ରାଷ୍ଟ୍ରୀୟ ଦଳିତ ମହାସଂଘ ବି ବିରୋଧ କରିବ

ଭୁବ‌ନେଶ୍ବର : ଦୀର୍ଘ ୨୦ ବର୍ଷ ଧରି ସାଂସଦ ରହିଥିବା ବୈଜୟନ୍ତ ପଣ୍ଡା ଦଳିତ, ସଂଖ୍ୟାଲଘୁ ଓ ପଛୁଆବର୍ଗର ସମସ୍ୟା ନେଇ କେବେ ସ୍ବର ଉଠାଇ ନାହାନ୍ତି କି ଆନ୍ଦୋଳନ କରି ନାହାନ୍ତି ବୋଲି ଅଭିଯୋଗ କରିଛି ରାଷ୍ଟ୍ରୀୟ ଦଳିତ ମହାସଂଘ। ଆଜି ମହାସଂଘର ରାଜ୍ୟ ସଭାପତି ଅଶୋକ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୃଷକ, କୃଷକଙ୍କ ସମସ୍ୟା ଓ ବେକାର ଯୁବ ସମାଜ ପାଇଁ ବୈଜୟନ୍ତ କୌଣସି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି। ଲକ୍ଷାଧିକ ଟଙ୍କାର ବିଜୁଳି ଛାଡ଼, ଭଣ୍ଡ ସାରଥି ବାବାର ପ୍ରବଚନକୁ ନିଜ ଚ୍ୟାନେଲରେ ପ୍ରଚାର କରିବା, ବିଦେଶୀ ଅର୍ଥ ବିନିମୟ ଆଇନକୁ ଚକ୍‌ମା ଓ ଓଡ଼ିଶାକୁ ତାଚ୍ଛଲ୍ୟ କରିଥିବା ଅଭିଜିତ ଆୟରଙ୍କୁ ହେଲିକପ୍‌ଟର ଯୋଗାଇ ଦେବା ଭଳି କାର୍ଯ୍ୟ କରିଛନ୍ତି ବୈଜୟନ୍ତ। କେନ୍ଦ୍ରାପଡ଼ା ସମେତ ସମଗ୍ର ଓଡ଼ିଶା ପ୍ରତି ବୈଜୟନ୍ତ ବିଶ୍ବାସଘାତ କରିଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ବିରୋଧ କରାଯିବ ବୋଲି ସେ ଚେତାବନୀ ନେଇଛନ୍ତି। ନେହରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମାଜିକ ନ୍ୟାୟ ଆନ୍ଦୋଳନର ରାଜ୍ୟ ସଭାପତି ଅଶୋକ କୁମାର ଦାସ ଓ ମହାସଂଘର ଉପସଭାପତି ଦେବରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର