼ିଦେଲେ। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲାନି। ବିଶେଷଜ୍ଞ ଦଳ ପଠାଯାଇଛି କହି ମନ୍ତ୍ରୀ ନିରବରେ ବସିପଡ଼ିଲେ। ଫଳରେ ବୃନ୍ଦା ସାହୁ କୌଣସି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ବୃନ୍ଦାଙ୍କର ଏପରି ଅସ୍ୱାଭାବିକ ମୃତ୍ୟୁ ହେଲା। ତେଣୁ ନିଜ ଅପାରଗତା ଲୁଚାଇବାକୁ ଯାଇ କୃଷି ମନ୍ତ୍ରୀ ଚାଷୀ ମୃତ୍ୟୁ ପ୍ରସଙ୍ଗରେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିିକର ମନ୍ତବ୍ୟ ନ ଦେବାକୁ ଶ୍ରୀ ଶର୍ମା ଚେତାବନୀ ଦେଇଛନ୍ତି।

ଏହି ପ୍ରସଙ୍ଗରେ ବିଜେପିକୁ ପାଲଟା ଆକ୍ରମଣ କରିଛି ବିଜେଡି। ଦଳର ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି, ଚାଷୀ ମୃତ୍ୟୁ ନିଶ୍ଚିତ ଭାବେ ଦୁଃଖଦାୟକ। କିନ୍ତୁ ଏପରି ମୃତ୍ୟୁକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ବିଜେପି ଆତ୍ମସମୀକ୍ଷା କରିବା ଦରକାର। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏପରି ଦୁଃଖଦାୟକ ଘଟଣା ବାରମ୍ବାର ଘଟୁଛି। ଏ ସମ୍ପର୍କରେ ବିଜେପି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଏପରି ଅଘଟଣ ପାଇଁ ରାଜ୍ୟ ସରକାର ତ୍ୱରିତ୍‌ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ୪୮ ଘଣ୍ଟା ମଧ୍ୟରେ ନିଜ ନିଜ ଜିଲ୍ଲାରେ ପୋକ ଲାଗି ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ୍‌ କୋଡ୍‌ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ମିଳିବ।

ସମ୍ବନ୍ଧିତ ଖବର