ବିଜେପୁର, ଓଡ଼ିଶା ବିଷୟରେ କିଛି କହିଲେନି ମୋଦି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ବିଜେଡି-ବିଜେପି ପରସ୍ପରକୁ ସମାଲୋଚନା କରିବା ପାଇଁ ଏମିତି ଛକାପଞ୍ଝା ହୋଇ ରହୁଛନ୍ତି ଯେ ନିଜେ ନିଜ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଛନ୍ତି। ଗତକାଲି କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି ବିନା ତଥ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିଲା ବେଳେ ଅପଦସ୍ଥ ହୋଇଥିଲେ। ଆଜି ସମାନ ଅବସ୍ଥା ଭୋଗିଛି ବିଜେଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ବିଜେପି ଯେଉଁପରି ଭାବେ ବିଜେପୁରରେ ଶୁଣାଇବାର ବ୍ୟବସ୍ଥା କଲା, ସେଥିରେ ହଡ଼ବଡ଼େଇ ଯାଇଥିଲା ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହାର ଜବାବ ଦେବା ପାଇଁ ସମୟ ଧାର୍ଯ୍ୟ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ‘ମନ୍ କି ବାତ୍’ରେ ମୋଦି ଓଡ଼ିଶା କି ବିଜେପୁର ସମ୍ପର୍କରେ ପଦେ ବି ଉଲ୍ଲେଖ ନ କରିବାରୁ ବିଜେଡି ଭାଣ୍ଡିଆ ହୋଇଗଲା। ବାଧ୍ୟ ହୋଇ ଶେଷ ମୁହୂର୍ତ୍ତରେ ସାମ୍ବାଦିକ ସମ୍ମିଳନୀକୁ ବାତିଲ୍ କରିଦେଲା। ଆଜି ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
‘ମନ୍ କି ବାତ୍’ କାର୍ଯ୍ୟକ୍ରମର ସମୟ ଥିଲା ପୂର୍ବାହ୍ନ ୧୧ଟାରୁ ୧୧ଟା ୩୦। ବିଜେଡି ପକ୍ଷରୁ ଆଜି ସକାଳୁ ଅତ୍ୟନ୍ତ ତରବରିଆ ଭାବେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ୧୨ଟା ୪୫ରେ ସାମ୍ବାଦିକ ସମ୍ମିଳନୀ ହେବ ବୋଲି ପ୍ରାୟ ୧୦ଟା ୩୦ରେ ଗଣମାଧ୍ୟମକୁ ସୂଚନା ଦେଇଥିଲା ମିଡ଼ିଆ ସେଲ୍। ବିଜେଡିର ଚାରି ପ୍ରମୁଖ ନେତା ଦେବୀ ମିଶ୍ର, ପ୍ରତାପ ଦେବ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ ସମ୍ବୋଧିତ କରିବେ ବୋଲି ଏଥିରେ କୁହାଯାଇଥିଲା। ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦି ଓଡ଼ିଶା ବିଷୟରେ ଯାହା ବି କହିଥା’ନ୍ତେ, କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେଡି ତାଙ୍କୁ ସମାଲୋଚନା କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ହୋଇଥିଲା।
କିନ୍ତୁ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ଚିରାଚରିତ ଢଙ୍ଗରେ ଭାଷଣ ଦେଲେ। ଜାତୀୟ ପ୍ରସଙ୍ଗରେ ସୀମିତ ରହିଲେ। ତାଙ୍କ ଭାଷଣରେ ଓଡ଼ିଶା କିମ୍ବା ବିଜେପୁର ସ୍ଥାନ ପାଇଲା ନାହିଁ। ଏହା ପରେ ବିଜେଡି ନେତାମାନଙ୍କ ଅଡ଼ୁଆରେ ପଡ଼ିଯାଇଥିଲେ। ସାମ୍ବାଦିକ ସମ୍ମିଳନୀରେ କ’ଣ କହିବେ, ଆଉ ବାଟ ପାଇଲେନି। ‘ମନ୍ କି ବାତ୍’ ଶେଷ ହେବାର ଠିକ୍ ୨୦ ମିନିଟ୍ ପରେ ଅର୍ଥାତ ୧୧ଟା ୫୦ରେ ସାମ୍ବାଦିକ ସମ୍ମିଳନୀ ବାତିଲ୍ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଗଲା। କାହିଁକି ଡାକିଥିଲେ ଓ କାହିଁକି ବାତିଲ୍ କଲେ, ତାହାର ଉତ୍ତର ନେତାମାନେ ଦେଇ ନ ଥିଲେ।
ବିଜେପି ନେତାମାନଙ୍କର କହିବା କଥା ହେଉଛି, ଉପନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ନେଇ ବିଜେପି ଏପରି ଆୟୋଜନ କରିଥିଲା। ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଏହା କେବଳ ଦଳୀୟ ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା।
ରାଜନୈତିକ ମହଲର କହିବା କଥା, ବିଜେପୁରର ୨୭୦ ବୁଥ୍ରେ ରେଡିଓ ମାଧ୍ୟମରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣାଇବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ରାଜ୍ୟ ପଦାଧିକାରି ଯୋଗ ଦେବା ପାଇଁ ସ୍ଥିର ହୋଇଥିଲା। ସମ୍ଭବତଃ ବିଜେପିର ବ୍ୟାପକ ପ୍ରସ୍ତୁତି ଦେଖି ପ୍ରଧାନମନ୍ତ୍ରୀ କିଛି ସ୍ୱତନ୍ତ୍ର ବାର୍ତ୍ତା ଦେଇପାରନ୍ତି ବୋଲି ବିଜେଡି ଭାବିଥିଲା।ଏଣୁ ଦଳ ପ୍ରତି ଆକ୍ରମଣ ପାଇଁ ରଣନୀତି ପ୍ରସ୍ତୁତ କରିଥିଲା।