ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ୭୦ ବର୍ଷୀୟ ବୃଦ୍ଧ ଏକାକୀ ଖୋଳିଲେ ୩୩ ଫୁଟର କୂଅ!

ଆପଣଙ୍କ ମନେଥିବ ଜଣେ ବୃଦ୍ଧ ନିଜର ଅଦମ୍ୟ ଇଚ୍ଛାଶକ୍ତି ଆଗରେ ବାର୍ଦ୍ଧକ୍ୟର ଛାପକୁ ମଧ୍ୟ ନିଜ ବାଟରେ ଆସିବାକୁ ଦେଇନଥିଲେ। ଏକାକୀ ପାହାଡ କାଟି ଗ୍ରାମବାସୀଙ୍କ ପାଇଁ ରାସ୍ତା ପ୍ରସ୍ତୁତ କରିଥିଲେ। ଯାହାଙ୍କ ନାମ ଦଶରଥ ମାଞ୍ଝି। ହେଲେ ଏଠାରେ ଆପଣଙ୍କୁ ଦଶରଥ ମାଞ୍ଝିଙ୍କ ନୁହଁ ବରଂ ୭୦ ବର୍ଷୀୟ ସୀତାରାମ ଲୋଢୀଙ୍କ କଥା କହିବାକୁ ଯାଉଛୁ। ଯେ କି ଏକାକୀ କୂଅ ଖୋଳି ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି।

ବୁନ୍ଦେଲଖଣ୍ଡ ଅଞ୍ଚଳର ଛତରପୁର ଜିଲ୍ଲାରେ ରହୁଥିବା ସୀତାରାମ ଏକାକୀ ନିଜ ଗାଁରେ କୂଅ ଖୋଳି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ଅଞ୍ଚଳରେ ପାଣିର ଘୋର ଅଭାବ ଦେଖାଯାଏ ଯାହାଦ୍ୱାରା ଲୋକଙ୍କୁ ଗାଁ ଛାଡି ଅନ୍ୟତ୍ର ଯିବାକୁ ପଡିଥାଏ। ପାଣି କଷ୍ଟକୁ ସହ୍ୟ ନକରି ପାରି ପଶୁପକ୍ଷୀଙ୍କ ମୃତ୍ୟୁ ସେଠାକାର ଅନ୍ୟ ଏକ ସମସ୍ୟା ହୋଇପଡିଥିଲା। ଏଭଳି ପରିସ୍ଥିତିରେ ପ୍ରଶାସନଠାରୁ ବହୁ ଦୂରରେ ରହୁଥିବା ଏହି ଗାଁର ସୀତାରାମ ନିଜେ ଏହି ସମସ୍ୟାର ସମାଧାନ ପାଇଁ ବାଟ ଖୋଜିଲେ। ହାତରେ କୋଡି ଏବଂ ଫାଉଡା ଧରି ବାହାରି ପଡିଲେ ପାଣିର ସମସ୍ୟାକୁ ଦୂରେଇବା ପାଇଁ ।

୨୦୧୫ ମସିହାରେ ସେ କୂଅ ଖୋଳିବା ଆରମ୍ଭ କରିଥିଲେ। ଦୀର୍ଘଦିନର ପରିଶ୍ରମ ପରେ ୨୦୦୭ ମସିହାରେ ସେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ୩୩ ଫୁଟର କୂଅ ଖୋଳିଲା ପରେ ସେ ନିଜ ଲକ୍ଷ୍ୟରେ ଯାଇ ପହଞ୍ଚିଥିଲେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୧୮ ମାସ ସମୟ ଲାଗିଥିଲା।

ଯେଭଳି ଦଶରଥ ମାଞ୍ଝିଙ୍କୁ ପାହାଡ ଭାଙ୍ଗୁଥିବାର ଦେଖି ଲୋକ ତାଙ୍କୁ ପାଗଳ ଭାବୁଥିଲେ ସୀତାରାମଙ୍କୁ ମଧ୍ୟ ଲୋକମାନେ ଠିକ୍‌ ସେହିଭଳି ପାଗଳ ଭାବିବା ଆରମ୍ଭ କରିଦେଇଥିଲେ। କିନ୍ତୁ କୂଅରୁ ପାଣି ବାହାରିବା ପରେ ଲୋକ ତାଙ୍କୁ ଅବତାରୀ ପୁରୁଷ କହୁଛନ୍ତି।

ସମ୍ବନ୍ଧିତ ଖବର